ପୁଣି ଚର୍ଚ୍ଚାରେ ବ୍ରହ୍ମପୁର ବାଳସୁଧାର ଗୃହ; ମହିଳା କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଅଭିଯୋଗ

ଡିଏସ୍‌ଡବ୍ଲୁଓଙ୍କ ନେତୃତ୍ବରେ ୫ ଜଣିଆ ଟିମ୍‌ର ତଦନ୍ତ, ବୟାନ୍‌ ରେକର୍ଡ଼

ବ୍ରହ୍ମପୁର : ବ୍ରହ୍ମପୁର ଜରଡ଼ା ବଙ୍ଗଳା ରାସ୍ତାରେ ଥିବା ବାଳସୁଧାର ଗୃହ ପୁଣିଥରେ ଏକ ଲଜ୍ଜାଜନକ ଅଭିଯୋଗକୁ ନେଇ ଚର୍ଚ୍ଚାକୁ ଆସିଛି। ଗୃହରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯିବା ସହ ଅସଦ୍‌ବ୍ୟବହାର ଭଳି ସଙ୍ଗିନ୍‌ ଅଭିଯୋଗ ହୋଇଛି। ଏହି ଅଭିଯୋଗର ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ(ଡିଏସ୍‌ଡବ୍ଲୁଓ)ଙ୍କ ନେତୃତ୍ବରେ ଗଠିତ ଏକ ୫ଜଣିଆ ଟିମ୍‌ ବାଳ ସୁଧାର ଗୃହକୁ ଯାଇ ଘଟଣାର ତଦନ୍ତ କରିଛନ୍ତି। ଏହା ସହିତ ଅଭିଯୋଗକାରୀ ମହିଳା କର୍ମଚାରୀଙ୍କ ସମେତ ଅନ୍ୟମାନଙ୍କ ବୟାନ୍‌ ରେକର୍ଡ଼ କରା ଯାଇଥିବା ସୂଚନା ମିଳିଛି। ତଦନ୍ତ ସରିବା ପରେ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରାଯିବ ବୋଲି ଜଣାପଡ଼ିଛି।
ବାଳ ସୁଧାର ଗୃହରେ ବିଭିନ୍ନ ଜିଲ୍ଲାର ବାଳ ଅପରାଧୀଙ୍କୁ ରଖାଯାଇଥାଏ। ସେଠାରେ କାର୍ଯ୍ୟରତ ଥିବା ଜଣେ ମହିଳା କର୍ମଚାରୀଙ୍କୁ ଗତ କିଛି ମାସ‌ ତଳେ ଜଣେ ପୁରୁଷ କର୍ମଚାରୀ ବିଭିନ୍ନ କାରଣକୁ ନେଇ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଏପରିକି ତାଙ୍କୁ ଅସଦ୍‌ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଥିଲା। ବାରମ୍ବାର ମହିଳା କର୍ମଚାରୀ ଜଣକ ନିର୍ଯାତନାର ଶିକାର ହେବାରୁ ଶେଷରେ ସେ ତାଙ୍କ ସ୍ବାମୀଙ୍କ ସହିତ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ। ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍‌ଙ୍କ ନିର୍ଦ୍ଦେଶ କ୍ରମେ ଏକ ତଦନ୍ତକାରୀ ଦଳ ଗଠନ କରା ଯାଇଥିଲା। ଡିଏସ୍‌ଡବ୍ଲୁଓ ଶୁଭଶ୍ରୀ ପାତ୍ରଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କେଉଁ କାରଣ ପାଇଁ ମହିଳା କର୍ମଚାରୀଙ୍କୁ ଜଣେ ପୁରୁଷ କର୍ମଚାରୀ ହଇରାଣ ହରକତ କରିଥିଲେ ସେ ଦିଗରେ ତଦନ୍ତ ଜାରି ରଖିଛି। ଏ ନେଇ ତଦନ୍ତକାରୀ ଟିମ୍‌ ଗତକାଲି ବାଳ ସୁଧାର ଗୃହରେ ପହଞ୍ଚି ଅନ୍ୟ କର୍ମଚାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ଡିଏସ୍‌ଡବ୍ଲୁଓ କହିଛନ୍ତି, ଜଣେ ମହିଳା କର୍ମଚାରୀଙ୍କ ଅଭିଯୋଗ ଉପରେ ତଦନ୍ତ ଆରମ୍ଭ ହୋଇଛି। ବର୍ତ୍ତମାନ ତଦନ୍ତ ଜାରି ରହିଛି। ତଦନ୍ତ ସରିବା ପରେ ଜିଲ୍ଲାପାଳଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି କହିଛନ୍ତି।
 ପ୍ରକାଶ ଥାଉ ପୂର୍ବରୁ ମଧ୍ୟ ସମ୍ପୃକ୍ତ ପୁରୁଷ କର୍ମଚାରୀଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆସିଥିଲା। ହେଲେ ସେ ସମୟରେ ହୋଇଥିବା ତଦନ୍ତରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏବେ ପୁଣିଥରେ ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆସିଛି। ବାଳ ସୁଧାର ଗୃହରେ ପୂର୍ବରୁ ନାନା କାଣ୍ଡ ଘଟି ସାରିଛି। ଜଣେ ଅନ୍ତେବାସୀଙ୍କୁ ତାଙ୍କ ପରିବାରବର୍ଗଙ୍କ ସହିତ କଥା କରାଇ ଦେବା ନାଁରେ ଜଣେ କର୍ମଚାରୀ ଶହେ ଟଙ୍କା ଲାଞ୍ଚ ମାଗିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଥିଲା। ବାଳସୁଧାର ଗୃହରେ କାମ କରୁଥିବା ଜଣେ କର୍ମଚାରୀ ଦୁଇଟି ସରକାରୀ ଅଫିସ୍‌ରୁ ଦରମା ନେବା ଘଟଣାର ତଦନ୍ତ କରାଯାଇ ସମ୍ପୃକ୍ତ କର୍ମଚାରୀଙ୍କୁ ବହିଷ୍କୃତ କରାଯାଇଥିଲା। ଅପରପକ୍ଷରେ ବାଳ ସୁଧାର ଗୃହରୁ ଅନ୍ତେବାସୀମାନେ କର୍ମଚାରୀଙ୍କୁ ଆକ୍ରମଣ କରି ବାରମ୍ବାର ଚମ୍ପଟ ମାରିବା ଘଟଣା ମଧ୍ୟ ବିଗତ ଦିନରେ ଘଟିଛି। ଯାହାକୁ ନେଇ ବାଳ ସୁଧାର ଗୃହ ଅଧିକାଂଶ ସମୟ ଚର୍ଚ୍ଚାରେ ରହି ଆସିଛି।
ସମ୍ବନ୍ଧିତ ଖବର