ବ୍ରହ୍ମପୁର ବଡ଼ ଡାକ୍ତରଖାନା: ୪ବର୍ଷରେ ୨୪୯୭ ଅପମୃତ୍ୟୁ ମାମଲା

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସ୍ବାସ୍ଥ୍ୟକେନ୍ଦ୍ର ବ୍ରହ୍ମପୁର ବଡ଼ ଡାକ୍ତରଖାନା। ଦକ୍ଷିଣ ଓଡ଼ିଶାବାସୀ ସମେତ ପଡ଼ୋଶୀ ଆନ୍ଧ୍ର ସୀମାନ୍ତ ଇଲାକାରେ ରହୁଥିବା ଲୋକେ ସ୍ବାସ୍ଥ୍ୟସେବା ପାଇଁ ବଡ଼ ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ପ୍ରତିଦିନ ହଜାର ହଜାର ରୋଗୀ ଚିକିତ୍ସାସେବା ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆସିଥାନ୍ତି। ସେହିପରି ବିଭିନ୍ନ ସରକାରୀ ଡାକ୍ତରଖାନାରୁ ମଧ୍ୟ ରୋଗୀ ଏଠାକୁ ରେଫର୍‌ ହୋଇଥାନ୍ତି। ବିଭିନ୍ନ ଦୁର୍ଘଟଣାରେ ଆହତ ହୋଇଥିବା ରୋଗୀଙ୍କ ଚିକିତ୍ସା ପାଇଁ ୨୪ଘଣ୍ଟିଆ କାଜୁଆଲ୍‌ଟି ବ୍ୟବସ୍ଥା ରହିଛି। ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ସେହିପରି ବିଭିନ୍ନ କାରଣ ଯୋଗୁଁ ଲୋକେ ଆତ୍ମହତ୍ୟା ଉଦ୍ୟମ କରୁଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିବା ପରେ ବଡ଼ ଡାକ୍ତରଖାନା ଫାଣ୍ଡିରେ ଅପମୃତ୍ୟୁ ମାମଲା ରୁଜୁ ହେଉଛି। ଗତ ୪ବର୍ଷ ମଧୢରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ଫାଣ୍ତିରେ ୨୪୯୭ଟି ଅପମୃତ୍ୟୁ ମାମଲା ରୁଜୁ ହୋଇ ସାରିଲାଣି। ୨୦୨୦ରେ ଅପମୃତ୍ୟୁ ମାମଲା ୬୧୨ ରହିଥିବା ବଡ଼ ଡାକ୍ତରଖାନା ଫାଣ୍ଡି ସୂତ୍ରରୁ ପ୍ରକାଶ।

ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ବିଭିନ୍ନ ଜିଲ୍ଲାରୁ ରୋଗୀ ରେଫର‌୍‌ ହୋଇ ଆସିଥାନ୍ତି। ପୁଣି ପ୍ରତିଦିନ ବିଭିନ୍ନ ଦୁର୍ଘଟଣାରେ ଲୋକ ଗୁରୁତର ହୋଇ ଏଠାକୁ ଚିକିତ୍ସା ପାଇଁ ଆସିଥାନ୍ତି। ତନ୍ମଧ୍ୟରେ ସଡ଼କ ଦୁର୍ଘଟଣା, ସାପ କାମୁଡ଼ା, ବିଷପିଇ ଗୁରୁତର ସହିତ ବିଭିନ୍ନ ଆକସ୍ମିକ ଦୁର୍ଘଟଣାରେ ଗୁରୁରତ ହୋଇଥିବା ରୋଗୀ ରହିଛନ୍ତି। ଡାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗୀଙ୍କ ଚିକିତ୍ସା କରାଯାଇଥାଏ। ଯଦି ସମ୍ପୃକ୍ତ ରୋଗୀ ଚିକିତ୍ସାଧୀନ ଅବସ୍ଥାରେ କିମ୍ବା ଡାକ୍ତରଖାନା ଆସୁଥିବା ବେଳେ ରାସ୍ତାରେ ମୃତ୍ୟୁବରଣ କରନ୍ତି ତେବେ ପୁଲିସ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରିଥାଏ। ମୃତ୍ୟୁର କାରଣ ସ୍ପଷ୍ଟ କରିବା ପାଇଁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥାଏ। ଏଥିପାଇଁ ବଡ଼ ଡାକ୍ତରଖାନାରେ ଏକ ପୁଲିସ ଫାଣ୍ତି ରହିଛି।

ବଡ଼ ଡାକ୍ତରଖାନାର ସ୍ବାସ୍ଥ୍ୟସେବାରେ ଉନ୍ନତି ଆଣିବା ପାଇଁ ସରକାର ବହୁ ଯୋଜନା କରି ନୂତନ କୋଠାମାନ ତିଆରି କରିଛନ୍ତି। କିନ୍ତୁ ଏବେ ବି ଏମିତି କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ରହିଛି ଯାହାକି ଅବହେଳିତ ହୋଇ ରହି ଯାଇଛି। ଟ୍ରମା କେୟାର‌୍‌ ସେଣ୍ଟର‌୍‌ରୁ ଉନ୍ନତମାନର ସେବା ମିଳିପାରୁ ନାହିଁ ବୋଲି ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ମୁଣ୍ଡରେ ଆଘାତ ହୋଇ ଆସୁଥିବା ରୋଗୀ ଉନ୍ନତମାନର ଚିକିତ୍ସା ସୁବିଧା ପାଇପାରୁ ନାହାନ୍ତି। ଟ୍ରମା କେୟାର୍‌ ସେଣ୍ଟର୍‌ ପାଇଁ ଆବଶ୍ୟକ ଥିବା ନ୍ୟୁରୋସର୍ଜରୀ ଭଳି ସ୍ପେସାଲିଷ୍ଟ ମିଳୁ ନାହାନ୍ତି। ଫଳରେ ଜଟିଳ ଅସ୍ତ୍ରୋପଚାର ସମ୍ଭବ ହୋଇପାରୁ ନାହିଁ। ଏଣୁ ବିଭିନ୍ନ ସମୟରେ ରୋଗୀ ମୃତ୍ୟୁବରଣ କରୁଛନ୍ତି। ନିଆଁରେ ପୋଡ଼ି ଗୁରୁତର ହେଉଥିବା ରୋଗୀଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ବର୍ନ କେୟାର‌୍‌ ୟୁନିଟ୍‌ର ସୁବିଧା ମଧ୍ୟ ନାହିଁ। ବର୍ନ କେୟାର‌୍‌ ୟୁନିଟ୍‌ ନଥିବାରୁ ନିଆଁରେ ପୋଡ଼ି ଯାଇଥିବା ରୋଗୀ ସାଧାରଣ ଵାର୍ଡରେ ଚିକିତ୍ସିତ ହେଉଛନ୍ତି। ଆବଶ୍ୟକ ଚିକିତ୍ସା ସୁବିଧା ନମିଳିବାରୁ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ଘଟୁଛି। ପିଏମ୍‌ଏସ୍‌ଏସ୍‌ୱାଇରେ ତିଆରି ସୁପର୍‌ସ୍ପେସାଲିଟି ବ୍ଲକ୍‌ରେ ବର୍ନ କେୟାର୍‌ ୟୁନିଟ୍‌ ରହିଛି। ତାହା କାର୍ଯ୍ୟକ୍ଷମ ହେବା ପରେ ନିଆଁରେ ପୋଡ଼ି ଗୁରୁତର ରୋଗୀଙ୍କୁ ସ୍ବତନ୍ତ୍ର ଚିକିତ୍ସା ସୁବିଧା ମିଳିବ। ଏହା‌ଦ୍ବାରା ରୋଗୀ ଉପକୃତ ହେବେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏହି ବ୍ଲକ୍‌ କେବେ ଉଦ୍‌ଘାଟନ ହେବ ତା’ର କିଛି ସଠିକ୍‌ ସୂଚନା ମିଳିପାରୁ ନାହିଁ।

୪ବର୍ଷର ଅପମୃତ୍ୟୁ ସଂଖ୍ୟା
ବର୍ଷ ମାମଲା
୨୦୧୭: ୫୬୭
୨୦୧୮: ୬୩୮
୨୦୧୯: ୬୮୦
୨୦୨୦: ୬୧୨

ସମ୍ବନ୍ଧିତ ଖବର