ଜୟପୁର: ଜରାଜୀର୍ଣ୍ଣ ଓ ବିପଦସଙ୍କୁଳ କୋଠାରେ ଚାଳିଛି ଜୟପୁର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ(ବିଇଓ)ଙ୍କ କାର୍ଯ୍ୟାଳୟ। ଅସରାଏ ବର୍ଷାରେ କାର୍ଯ୍ୟାଳୟର ଛାତ ଓ ଝରକା ଗୁଡିକରୁ ପାଣି ଗଳୁଥିବା ବେଳେ ଛାତରୁ ପଲସ୍ତର ଖସୁଥିବାରୁ ଆହତ ହେଉଛନ୍ତି ଏଠାରେ କାର୍ଯ୍ୟରତ କର୍ମଚାରୀ। ବାରମ୍ବାର ପୂର୍ତ୍ତ ବିଭାଗକୁ ଚିଠି ଦେବା ସତ୍ତ୍ବେ ପୂର୍ତ୍ତ ବିଭାଗବି ଏହାର ମରାମତି କରିବାକୁ ଗୁରୁତ୍ବ ଦେଇନି। ସୂଚନାଅନୁଯାୟୀ, ୪୦ବର୍ଷ ତଲେ ଜିଲ୍ଲା ଶିକ୍ଷା ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ଏହା ଏବେ ବିଇଓ କାର୍ଯ୍ୟାଳୟରେ ରୁପାନ୍ତରିତ ହୋଇଛି। ରକ୍ଷଣାବେକ୍ଷଣ ଓ ଦେଖାରଖା ଅଭାବରୁ ସଂପ୍ରତି ଦିନକୁ ଦିନ ଏହି କୋଠଟି ଜରାଜୀର୍ଣ୍ଣ ହୋଇ ପଡ଼ିଲାଣି। କୋଠାର ସମ୍ମୁଖ ଟେରେସର ଅବସ୍ଥା ନ କହିବା ଭଲ। କୋଠାରୁ ବହୁ ବାର ଝରକା, ଛାତର ପଲସ୍ତର ଖସି ପଡ଼ୁଛି। କେତେବେଳେ କର୍ମଚାରୀଙ୍କ ଉପରେ ତ ଆଉ କେତେବେଳେ ସେମାନେ କାମ କରୁଥିବା କମ୍ପୁଟର ଆଦି ଉପରେ ।

Advertisment

ଅପରପକ୍ଷରେ ସାମାନ୍ୟ ବର୍ଷା ହେବା ମାତ୍ରକେ କାର୍ଯ୍ୟାଳୟ ପରିସରରେ କୃତ୍ରିମ ପୋଖରୀ ଭଳି ପାଣି ଜମା ହୋଇଥିବା ଦେଖିବାକୁ ମିଳୁଛି। ସବୁ କାନ୍ଥ ଗୁଡିକରେ ପାଣି ଜମି ସନ୍ତସନ୍ତିଆ ହୋଇ ପଡ଼ିଛି। ପୂର୍ବରୁ ଡିଆଇ କାର୍ଯ୍ୟାଳୟ ଥିବାରୁ ରାଜ୍ୟ ସରକାର ବି ଏଠାରେ ନୂଆ ବିଇଓ କାର୍ଯ୍ୟାଳୟ ଖୋଲିବା ପାଇଁ ଅନୁଦାନ ବି ଦେଇ ନାହାନ୍ତି। ପାଣି ଗଳିବା ସମସ୍ୟା ଏବେକାର ନୁହେଁ। ଗତ ୭ବର୍ଷ ହେବ ୨୦୧୬ରୁ ଏହି ସ୍ଥିତି ଲାଗି ରହିଛି। ୧୧ଟିଚିଠି ପୂର୍ତ୍ତ ବିଭାଗକୁ ଦେବା ପରେ ବି ସମସ୍ୟାର ସମାଧାନ ହୋଇ ପାରିନି। ଗତ ୨୦୨୧ମସିହାରେ ପୂର୍ତ୍ତବିଭାଗ ପକ୍ଷରୁ ଆସି ଏହାର ମରାମତି ପାଇଁ ୧୮ଲକ୍ଷ ଖର୍ଚ୍ଚ ହେବ ବୋଲି ଖସଡା ଓ ଅଣୁଯୋଜନା ପ୍ରସ୍ତୁତ କରି ଶିକ୍ଷାବିଭାଗକୁ ଦେଇଥିଲେ। ଶିକ୍ଷାବିଭାଗ ବି ଏହି ଟଙ୍କା ଦେବାକୁ ଅନୁମୋଦନ କରିଥିଲେ।

