‘ସମ୍ବାଦ’ ପ୍ରଭାବ: ଅଗ୍ରିମ ଟଙ୍କା ତୁରନ୍ତ ଫେରାଇବାକୁ ଭବାନୀପାଟଣା ପୌରାଞ୍ଚଳର ତନାଘନା

୪୨ ଜଣଙ୍କ ଠାରୁ ୪୭.୪୯ ଲକ୍ଷ ଟଙ୍କା ଫେରସ୍ତ ପାଇଁ ଚିଠି

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌରାଞ୍ଚଳରେ ସରକାରୀ ବାବୁମାନେ ୩ କୋଟି ୪୪ ଲକ୍ଷରୁ ଅଧିକ ଟଙ୍କା ଅଗ୍ରିମ ନେଇ ଖର୍ଚ୍ଚ କରୁନାହାନ୍ତି। ଏହି ଅଗ୍ରିମ ଟଙ୍କା ଖର୍ଚ୍ଚ ହେଉନଥିବା ଓ ଫେରୁ ନଥିବା ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ପୌରା ପରିଷଦ ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ସେମାନଙ୍କଠାରୁ ପ୍ରାୟ ସାଢ଼େ ୪୭ ଲକ୍ଷ ଟଙ୍କା ଅନୁଦାନ ଫେରସ୍ତ ପାଇଁ ପୂର୍ବ ନିର୍ବାହୀ ଅଧିକାରୀ, ସିନିୟର ଆସିଷ୍ଟାଣ୍ଟ, ଜୁନିୟର ଆସିଷ୍ଟାଣ୍ଟ ଓ ଜୁନିୟର ଇଂଜିନିୟର ସମେତ ୪୨ ଜଣଙ୍କୁ ନିର୍ଦେଶ ଦିଆଯାଇଛି।

ପ୍ରକାଶ ଯେ, ଭବାନୀପାଟଣା ପୌରାଞ୍ଚଳରେ ଗତ ୨୦୧୯ ଏପ୍ରିଲ ୧ ତାରିଖ ସୁଦ୍ଧା ୩ କୋଟି ୪୪ ଲକ୍ଷ ୬୪ ହଜାର ୯୫୯ ଟଙ୍କା ବିଭିନ୍ନ ସରକାରୀ ବାବୁମାନଙ୍କ ନାମରେ ଅଗ୍ରିମ ନିଆଯାଇଥିଲା। ଚଳିତ ବର୍ଷ ୪ କୋଟି ୪୬ ଲକ୍ଷ ୪୭ ହଜାର ୨୦୮ ଟଙ୍କା ଅଗ୍ରିମ ନେଇଛନ୍ତି। ସମୁଦାୟ ୭ କୋଟି ୯୧ ଲକ୍ଷ ୧୨ ହଜାର ୧୬୭ ଟଙ୍କା ଅଗ୍ରିମ ଅର୍ଥ ପଡ଼ି ରହିଥିଲା। ଅଗ୍ରିମ ଟଙ୍କା ଫେରୁନଥିବା ଯୋଗୁଁ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇ ପାରୁନଥିଲା। ଫଳରେ ପୌରା ପରିଷଦ ପକ୍ଷରୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ ନେଇ ପ୍ରତିବନ୍ଧକ ସୃଷ୍ଟି ହେଉଥିଲା। ବର୍ତ୍ତମାନ ଖବର ପ୍ରକାଶିତ ହେବା ପରେ ବିଭାଗ ପକ୍ଷରୁ ତନାଘନା ଆରମ୍ଭ ହୋଇଥିଲା। ପୌରା ପରିଷଦ ପକ୍ଷରୁ ୭ କୋଟି ୪୭ ଲକ୍ଷ ୬୨ ହଜାର ୨୦୦ ଟଙ୍କା ଆଡ଼ଜଷ୍ଟ ହୋଇଥିବା ‘ସମ୍ବାଦ’କୁ ସୂଚନା ଦିଆଯାଇଛି। ସେହିଭଳି ୪୭ ଲକ୍ଷ ୪୯ ହଜାର ୯୬୭ ଅଗ୍ରିମ ଟଙ୍କା ଏବେ ମଧ୍ୟ ବିଭିନ୍ନ ଅଧିକାରୀଙ୍କ ପାଖରେ ପଡ଼ି ରହିଛି। ଏହି ଅଧିକାରୀମାନେ ଏଠାରୁ ଅନ୍ୟତ୍ର ବଦଳି ହୋଇଥିବା ବେଳେ କିଛି କର୍ମଚାରୀ ଅବସର ମଧ୍ୟ ଗ୍ରହଣ କରିସାରିଛନ୍ତି। ଏନେଇ ଭବାନୀପାଟଣା ପୌରପରିଷଦ ପକ୍ଷରୁ ଚିଠି ନଂ ୩୦୧୮ ତା ୭.୧୨.୨୦୨୦ ରେ ପୂର୍ବ ନିର୍ବାହୀ ଅଧିକାରୀ, ପୂର୍ବ ଜୁନିୟର ଆସିଷ୍ଟାଣ୍ଟ, ପୂର୍ବ ସିନିୟର ଆସିଷ୍ଟାଣ୍ଟ, ପୂର୍ବ କନିଷ୍ଠ ଯନ୍ତ୍ରୀ ସମେତ ୪୨ ଜଣଙ୍କୁ ନିର୍ବାହୀ ଅଧିକାରୀ ତୁରନ୍ତ ଅଗ୍ରିମ ଟଙ୍କାର ହିସାବ ଦେବା ଓ ଫେରସ୍ତ ପାଇଁ ଚିଠି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ୧୦ ବର୍ଷରୁ ଅଧିକ ହେଲା ଅଗ୍ରିମ ଟଙ୍କା ଗଡ଼ି ଚାଲିଥିବା ବେଳେ ବର୍ତ୍ତମାନ ଫେରସ୍ତ ପାଇଁ କେବେ କାର୍ଯ୍ୟନୁଷ୍ଠାନ ହେବ ସହରବାସୀଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି। ସହରର ୨୦ଟି ୱାର୍ଡରେ ଉନ୍ନୟନ ଅନୁଦାନ ସମୁଦ୍ରକୁ ଶଙ୍ଖେ ଥିବା ବେଳେ ଜିଲ୍ଲା ପ୍ରଶାସନ ଏନେଇ ଚୁପ ପଡ଼ିବା ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଡିଟ ରିପୋର୍ଟରେ ବାରଂବାବାର ଅଗ୍ରିମ ଟଙ୍କା କଥା ରିପୋର୍ଟ ଦିଆଯାଉଥିଲେ ମଧ୍ୟ ବିଭାଗ ନିରବ ରହୁଥିଲା। ଏନେଇ ନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ରଙ୍କୁ ପଚାରିବାରୁ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ୪୭ ଲକ୍ଷ ୪୯ ହଜାର ୯୬୭ ଟଙ୍କା ଅଗ୍ରିମ ବକେୟା ଜମା କରିବାକୁ ୪୨ ଜଣଙ୍କୁ ଚିଠି କରାଯାଇଛି ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର