ଭଦ୍ରକରେ ୨୬ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ,୨ ଗିରଫ 

ଭଦ୍ରକ: ଭଦ୍ରକର ସହରରୁ ଆଜି ୨୬ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର ପୁଲିସ ଜବତ କରିଥିବା ବେଳେ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଭଦ୍ରକର ପୁରୁଣାବଜାର ଥାନା ଅନ୍ତର୍ଗତ ନଂଘାମହଲା ଓ ସନ୍ଥିଆ ସାଳନ୍ଦୀ ବ୍ରିଜ୍ ନିକଟରୁ ଦୁଇ ଜଣ ବ୍ରାଉନ ସୁଗାର ଚୋରା ବେପାରୀଙ୍କୁ ସନ୍ଦେହଜନକ ଅବସ୍ଥାରେ କାବୁ କରି ନେଇଥିଲା। ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କଠାରୁ ୨୬୦ ଗ୍ରାମ ଓଜନର ବ୍ରାଉନ ସୁଗାର ଜବତ କରାଯାଇଥିଲା। ଯାହାର ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ପୁଲିସ କହିଛି।

ସେମାନେ ବ୍ୟବହାର କରୁଥିବା ଏକ ନମ୍ବର ବିହିନ ବାଇକ, ନଗଦ ୧୭ ହଜାର ଟଙ୍କା ଓ ଆଧାର କାର୍ଡ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ନଂଘାମହଲାର ଅଝରଉଦ୍ଦିନ୍ ଖାନ ଓ ନୟାନଗର ଧନାଟୋଲାର ସର୍ଦ୍ଦାର କ୍ବାଦିର ବୋଲି ଜଣାପଡିଛି। ଏଇ ଦୁଇ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏମାନେ ବହୁ ଦିନ ହେଲା ବ୍ରାଉନ୍ ସୁଗାର ଚୋରା କାରବାର କରୁଥିବା ବେଳେ ପୁଲିସ ଆଖିରେ ଧୂଳି ଦେଇ ଖସି ପଳାଇ ଯାଉଥିଲେ। ଏମାନଙ୍କ ସହ ଆଉ କେଉଁମାନଙ୍କର ଲିଙ୍କ୍ ରହିଛି। ତାହା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ସମଗ୍ର ପୁରୁଣାବଜାର ଅଞ୍ଚଳ ଏବେ ଧଳା ଜହରର ସହର ପାଲଟିଥିବା ବେଳେ ପୁରୁଣାବଜାର ପୁଲିସ ଏଇ ଚୋରା ବେପାରୀଙ୍କ ଉପରେ ଆଦୌ ନଜର ଦେଉ ନଥିବା ନେଇ ବୁଦ୍ଧିଜୀବୀ ମହଲରେ ଅଭିଯୋଗ ହୋଉଛି। ଏଇଭଳି କିଛି ଚୋରା ମଦ ବେପାରୀ,ବ୍ରାଉନ ସୁଗାର ବେପାରୀଙ୍କ ପାଇଁ ପୁରୁଣାବଜାର ଦିନକୁ ଦିନ ଅଶାନ୍ତ ହେବାକୁ ଯାଉଛି। ମାତ୍ର ପୁରୁଣାବଜାର ପୁଲିସ ଏଇ ଅଞ୍ଚଳରେ ଚୋରା ବ୍ରାଉନ ସୁଗାର ମାଫିଆ ଓ ମଦ ମାଫିଆଙ୍କ ଉପରେ ନଜର ରଖୁ ନଥିବା ସାଧାରଣରେ ଅଭିଯୋଗ ହେଉଛି।

ରାତି ହେଲେ ପୁରୁଣାବଜାର ଅଞ୍ଚଳ ବ୍ରାଉନ ସୁଗାର ମାଫିଆଙ୍କ ଆଡ୍ଡାସ୍ଥଳ ପାଲଟି ଯାଉଛି। ଏଇ ରାସ୍ତାରେ ରାତ୍ରୀ ବିକାଳେ ଯିବା ଆସିବାକୁ ସାଧାରଣ ଲୋକ ଭୟ କରୁଛନ୍ତି। ଏଥିପାଇଁ ପୁଲିସର ପେଟ୍ରୋଲିଂ ମଧ୍ୟ ଠିକ୍ ଭା‌ବେ କରାଯାଉ ନାହିଁ। ପୁରୁଣାବଜାର ପୁଲିସର ହେମାଳିଆ ନୀତି ପାଇଁ ଏଇ ଅଞ୍ଚଳ ଦିନକୁ ଦିନ ଚୋରା ବେପାରୀଙ୍କର ଆଡ୍ଡାସ୍ଥଳ ପାଲଟି ଯାଉଛି।

ସମ୍ବନ୍ଧିତ ଖବର