ପରବର୍ତ୍ତୀ ସମୟରେ ପୂର୍ତ୍ତବିଭାଗ ଏହାକୁ ଧରି ଏହାର ପୁନଃରୁଦ୍ଧାର କରିବା କଥା କିନ୍ତୁ କିଛି କରିଲେ ନାହିଁ। ଅପରପକ୍ଷରେ ଦିନକୁ ଦିନ କୋଠାର ଅବସ୍ଥା ଖରାପ ହେବା ସହ ଛାତ ଓ ପାର୍ଶ୍ବରେ ଲତାବୁଦା ବି ଉଠିଗଲାଣି। ପଲସ୍ତର ଖସୁଥିବାରୁ କର୍ମଚାରୀ ମାନେ ଭୟଭୀତ ଅବସ୍ଥାରେ ସ୍ଥାନ ପରିବର୍ତ୍ତନ କରି କାମ କରୁଛନ୍ତି। କାର୍ଯ୍ୟାଳୟରେ ପୂର୍ବରୁ ଲାଗିଥିବା ବହୁ ଝରକାକୁ ସମ୍ପୂର୍ଣ୍ଣ ରୁପେ ଚୋରୀ ଭୟରେ ବନ୍ଦ କରାଯାଇଛି। ରେକର୍ଡ ରୁମରେ ପାଣି ପଶିଯିବା ଭୟ ବି କର୍ମଚାରୀଙ୍କୁ ଘାରିଛି। ଅପରପକ୍ଷରେ ସାହିର କିଛି ଅସମାଜିକ ଦୁର୍ବତ୍ତ ମାନେ ମଧ୍ୟ ଚୋରି କରିବାକୁ ଉଦ୍ୟମ ବି କରି ଆସୁଛନ୍ତି। ଏଭଳିକି ଛାତ ଉପରରେ ଥିବା ପାଣିଟାଙ୍କିରେ ପସି କିଛି ପିଲା ଗାଧେଇବା ଏବଂ ପଚାରିବାରେ ଅସଭ୍ୟଭାଷାରେ ଗାଳିଗୁଳଜ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହା ପରେ ଏବେ କାର୍ଯ୍ୟାଳୟର ପାଣିଟାଙ୍କିକୁ ବିଇଓଙ୍କ ଚାମ୍ବର ମଧ୍ୟରେ ଲୁଛାଇ ରଖାଯାଇଛି। ଏହା ପରିସରରେ ବିଇଓଙ୍କ ସହ ଅନ୍ୟ କର୍ମଚାରୀ ମାନେ ରହି କାମ କରୁଥିବା ବେଳେ ଦୁଇ ଶହରୁ ଉର୍ଦ୍ଧ୍ବ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଭିନ୍ନ କାମ ପାଇଁ ଯିବା ଆସିବା ବି କରୁଛନ୍ତି। ବହୁ ସମୟରେ ବିଭିନ୍ନ ସଚେତନତା ବୈଠକ, ତାଲିମ ଶିବିର ବି ଏହା ପରିସରରେ କରାଯାଉଛି। ତେବେ କିଛି ଅଘଟଣ ପୂର୍ବରୁ ପ୍ରଶାସନ ଦୃଷ୍ଟି ଦେବାର ନିହାତି ଆବଶ୍ୟକତା ରହିଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଇପାଇଛି।