ଭଦ୍ରକ: ଭଦ୍ରକ ଜିଲ୍ଲା ହେବାର ଏହା ଭିତରେ ୩୦ବର୍ଷ ବିତିଛି। ଯୁବ ସୁଲଭ ଭଦ୍ରକ ଏବେ ୩୧ ବର୍ଷ ଅତିବାହିତ କରୁଛି। ହେଲେ ଅବିଭକ୍ତ ବାଲେଶ୍ବର ଜିଲ୍ଲାରୁ କାଢ଼ି ଆଣିଲା ବେଳେ ଯେଉଁ ଭଦ୍ରକ ଥିଲା ଏବେ ବି ତାହା ରହିଛି। ପାରପାର୍ଶ୍ବିକ ସ୍ଥିତି ବି ବଦଳିନି। ବିକାଶର ସ୍ବପ୍ନ ଦେଖି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ୧୯୯୩ ମସିହାରେ ବାଲେଶ୍ବର ଜିଲ୍ଲାରୁ ଭଦ୍ରକକୁ ଅଲଗା କରି ଯେଉଁ ଜିଲ୍ଲାର ମାନ୍ୟତା ଦେଇଥିଲେ, ବାସ୍ ସେତିକିରେ ହିଁ ବିକାଶ ସିମୀତ ରହିଛି। ରାଜନୀତିର ପଶପାଲିରେ ସନ୍ତୁଳିତ ହୋଇ ଭଦ୍ରକ ୩୧ ବର୍ଷ ହେଲା ବିକାଶ ଖୋଜୁଥିଲେ ବି ରାଜ୍ୟ ସରକାର ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନେଉନାହାନ୍ତି। କେବଳ ୫ବର୍ଷ ତଳେ ଜିଲ୍ଲାପାଳଙ୍କ ସ୍ବତନ୍ତ୍ର କାର୍ଯ୍ୟାଳୟଟି ଏଠାରେ ଠିଆ କରାଇ ନୀରବ ରହିବା ଏହାକୁ ସ୍ପଷ୍ଟ କରିଛି।
ଭଦ୍ରକ, ଭଣ୍ଡାରୀପୋଖରୀ, ବନ୍ତ, ଧାମନଗର, ବାସୁଦେବପୁର, ତିହିଡି ଓ ଚାନ୍ଦବାଲି ବ୍ଲକକୁ ନେଇ ଗଠିତ ଭଦ୍ରକ ଜିଲ୍ଲାର ଲୋକ ସଂଖ୍ୟା ୧୮ ଲକ୍ଷରୁ ଊର୍ଦ୍ଧ୍ବ । ଦୂରତା ଓ ଜନସଂଖ୍ୟାକୁ ଲକ୍ଷ୍ୟ ରଖି ଗଠିତ ଭଦ୍ରକ ଜିଲ୍ଲାର ଲୋକ ଯେଉଁଭଳି ପରିବର୍ତ୍ତନର ଆଶା ରଖିଥିଲେ ତାହା ହୋଇ ପାରିନାହିଁ। ଚାନ୍ଦବାଲିକୁ ସବ ଡିଭିଜନର ମାନ୍ୟତା ପାଇଁ ଦାବି ହେଉଥିଲେ ମଧ୍ୟ ଏଥି ପ୍ରତି ସ୍ଥାନୀୟ ଲୋକ ପ୍ରତିନିଧି ନୀରବ ଦ୍ରଷ୍ଟ ସାଜିଛନ୍ତି। ଆରଡ଼ି ତିନି ତର ସେତୁ ହୋଇନି। ମନ୍ତେଇ ସେତୁ ମନ୍ଥର ଗତିରେ ଚାଲିଛି। ଭଦ୍ରକ ବାସୀଙ୍କ ମେଡ଼ିକାଲ କଲେଜ ଓ ବିଶ୍ଵବିଦ୍ୟାଳୟ ଦାବି ସେମିତି ଦାବିରେ ରହିଯାଇଛି।
କେବଳ ଜିଲ୍ଲାପାଳଙ୍କ ଅଫିସ, ଏସପି ଅଫିସ, ଜିଲ୍ଲା କୋର୍ଟ ଓ ନିର୍ମାଣାଧିନ ଭଦ୍ରକ ମେଡିକାଲ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟାଳୟର ଚିତ୍ର ବଦଳି ନାହିଁ। ତିନି ଦଶନ୍ଧି ମଧ୍ୟରେ ଶିଳ୍ପ କି କାରଖାନାର ନାଁ ଗନ୍ଧ ନାହିଁ। ଜିଲ୍ଲାର ଉପକୂଳବର୍ତ୍ତୀ ଧାମରାରେ ପୋର୍ଟ ନିର୍ମାଣ ହେଲା ଯେ ସେ ପୁଣି ଘରୋଇ ମାଲିକାନାରେ। କିନ୍ତୁ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ମିଳିନାହିଁ। ଗମନାଗମନ କି ପାରିପାର୍ଶ୍ବିକ ଉନ୍ନୟନ କାମ ହେଉ ନାହିଁ। ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପୂର୍ବରୁ ରାନ୍ଦିଆରେ ଅବସ୍ଥିତ ଫେରୋକ୍ରୋମ ଓ ପାୱାର ପ୍ଲାଣ୍ଟ ମାଲିକାନା ବଦଳି ବେଦାନ୍ତ କମ୍ପାନି ଅଧିନକୁ ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ସମସ୍ୟା ସମାଧାନ ହୋଇ ପାରୁନାହିଁ। ଏଠି କିଛି ନେତା ପାଉଁଶ ବ୍ୟାପାରରେ ମୁଣ୍ଡ ଖେଳାଇ ନିଯୁକ୍ତି ସୁଯୋଗ ନେଇ କେହି ପୋଥି ଖୋଲୁ ନାହାନ୍ତି। ଫେକର ପାଇଁ ଭଦ୍ରକ ସହରର ଯେଉଁ ବିକାଶ ହେବା କଥା ତାହା ହେଲାନି।
ଆହୁରି ମଧ୍ୟ ଆଖପାଖ ଅଞ୍ଚଳର ପାରିପାର୍ଶ୍ବିକ ଅବସ୍ଥା ପ୍ରତି କମ୍ପାନି କର୍ତ୍ତୃପକ୍ଷ ନଜର ଦେଉନଥିବାର ଅଭିଯୋଗ ବାରମ୍ବାର ହେଉଛି। ଫେକର୍ ସାଳନ୍ଦୀ ପାଣି ନେଉଛି। ଖରାଦିନେ ନଦୀର ଜଳ ସ୍ତର ଶୁଖି ଯାଉଛି। କମ୍ପାନିକୁ ପୋଷା ଯାଉଥିବା ବେଳେ ଭଦ୍ରକ ଯୁବକଙ୍କୁ ଚାକିରି ଦେବାରେ ବେଦାନ୍ତ ବିଫଳ ହୋଇଛି। ଏହାବ୍ୟତୀତ ସ୍ଥାନୀୟ ଅଞ୍ଚଳବାସୀଙ୍କ ଠାରୁ ଧାମନଗର ଛକଠାରେ ୨୫୦ ହେକ୍ଟର ଜମି ନେଇ ଧରଣୀ ସୁଗାର ଚିନି ମିଲ୍ କରିବ ବୋଲି କହି ୩୦ ବର୍ଷ ତଳୁ ଏହି ପ୍ରସଙ୍ଗରୁ ଓହରି ଯାଇଛି। ଚିନି କଳ ଜିଲ୍ଲାବାସୀଙ୍କ ପାଇଁ ସ୍ବପ୍ନ ପାଲଟିଛି। ଏହି ଜମିରେ ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ସ୍ଥାପନ, ଫୁଡ୍ ପାର୍କ, ଟେକ୍ସଟାଇଲ ପାର୍କ ନିର୍ମାଣ କରାଯାଇ ପାରନ୍ତା।
ଭଦ୍ରକ ଜିଲ୍ଲା ନେତାଙ୍କ ବିକାଶ ପାଇଁ ଇଛା ଶକ୍ତିର ଅଭାବ ରହିଛି। ରାଜନୈତିକ ପଶାପାଲ୍ଲିରେ ଭଦ୍ରକର ଭବିଷ୍ୟତକୁ ଠେଲିଦେଇ ନିଜ ଲାଭ ଉଠାଇବାରେ ଲାଗିଛନ୍ତି। ଜିଲ୍ଲାବାସୀ ଏହାର ଭଳ ଭୋଗୁଛନ୍ତି। ଏକମାତ୍ର ଚାଷ ଉପରେ ନିର୍ଭର କରୁଥିବା ଚାଷୀଙ୍କ ଅନେକ ସମସ୍ୟା ଥିଲେ ବି ସମାଧାନ ଆଖିଦୃଶିଆ ହୋଇପାରିନାହିଁ। ମା’ ଭଦ୍ରକାଳୀଙ୍କ ପୀଠ ଓ ବାବା ଆଖଣ୍ଡଳମଣୀଙ୍କ ଆରଡି ପୀଠର ବିକାଶ ହେଲାନି। ଭଦ୍ରକ ଜିଲ୍ଲାର ସହର ମଧ୍ୟରେ ଯାଇଥିବା ୫ନଂ. ଜାତୀୟ ରାଜପଥ ଜଗନ୍ନାଥ ସଡ଼କ ନାମରେ ପୂର୍ବରୁ ପରିଚିତ ଥିବାବଳେ ଏବେ ତାହା ଏନଏଚ-୧୬ ହୋଇଛି। କେବଳ ଜାତୀୟ ସଡ଼କକୁ ଛାଡ଼ିଦେଲେ ଭଦ୍ରକ ସହରର କୌଣସି ରୂପରେଖ ବଦଳି ନାହିଁ। ଭଦ୍ରକ ଜିଲ୍ଲାକୁ ରାଜ୍ୟ ସରକାର ସବୁ କ୍ଷେତ୍ରରେ ଅବହେଳା କରିଛନ୍ତି ବୋଲି ଜାଣିବା ଶୁଣିବା ମହଲରେ ମତ ପ୍ରକାଶ ପାଉଛି।