ଭଦ୍ରକ ଜିଲ୍ଲାର ୨୫୧ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ଖର୍ଚ୍ଚ ହିସାବ ଦେବେ ଜିଲ୍ଲାପାଳ

ଭଦ୍ରକ: କରୋନା ମହାମାରୀର ମୁକାବିଲା ପାଇଁ ରାଜ୍ୟ ସରକାର କିଣିଥିବା ସାମଗ୍ରୀରେ ବ୍ୟାପକ ଦୁର୍ନୀତିକୁ ନେଇ ରାଜ୍ୟ ସରକାର ଏବେ ଅଡୁଆରେ ପଡିଥିବା ବେଳେ ସାରା ରାଜ୍ୟରେ ଏହାକୁ ନେଇ ଉଠିଲାଣି ପ୍ରତିବାଦର ସ୍ୱର। ବିରୋଧୀ ବି ଘେରିବାକୁ ଆରମ୍ଭ କଲେଣି। ସରକାର କୋରନା ଆଳରେ ସରକାରୀ ଅର୍ଥକୁ ଲୁଟି ନେବାର ଚକ୍ରାନ୍ତ କରିଥିବା ବେଳେ ଏବେ କରୋନା ଦୁର୍ନୀତି ସରକାରଙ୍କ ତଷ୍ଟିରେ ଲାଗିଛି। ରାଜ୍ୟ ସରକାର ଏଭଳି ଅଡୁଆ ପରିସ୍ଥିତିରୁ ମୁକୁଳିବାକୁ ଯୋଜନା କରିଥିବା ବେଳେ ସମସ୍ତ ଜିଲ୍ଲାପାଳ, ପ୍ରକଳ୍ପ ନିର୍ଦ୍ଦେଶକ ଓ ବିଡିଓ ମାନଙ୍କୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରର ଖର୍ଚ୍ଚ ହିସାବ ମାଗିଛନ୍ତି।

ଭଦ୍ରକ ଜିଲ୍ଲାରେ ମୋଟ ୨୧୮ଟି ପଞ୍ଚାୟତରେ ୨୩୧ ଟି କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଥିବା ବେଳେ ୪ଟି ପୌରାଞ୍ଚଳରେ ୨୦ଟି କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଖୋଲଯାଇଛି। ଜିଲ୍ଲାରେ ମୋଟ ୨୫୧ଟି କ୍ୱାରେଣ୍ଟାଇନ୍‌ କେନ୍ଦ୍ର ଖୋଲାଯାଇଥିବା ବେଳେ ଏଇ ସବୁ କେନ୍ଦ୍ରରେ ପ୍ରବାସୀ ଲୋକଙ୍କୁ ସଂଗରୋଧରେ ରଖାଯାଇଥିବା ବେଳେ ସେମାନଙ୍କ ରହିବା ପାଇଁ ଖଟ, ରେଜେଇ, ବେଡସିଟ୍‌, ତକିଆ, ସପ, ପ୍ଲାଷ୍ଟିକ୍‌ ବାଲଟି, ମଗ, ସାବୁନ୍‌ ପେଷ୍ଟ କିଣାଯାଇଛି।

ସେହିପରି ଯେଉଁସବୁ ସ୍କୁଲରେ ସଂଗରୋଧ କେନ୍ଦ୍ର କରାଯାଇଥିଲା, ସେହିସବୁ ସ୍କୁଲର ପରିବେଶ ଓ ପରିଚ୍ଛନା ଉପରେ ଯେଉଁ ସବୁସଫେଇ କାର୍ଯ୍ୟ ହୋଇଛି। ରଙ୍ଗ ଦିଆଯାଇଛି। ଏଇସବୁ ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି। କେବଳ ସେତିକି ନୁହେଁ, କେଉଁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରେ ଆଜି ସୁଦ୍ଧା କେଉଁ କେଉଁ ଦିନରେ କେତେ ପ୍ରବାସୀ ଥିଲେ। ସେମାନଙ୍କ ଖାଇବା ବାବଦରେ କେତେ ଟଙ୍କା ଖର୍ଚ୍ଚ କରାଯାଇଛି। କେଉଁ ଦିନ କଣ କଣ ଖାଦ୍ୟ ପ୍ରବାସୀଙ୍କୁ ପ୍ରଦାନ କରାଯାଇଥିଲା, ଏହାର ଟିକିନିଖି ହିସାବ ରାଜ୍ୟ ସରକାର ମାଗିଛନ୍ତି।

ଏନେଇ ଜିଲ୍ଲାପାଳଙ୍କ ନିକଟକୁ ଚିଠି ଆସିଛି। ଚିଠି ପାଇବା ପରେ ପ୍ରତି ବ୍ଲକର ବିଡିଓ ନିଜ ନିଜ ବ୍ଲକର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚମାନଙ୍କୁ ଖର୍ଚ୍ଚ ହିସାବ ମାଗିଛନ୍ତି। ବିଡିଓମାନେ ଏଇ ହିସାବ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦେବାକୁ ଥିବା ବେଳେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲାପାଳଙ୍କୁ ଏଇ ରିପୋର୍ଟ ପ୍ରଦାନ କରିବେ। ଏହାକୁ ନେଇ ଭଦ୍ରକ ଜିଲ୍ଲାରେ ଭାଳେଣି ପଡିଲାଣି। କାରଣ ଖଟ କିଣା ଟେଣ୍ଡର ଠାରୁ ଆରମ୍ଭ କରି ଖଟ କିଣା ଦୁର୍ନୀତି ଓ ଅନ୍ୟାନ୍ୟ ସାମଗ୍ରୀ କିଣାରେ ସାରା ରାଜ୍ୟରେ ଦୁର୍ନୀତିର ଗନ୍ଧ ବାରି ହୋଇପଡିଥିବା ବେଳେ ଏବେ ଭଦ୍ରକ ଜିଲ୍ଲାରେ କୋଭିଡ୍‌ ଦୁର୍ନୀତି କିଭଳି ହୋଇଛି ତାହାର ଗନ୍ଧ ପଦାକୁ କେବେ ଆସିବ ବୋଲି ସାଧାରଣରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର