ବେଣୀପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟ, ୧୭୦ ପିଲାଙ୍କୁ ୨ ଶିକ୍ଷକ, ୩ ଶ୍ରେଣୀଗୃହ

ଡେରାବିଶ: ବିଦ୍ୟାଳୟର ଭିତ୍ତିଭୂମି ସଜାଡ଼ିବା ଓ ଶିକ୍ଷା ବ୍ୟବସ୍ଥାରେ ସୁଧାର ପାଇଁ ସରକାର ପୁଳାପୁଳା ଯୋଜନା କରୁଛନ୍ତି। ‘୫-ଟି’ରେ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ କରାଯାଉଛି। ହେଲେ ଡେରାବିଶ ବ୍ଲକ୍‌ ବେଣୀପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଓ ଏହାର ଉଜୁଡା ଶିକ୍ଷା ବ୍ୟବସ୍ଥାକୁ ଦେଖିଲେ ଏହାର ଓଲଟା ଚିତ୍ର ସାମ୍ନାକୁ ଆସିଛି। ୮ଟି ଶ୍ରେଣୀର ପିଲା ପଢୁଛନ୍ତି ମାତ୍ର ୩ଟି ଶ୍ରେଣୀଗୃହରେ। ଏକାଧିକ ମୌଳିକ ସୁବିଧାରୁ ବି ବଂଚିତ। ୧୯୩୬ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟର ଇତିହାସ ଗୈାରବମୟ। ବହୁ ପ୍ରତିଭାସମ୍ପନ୍ନ ଓ କୃତି ଛାତ୍ରଛାତ୍ରୀ ସୃଷ୍ଟି କରିଛି ଏହି ବିଦ୍ୟାଳୟ। କିଛି ବର୍ଷ ହେଲା ସରକାର ଓ ଶିକ୍ଷା ବିଭାଗର ବୈମାତୃକ ମନୋଭାବ ଏହି ବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରି ପକାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀର ୧୭୦ଜଣ ଛାତ୍ରଛାତ୍ରୀ ବିଭିନ୍ନ ମୈାଳିକ ସୁବିଧାରୁ ବଂଚିତ ହେଉଛନ୍ତି। ଗୋଟିଏ ଗୃହରେ ଏକାଧିକ ଶ୍ରେଣୀ ଛାତ୍ରଛାତ୍ରୀ ବସି ପଢୁଥିବା ବେଳେ ଏମାନଙ୍କୁ ପଢାଇବା ପାଇଁ ରହିଛନ୍ତି ମାତ୍ର ୨ଜଣ ଶିକ୍ଷକ। ଏତେ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ପାଇଁ ୬ଜଣ ଶିକ୍ଷକଙ୍କ ଆବଶ୍ୟକତା ଥିବା ବେଳେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସ୍କୁଲ ପ୍ରତି ଅଣଦେଖା ଚିନ୍ତାର ବିଷୟ ହୋଇଛି। ୨୦୨୦, ଅଗଷ୍ଟ ରେ ବେଣୀପୁର ଘେରିବନ୍ଧରେ ଘାଇ ହେବା କାରଣରୁ ବିରୁପା ନଦୀର ବନ୍ୟା ପାଣିରେ ବିଦ୍ୟାଳୟରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା।

ବିଦ୍ୟାଳୟ ପରିସରରେ ଥିବା ଏକ ଆଜବେଷ୍ଟସ ଘର ଭାଙ୍ଗିରୁଜି ବିପଦସଙ୍କୁଳ ପାଲଟିଥିବା ବେଳେ ଛାତ୍ର ଓ ଶିକ୍ଷକମାନଙ୍କ ପାଇଁ ଶୈାଚାଳୟ ଓ ପରିଶ୍ରାଗାର ଦବି ଯାଇ ବ୍ୟବହାର ଅନୁପଯୁକ୍ତ ହୋଇ ପଡିଥିଲା। ଏବେ କେବଳ ଛାତ୍ରୀମାନଙ୍କ ପାଇଁ ଶୈାଚାଳୟ ରହିଥିବା ବେଳେ ଛାତ୍ର ଓ ଶିକ୍ଷକମାନେ ଏହି ମୈାଳିକ ସୁବିଧାରୁ ବଂଚିତ ହୋଇ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଅପରପକ୍ଷରେ ବିଦ୍ୟାଳୟର ଡାଇନିଂ ହଲ ନ ଥିବାରୁ ମାଧ୍ୟାହ୍ନଭୋଜନ ଖାଇବା ପାଇଁ ଛାତ୍ରଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ପରିଚାଳନା କମିଟି ସଭାପତି ପ୍ରଦୀପ କୁମାର ସାମଲଙ୍କ ନେତୃତ୍ବରେ ଗ୍ରାମବାସୀ ଓ ଅବିଭାବକମାନେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଓ ପ୍ରଶାସନ ନିକଟରେ ଏହି ବିଦ୍ୟାଳୟର ବିଭିନ୍ନ ଅଭାବ, ଅସୁବିଧା ଓ ଆବଶ୍ୟକତା ନେଇ ଦାବି ଜଣାଇ ଆସୁଛନ୍ତି। ହେଲେ, କେହି ଏଥିପ୍ରତି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି। ଏହି ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ପାଇଁ ଆବଶ୍ୟକ ଶ୍ରେଣୀଗୃହ, ଛାତ୍ର ଓ ଶିକ୍ଷକମାନଙ୍କ ଶୈାଚାଳୟ ଓ ପରିଶ୍ରାଗାର ଏବଂ ଡାଇନିଂ ହଲ ନିର୍ମାଣ ସହିତ ଶିକ୍ଷାଦାନ ବ୍ୟବସ୍ଥାର ଉନ୍ନତି ପାଇଁ ଆବଶ୍ୟକ ଶିକ୍ଷକ ନିଯୁକ୍ତ କରା ନ ଗଲେ ବାଧ୍ୟ ହୋଇ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଅପାଣାଇବେ ବୋଲି ପରିଚାଳନା କମିଟି ସଭାପତି ଶ୍ରୀ ସାମଲଙ୍କ ସମେତ ବେଣୀପୁରବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର