ଭିଜିଲାନ୍ସ ଜାଲରୁ ଖସିଗଲେ ବିଇଓ

ମାର୍ଶାଘାଇ: ଭିଜିଲାନ୍ସ ଜାଲରୁ ଅଳ୍ପକେ ଖସିଗଲେ ବିଇଓ | ଲାଞ୍ଚ ଟଙ୍କା ନେବାବେଳେ ଭିଜିଲାନ୍ସ ପହଞ୍ଚିଥିଲେ ବି ଚକମା ଦେଇ ବ୍ଲକ ଶିକ୍ଷା ଅଧିକାରୀ ଫେରାର ହୋଇଯାଇଛନ୍ତି | କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କିଛି ଏଭଳି ଘଟିଛି | ମିଳିଥିବା ସୂଚନା ମୁତାବକ ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ କରାଇଦେବାକୁ କହି ବିଇଓ ଶତ୍ରୁଘ୍ନ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ | ଏହି ଅଫିସରେ ପୂର୍ବରୁ ସେକ୍ସନ ଅଫିସର ଭାବେ କାର୍ଯ୍ୟ କରୁଥିବା ଭଞ୍ଜ କିଶୋର ନାୟକଙ୍କ ଫାଇଲ ପାସ ନ କରାଇ ବିଇଓ ବାରମ୍ବାର ଲାଞ୍ଚ ମାଗୁଥିଲେ |

ଆଉ ଭଞ୍ଜକିଶୋର ଏନେଇ ଭିଜିଲାନ୍ସ ଅଧିକାରୀମାନଙ୍କୁ ଜଣାଇଥିଲେ | ପୂର୍ବ ଯୋଜନା ମୁତାବକ ଆଜି ଭଞ୍ଜକିଶୋର କେମିକାଲ ବୋଳା ହୋଇଥିବା ଟଙ୍କା ନେଇ ବିଇଓଙ୍କୁ ଦେଇଥିଲେ | ଏହି ସମୟରେ ଭିଜିଲାନ୍ସ ଅଧିକାରୀମାନେ କାର୍ଯ୍ୟାଳୟରେ ପହଞ୍ଚିଯାଇଥିଲେ | ସେମାନଙ୍କୁ ଦେଖି ବିଇଓ ଶତ୍ରୁଘ୍ନ ବେହେରା ପଛ ଦ୍ୱାର ଦେଇ ଫେରାର ହୋଇଯାଇଥିଲେ | ତେବେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ଟେବୁଲ ଡ୍ର ରୁ ୨୦ ହଜାର ଟଙ୍କା ଜବତ କରିଥିଲେ | ଏହି ଘଟଣାରେ ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ କାର୍ଯ୍ୟାନୁଷ୍ଠାନ ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଦିଆଯାଇଛି|

ସମ୍ବନ୍ଧିତ ଖବର