ରାସନ୍ ସାମଗ୍ରୀ‌ ପାଇଁ ୫ କିଲୋମିଟର ଯାଆନ୍ତି ହିତାଧିକାରୀ, ଉପଜିଲ୍ଲାପାଳଙ୍କୁ ଭେଟି ଲୋଡ଼ିଲେ ହସ୍ତକ୍ଷେପ

ସୁନ୍ଦରଗଡ଼: ୨୦୧୭ରେ ବାଲିଶଙ୍କରା ବ୍ଲକ୍‌ ବିରକାଲଡିହି ପଞ୍ଚାୟତ ଭାଗ ହୋଇ ଧୁବେନଦାଣ୍ଡ ନୂଆ ପଞ୍ଚାୟତ ଘୋଷିତ ହେଲା। ନୂଆ ପଞ୍ଚାୟତକୁ ନେଇ ଲୋକଙ୍କ ମନରେ ବହୁ ଆଶା ସଞ୍ଚାର ହୋଇଥିଲା, ପ୍ରଶାସନ ହାତ ପାଅନ୍ତାକୁ ପହଞ୍ଚିଲା ବୋଲି ଅଧିବାସୀ ଭାବି ନେଇଥିଲେ। କିନ୍ତୁ ୪ ବର୍ଷ ପରେ ମଧ୍ୟ ପଞ୍ଚାୟତ ନାମକୁ ମାତ୍ର ହୋଇ ରହିଛି। ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହେଉ କି ଗରିବ ହିତାଧିକାରୀଙ୍କ ପାଇଁ ଥିବା ଜନକଲ୍ୟାଣକାରୀ ଯୋଜନା ହେଉ ପ୍ରଶାସନ ଏଯାଏ ପଞ୍ଚାୟତ ପ୍ରତି ଉଦାସୀନ ମନୋଭାବପୋଷଣ କରିଆସୁଛି। ଫଳରେ ନୂଆ ପଞ୍ଚାୟତ ପାଇ ମଧ୍ୟ ଅଧିବାସୀ ପ୍ରଶାସନ ଠାରୁ ଦୂରରେ ରହିଛନ୍ତି ବୋଲି କୁହାଯାଇପାରେ।

ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ମଧ୍ୟ ଧୁବେନଦାଣ୍ଡ ପଞ୍ଚାୟତର ହିତାଧିକାରୀ ୫ କିଲୋମିଟର ଦୂରରେ ଥିବା ପୁରୁଣା ପଞ୍ଚାୟତ ବିରକାଲଡିହିକୁ ଯିବାକୁ ବାଧ୍ୟ ହେଉଥିବା ପ୍ରଶାସନିକ ଉଦାସୀନତାର ଏକ ବଡ଼ ନମୁନା ବୋଲି ଲୋକେ ପ୍ରକାଶ କରିଛନ୍ତି। ବିଶେଷ କରି ବୟସ୍କ, ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ଏହା ବଡ଼ ସମସ୍ୟାର କାରଣ ହୋଇଛି। ଏ ସମ୍ପର୍କରେ ନୂଆ ପଞ୍ଚାୟତବାସୀ ପଲ୍ଲୀସଭା ଓ ଗ୍ରାମସଭାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନଙ୍କ ଦୁଃଖ କେହି ଶୁଣୁ ନାହାନ୍ତି।

ଆଜି ଏ ସଂକ୍ରାନ୍ତରେ ଧୁବେନଦାଣ୍ଡର ବିନିତ କୁଜୁର, ଶାନ୍ତି ବାର୍ଲା, ବିନିତ‌ା ମିଞ୍ଜ ସମେତ ପଞ୍ଚାୟତବାସୀ ସୁନ୍ଦରଗଡ଼ ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କୁ ଭେଟି ତାଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ତୁରନ୍ତ ନିଜ ପଞ୍ଚାୟତରେ ପିଡିଏସ ବଣ୍ଟନ ଓ ପଞ୍ଚାୟତସ୍ତରୀୟ ଅନ୍ୟ ସରକାରୀ ସୁବିଧା, ସୁଯୋଗ ପ୍ରଦାନ କରିବାକୁ ଦାବି କରିଥିଲେ। ଉପଜିଲ୍ଲାପାଳ ଶ୍ରୀ ବେହେରା ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ପ୍ରକାଶ।

ସମ୍ବନ୍ଧିତ ଖବର