ହିତାଧିକାରୀଙ୍କୁ କମ୍ ଚାଉଳ, ଧାରଣା ଚେତାବନୀ ପରେ ପୂରା ମିଳିଲା

ସୁନ୍ଦରଗଡ଼: ପଞ୍ଚାୟତଗୁଡ଼ିକୁ ଆବଣ୍ଟିତ ପରିମାଣ (ଆଲଟମେଣ୍ଟ) ଠାରୁ କମ୍ ଚାଉଳ ଦେଇ ଅଧିକାରୀ, ଠିକାଦାର ବାଟମାରଣା କରୁଥିବା ଅଭିଯୋଗ ହୋଇଆସୁଛି। ବିଶେଷ କରି ୫୦ କେଜି ବସ୍ତାରେ ୨ରୁ ୩ କିଲୋ କମ୍ ଥିବା ପ୍ରକାଶ ପାଇଛି। ଏହି ତରିକାରେ ଜିଲ୍ଲାରେ ପ୍ରତି ମାସରେ ୩ ହଜାର କ୍ବିଣ୍ଟାଲରୁ ଅଧିକ ଚାଉଳ ହଡ଼ପ କରାଯାଉଥିବା ସାଧାରଣରେ ଚର୍ଚ୍ଚା ରହିଛି। ଏସମ୍ପର୍କିତ ଚାଞ୍ଚଲ୍ୟକର ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଜିଲ୍ଲାରେ ହଇଚଇ ଖେଳି ଯାଇଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତନାଘନା ଆରମ୍ଭ ହୋଇଥିବା ବେଳେ ଜିଲ୍ଲା ଯୋଗାଣ ବିଭାଗ, ମିଲର୍ସ, ଠିକାଦାର କୌଣସି ପ୍ରକାରେ ଏହାକୁ ଚାପି ଦେବାକୁ ମସୁଧା ଚଲାଇଥିବା ଚର୍ଚ୍ଚା ହେଉଛି। ପଞ୍ଚାୟତ ଯୋଗାଣ ସହାୟକ ଓ ନିର୍ବାହୀ ଅଧିକାରୀଙ୍କ ଠାରୁ ଠିକ୍ ପରିମାଣର ଚାଉଳ ପାଉଥିବା ନେଇ ଏକ ସ୍ବୀକାରନାମା ଲେଖାଇ ନେଉଥିବା ଜଣାପଡ଼ିଛି। ଏସ୍ଥିତିରେ ଲେଫ୍ରିପଡ଼ା ବ୍ଲକ ଛଟେନପାଲି ପଞ୍ଚାୟତରେ ହିତାଧିକାରୀଙ୍କୁ କମ୍ ଚାଉଳ ଦିଆଯାଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାକ୍ରମରେ ଛଟେନପାଲିର ଜଣେ ହିତାଧିକାରୀଙ୍କୁ କମ୍ ଚାଉଳ ଦିଆଯାଇଥିବା ବେଳେ ଅଭିଯୋଗ ଓ ଧାରଣା ଚେତାବନୀ ଦେବା ପରେ ଯୋଗାଣ ସହାୟକ ବାକି ଚାଉଳ ଦେଇଥିବା ଜଣାପଡ଼ିଛି।

ଓଜନ ମେସିନରେ ଏପରି କାରସାଦି କରି ହିତାଧିକାରୀମାନଙ୍କ ଚାଉଳ ହଡ଼ପ କରାଯାଇଥିବା ଲୋକେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଅଭିଯୋଗ ଅନୁସାରେ, ଗତ ୧୧ ତାରିଖରେ ଛଟେନପାଲିର ସୁଶାନ୍ତ କୁମାର ସେଟଙ୍କୁ ତାଙ୍କ ମା’ କୁମୁଦିନୀ ସେଟ୍ଙ୍କ ରାସନ କାର୍ଡରେ ପରିବାରର ୪ ଜଣଙ୍କ ନାମରେ ୨ ମାସର ୪୦ କେଜି ଚାଉଳ ଦିଆଯାଇଥିଲା। ସେ ଚାଉଳ ନେଇ ଘରକୁ ଆସିବା ପରେ ଗାଁର ମନଭୁଲା ପ୍ରଧାନ, ଚିତ୍ରସେନ ଖଣ୍ଡା, ଧନେଶ୍ବର କାଲୋ, ଜୟକୁମାଛର ସେଟ୍, କାର୍ତ୍ତିକ ପୃଷେଠ ପ୍ରମୁଖ ତାଙ୍କୁ ଭେଟି ସେମାନଙ୍କୁ କମ୍ ଚାଉଳ ଦିଆଯାଇଥିବା ପ୍ରକାଶ କରିଥିଲେ। ଏହା ପରେ ସୁଶାନ୍ତ ସେମାନଙ୍କ ସହ ଚାଉଳ ନେଇ ପଞ୍ଚାୟତକୁ ଯାଇ ନିର୍ବାହୀ ଅଧିକାରୀ ଓ ଯୋଗାଣ ସହାୟକଙ୍କ ସମ୍ମୁଖରେ ଓଜନ କରାଇଥିଲେ। ତାଙ୍କର ୪୦ କେଜି ଚାଉଳ ୩୬ କେଜି ୭ ଶହ ଗ୍ରାମ ହୋଇଥିଲା।

ସେହିପରି ଅନ୍ୟ ୩ ଜଣଙ୍କ ଚାଉଳ ମଧ୍ୟ କମ୍ ଥିବା ଜଣାପଡ଼ିଥିଲା। ଏପରି ସମସ୍ତଙ୍କୁ ଓଜନରେ ଠକେଇ କରାଯାଇଥିବା ଅଭିଯୋଗ ହୋଇଥିଲା। ତେବେ ମେସିନରେ ତ୍ରୁଟି ଥିବା ଦର୍ଶାଇ ନିର୍ବାହୀ ଅଧିକାରୀ ଚାଲି ଯାଇଥିଲେ। ତେବେ ବାକି ଚାଉଳ ଦେବାକୁ ସେମାନେ ଦାବି କରିଥିଲେ। କିନ୍ତୁ ଯୋଗାଣ ସହାୟକ ଚାଉଳ ଦେବାକୁ ମନା କରିଦେଲେ। ୧୨ ତାରିଖରେ ସୁଶାନ୍ତ ଓ ଅନ୍ୟ ହିତାଧିକାରୀମାନେ ଯାଇ ବାକି ଚାଉଳ ଦେବାକୁ କହିଥିଲେ। ସୁଶାନ୍ତ ଚାଉଳ ନମିଳିଲେ ଧାରଣା ଦେବେ ବୋଲି ଧମକ ଦେଲେ। ଏହା ପରେ ବିଡିଓ ସୂଚନା ପାଇ ନିର୍ବାହୀ ଅଧିକାରୀଙ୍କୁ ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଶେଷକୁ ସୁଶାନ୍ତଙ୍କୁ ବାକି ଚାଉଳ ମିଳିଥିଲା। ତେବେ ଓଜନରେ ଠକି ଯାଇଥିବା ଅନ୍ୟ ହିତାଧିକାରୀଙ୍କୁ ଚାଉଳ ଦିଆଯାଇ ନଥିବା ବେଳେ ଏ ତରିକାୁରେ ଚାଉଳ ହଡ଼ପ କରାଯାଉଥିବାରୁ ଛଟେନପାଲି ଗାଁ ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର