ବୁଗୁଡ଼ା: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପାଇବାକୁ ଯୋଗ୍ୟ ବିବେଚିତ ହେଲେ। ତାଲିକାରେ ବି ନାମ ସ୍ଥାନିତ ହେଲା। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଶାସନ ପକ୍ଷରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ମିଳିଲାନି। ବୁଗୁଡ଼ା ବ୍ଲକ୍ ବିରଞ୍ଚିପୁର ପଞ୍ଚାୟତ ବରଡ଼ିପଲ୍ଲୀ ଗ୍ରାମରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଯୋଗ୍ୟ ହିତାଧିକାରୀ ହୋଇବି କାର୍ଯ୍ୟାଦେଶ ନମିଳିବାରୁ ଦିନମଜୁରିଆ ଭାବେ କାମ କରୁଥିବା ରାଜେନ୍ଦ୍ର ପାତ୍ର ଓ ତାଙ୍କ ପତ୍ନୀ ସୁକାନ୍ତି ଏବଂ ୪ ସନ୍ତାନ ବିପଜ୍ଜନକ ଓ ଅସୁରକ୍ଷିତ ଭାବେ ଦିନ କାଟୁଛନ୍ତି। ଫଳରେ ରାଜେନ୍ଦ୍ର ଓ ସୁକାନ୍ତିଙ୍କ ପାଇଁ ଆବାସ ଏବେ ସାତସପନ ପାଲଟିଛି।
ବିପଜ୍ଜନକ କୁଡ଼ିଆରେ କଟୁଛି ଦିନ
ପ୍ରଶାସନର ଟାଳଟୁଳ ନୀତି ଅବଲମ୍ବନ ଅଭିଯୋଗ
ରାଜେନ୍ଦ୍ର ଓ ତାଙ୍କ ପରିବାର ବର୍ତ୍ତମାନ ପିପୁଲ୍ସ୍ କଲେଜ ନିକଟସ୍ଥ ଏକ ଭଙ୍ଗାକୁଡ଼ିଆରେ ରହୁଛନ୍ତି। ଝାଟିମାଟି କାନ୍ଥ ଓ ଛାତ ଭଙ୍ଗାଦଦରା ଅବସ୍ଥାରେ ରହିଥିବା ବେଳେ କେତେବେଳେ ତାହା ଭୁଶୁଡ଼ିପଡ଼ିବାର ଆଶଙ୍କା ରହିଛି। ଗତମାସରେ ଘରେ ଶୋଇଥିବା ବେଳେ ରାଜେନ୍ଦ୍ରଙ୍କ ସାନଝିଅ ପୂର୍ଣ୍ଣିମାଙ୍କୁ ଏକ ସାପ କାମୁଡ଼ି ଦେଇଥିଲା। ସେହିଦିନ ଠାରୁ ଏହି ପରିବାର ଅସୁରକ୍ଷିତ ଭାବେ ଦିନ କାଟୁଛନ୍ତି। ଘର ମରାମତି ପାଇଁ ରାଜେନ୍ଦ୍ରଙ୍କ ପାଖରେ ସମ୍ବଳ ନାହିଁ। ସରକାରୀ ସହାୟତା ଭାବେ ରାଜେନ୍ଦ୍ର ଓ ସୁକାନ୍ତିଙ୍କୁ କେବଳ ୧୦ କେଜି ଚାଉଳ ମିଳୁଛି। କିନ୍ତୁ ୪ ପିଲାଙ୍କ ନାମରେ ରାସନକାର୍ଡ଼ରେ ସଂଯୋଗ ହୋଇପାରିନଥିବାରୁ ସେମାନେ ଚାଉଳ ପାଇବାରୁ ବଞ୍ଚିତ ହେଉଛନ୍ତି।
ଏଭଳି ପରିସ୍ଥିତିରେ ପ୍ରଶାସନର ଟାଳଟୁଳ ନୀତି ରାଜେନ୍ଦ୍ର ଓ ତାଙ୍କ ପରିବାରର ଯନ୍ତ୍ରଣାକୁ ବଢ଼ାଇଦେଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ପତ୍ନୀ ସୁକାନ୍ତି ବ୍ଲକ୍ ପ୍ରଶାସନ ନିକଟରେ ଆବେଦନ କରିଥିଲେ। ପ୍ରଶାସନିକ ସର୍ଭେ ପରେ ଯୋଗ୍ୟ ହିତାଧିକାରୀ ତାଲିକାରେ ସୁକାନ୍ତିଙ୍କ ନାମ ରହିଥିଲା।
ହେଲେ ଏବେ କାର୍ଯ୍ୟାଦେଶ ସହ ପ୍ରଥମ କିସ୍ତି ଟଙ୍କା ବଣ୍ଟନ ଚାଲିଥିବା ବେଳେ ଅନ୍ୟ ହିତାଧିକାରୀଙ୍କୁ ତାହା ମିଳିସାରିଛି। କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ସୁକାନ୍ତି ଏଥିରୁ ବଞ୍ଚିତ ହୋଇଛନ୍ତି। ତାଲିକାରେ ତାଙ୍କ ନାମ ଥିବାବେଳେ କାହିଁକି ତାଙ୍କୁ କାର୍ଯ୍ୟାଦେଶ ମିଳିଲା ନାହିଁ ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗତ କାଳବୈଶାଖୀ ପରଠୁ ବିପଜ୍ଜନକ ଅବସ୍ଥାରେ ରାଜେନ୍ଦ୍ର ଓ ତାଙ୍କ ପରିବାର ମୁଣ୍ଡ ଗୁଞ୍ଜିଛନ୍ତି। ବେଳେବେଳେ ସାମାନ୍ୟ ବର୍ଷା ହେଲେ ଅନ୍ୟ ବ୍ୟକ୍ତିଙ୍କ ଘର ବାରଣ୍ଡାରେ ଆଶ୍ରୟ ନେବାକୁ ପଡ଼ୁଛି। କିନ୍ତୁ ଆମଠୁ ଅଯୋଗ୍ୟ ହିତାଧିକାରୀ ଘର ହାତେଇ ଆରାମରେ ଜୀବନ କାଟୁଥିବା ରାଜେନ୍ଦ୍ର ଓ ସୁକାନ୍ତି କହିଛନ୍ତି। ପ୍ରଶାସନର ପକ୍ଷପାତିତା ନୀତିକୁ ଏଥିପାଇଁ ସେମାନେ ଦାୟୀ କରିଛନ୍ତି। ବିଡିଓ ବାସୁଦେବ ନାୟକଙ୍କ ଦୃଷ୍ଟିଆକର୍ଷଣ କରିବାରୁ ଏନେଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।