ବ୍ରହ୍ମପୁରରେ ଚାଞ୍ଚଲ୍ୟ; ମନ୍ଦିରରେ ଯୁବକଙ୍କୁ ପଥରରେ ଛେଚି ହତ୍ୟା

ସାଇଣ୍ଟିଫିକ୍ ଟିମ୍ ତଦନ୍ତ, ୩ ସନ୍ଦିଗ୍ଧ ଅଟକ

ବ୍ରହ୍ମପୁର: ରକ୍ତରଂଜିତ ହୋଇଛି ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ପୁରୁଣା ବ୍ରହ୍ମପୁର ମେଣ୍ଟୁଛକ ନିକଟସ୍ଥ ରାଧାକୃଷ୍ଣ ମନ୍ଦିର। ମନ୍ଦିର ପରିସରରେ ଘଟିଛି ଏକ ନିର୍ମମ ହତ୍ୟାକାଣ୍ଡ। ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ପଥରରେ ଛେଚି ହତ୍ୟା କରିଛନ୍ତି। ଏହି ଘଟଣା ବ୍ରହ୍ମପୁର ସହରରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ଘଟଣା ଶୁଣିବା ପରେ ଲୋକଙ୍କ ମଧ୍ୟରେ ଷ୍ଟୋନମ୍ୟାନ୍ ଚର୍ଚ୍ଚା ଦେଉଥିବା ଦେଖିବାକୁ ମିଳିଛି।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଛି। ମୃତ ଯୁବକଙ୍କ ନାମ କାଳିଆ ସାହୁ(୩୦) ବୋଲି ବଡ଼ ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ସୂଚନା ଦେଇଛନ୍ତି। ତାଙ୍କର ଘର ଜେନାସାହିରେ ବୋଲି ପୁଲିସ ତଦନ୍ତରେ ଜଣାପଡ଼ିଛି। ଏ ନେଇ ବଡ଼ ବଜାର ଥାନାରେ କେସ୍ ନମ୍ବର ୧୯୬/୨୦ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ପ୍ରତିଦିନ ଭଳି ଗତକାଲି ରାତିରେ ପୂଜକ ମନ୍ଦିର ଫାଟକରେ ତାଲା ଦେଇ ଘରକୁ ଯାଇଥିଲେ। ରାତିରେ ମନ୍ଦିରର ଜଗୁଆଳି ଆସିଥିଲେ। ବିଳମ୍ବିତ ରାତିରେ ମନ୍ଦିର ପରିସରରେ ଥିବା ରୋଷେଇଶାଳର ବାରଣ୍ଡାରେ ଜଣେ ଯୁବକଙ୍କ ରକ୍ତାକ୍ତ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ନେଇ ତୁରନ୍ତ ସେ ମନ୍ଦିର ଟ୍ରଷ୍ଟିଙ୍କୁ ଖବର କରିଥିଲେ। ମନ୍ଦିର ଟ୍ରଷ୍ଟି ଘଟଣାସ୍ଥଳରେ ପହଞ୍ଚିଥିଲେ। ଯୁବକଙ୍କ ଶବ ଦେଖି ସେ ପୁଲିସକୁ ଖବର କରିଥିଲେ।

ଭୋର୍ ସମୟରେ ବଡ଼ ବଜାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଟାଉନ୍ ଏସ୍ଡିପିଓ ବିଷ୍ଣୁପ୍ରସାଦ ପତି, ବଡ଼ ବଜାର ଥାନା ଅଧିକାରୀ ପ୍ରମୁଖ ତଦନ୍ତ ଆରମ୍ଭ କରିଥିଲେ। କାଳିଆଙ୍କ ମା’ବାସନ୍ତୀ ସାହୁ ପୁଅର ଶବ ଚିହ୍ନଟ କରିଛନ୍ତି।

କାଳିଆ କିଛିଦିନ ହେଲା ମନ୍ଦିରରେ ରଙ୍ଗ ଦେବା କାମ କରୁଥିଲେ। ରାତିରେ ସେ ମନ୍ଦିର ପରିସରରେ ହିଁ ଶୋଇ ପଡ଼ୁଥିଲେ ବୋଲି ପୁଲିସ କହିଛି। ପୁଲିସ କାଳିଆଙ୍କ ଶବ ନିକଟରୁ ଦୁଇଟି ରକ୍ତଲଗା ସିମେଣ୍ଟ ଇଟା ଜବତ କରିଛି। ତାଙ୍କ ମୁଣ୍ଡକୁ ସେହି ଇଟାରେ ଛେଚି ହତ୍ୟା କରାଯାଇଥିବା ପୁଲିସ ସନ୍ଦେହ କରୁଛି। ଘଟଣାସ୍ଥଳରୁ ଏକ ଗଂଜେଇ ଚିଲମ, ଦିଆସିଲି ମଧ୍ୟ ଜବତ ହୋଇଛି।

ଗତରାତି କାଳିଆ ସହିତ କିଛି ଯୁବକ ଗଂଜେଇ ଟାଣିବା ପରେ କୌଣସି ଏକ କଥାକୁ ନେଇ ଗଣ୍ଡଗୋଳର ସୂତ୍ରପାତ ହୋଇଥିବା ନେଇ ପୁଲିସ ଅନୁମାନ କରୁଛି। ଏହାପରେ ସେହି ଯୁବକମାନେ କାଳିଆଙ୍କ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି। ଗତକାଲି ରାତିରେ କାଳିଆ ସହିତ ଥିବା ସେହି ୩ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର