ଗରିବ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ, ଜିଲ୍ଲାର ବେରୋଜଗାରକୁ ମିଳିବ କାମ

ଭଦ୍ରକ: କେନ୍ଦ୍ର ସରକାରଙ୍କର ଗରିବ କଲ୍ୟାଣ ଯୋଜନାରେ ରାଜ୍ୟର ୪ଟି ଜିଲ୍ଲା ସାମିଲ ହୋଇଥିବା ଏଥିରେ ଭଦ୍ରକ ଜିଲ୍ଲାକୁ ମଧ୍ୟ ସ୍ଥାନ ମିଳିଛି। ରାଜ୍ୟର ଅନ୍ୟ ୩ଟି ଜିଲ୍ଲା ହେଲା ଗଂଜାମ, ବଲାଙ୍ଗୀର ଓ ବାଲେଶ୍ୱର। କେନ୍ଦ୍ର ସରକାରଙ୍କର ଗରିବ କଲ୍ୟାଣ ଯୋଜନାରେ ଭଦ୍ରକ ସାମିଲ ହେବା ପଛର ପ୍ରାସଙ୍ଗିକତା ହେଉଛି ଯେ, ଏଇ ଜିଲ୍ଲାକୁ ବହୁ ସଂଖ୍ୟାରେ ଶ୍ରମିକ ଓ ପ୍ରବାସୀ ଫେରିଛନ୍ତି। ଏଇ ଗରିବ ଶ୍ରମିକ ଓ ପ୍ରବାସୀଙ୍କ ହାତକୁ ପାଇଁ କାମଧନ୍ଧା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଏଭଳି ଯୋଜନା ଘୋଷଣା କରିଛନ୍ତି।

ଭଦ୍ରକ ଜିଲ୍ଲାକୁ ଏବେ ସୁଦ୍ଧା ୩୦ ହଜାରରୁ ଉର୍ଦ୍ଧ୍ଵ ପ୍ରବାସୀ ଫେରିଥିବା ବେଳେ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦାଦାନ ଶ୍ରମିକ। ପରିବାରର ଆର୍ଥିକ ଅନଟନ ପାଇଁ ଏଇ ସବୁ ଶ୍ରମିକ ଶ୍ରେଣୀର ଲୋକମାନେ ଦୀର୍ଘ ଦିନ ଧରି ବାହାରେ ଦାଦନ ଶ୍ରମିକ ଭାବେ କାମ କରି ଜୀବନ ବିତାଉଥିଲେ। ଏବେ କରୋନା ମହାମାରୀ ପାଇଁ ବାହାର ରାଜ୍ୟର କମ୍ପାନିମାନେ ଏଇ ସବୁ ଶ୍ରମିକମାନଙ୍କୁ ବାହାର କରି ଦେବା ପରେ ସେମାନେ ଏବେ ଭଦ୍ରକ ଫେରି ଆସିଛନ୍ତି।

ଭଦ୍ରକ ଜିଲ୍ଲାର ଏକ ଲକ୍ଷରୁ ଉର୍ଦ୍ଧ୍ଵ ଶ୍ରମିକ ବାହାର ରାଜ୍ୟରେ କାମ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଏବେ ସବୁ ନିଜ ଜିଲ୍ଲାକୁ ଫେରି ଆସିବା ପାଇଁ ପ୍ରଶାସନ ନିକଟରେ ନାମ ପଂଜୀକରଣ କରିଛନ୍ତି। ଏହା ଭିତରେ ଜିଲ୍ଲାକୁ ୩୦ ହଜାର ଶ୍ରମିକ ଫେରିଥିବା ବେଳେ ଜିଲ୍ଲାକୁ ଆସନ୍ତା ଜୁଲାଇ ଓ ଅଗଷ୍ଟ ମାସ ଶେଷ ସୁଦ୍ଧା ଆହୁରି ୪୦ ହଜାରରୁ ଉର୍ଦ୍ଧ୍ଵ ଶ୍ରମିକ ଫେରିବାର ସୂଚନା ମିଳୁଥିବା ବେଳେ ଏତେ ସଂଖ୍ୟକ ଶ୍ରମିକଙ୍କୁ ଜିଲ୍ଲା ପ୍ରଶାସନ କିଭଳି କାମଧନ୍ଧା ଯୋଗାଇ ଦେବେ ତାହାକୁ ନେଇ ଚିନ୍ତାରେ ଥିଲେ। ଏଇସବୁ କଥାକୁ ବିଚାରକୁ ନେଇ ଭଦ୍ରକ ଜିଲ୍ଲାକୁ କେନ୍ଦ୍ର ସରକାରଙ୍କର ଗରିବ କଲ୍ୟାଣ ଯୋଜନାରେ ସାମିଲ କରାଯାଇଛି।

ଏଇ ଯୋଜନାରେ ଜିଲ୍ଲାରେ ପାଖାପାଖି ୫୦ରୁ ଉର୍ଦ୍ଧ୍ଵ କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ ହେବ। ଏଇ ଯୋଜନା ବାବଦରେ ଜିଲ୍ଲାକୁ ପାଖାପାଖି ୨୦୦ କୋଟିରୁ ଉର୍ଦ୍ଧ୍ଵ ଟଙ୍କାର ଅନୁଦାନ ଆସିବ। ସବୁ କେନ୍ଦ୍ରୀୟ ଯୋଜନାରେ ବିଶେଷକରି ଗରିବ, ଅସହାୟ, ଶ୍ରମିକ ଶ୍ରେଣୀର ଲୋକଙ୍କୁ ସାମିଲ କରାଯିବ।

ସେହିପରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ହାତକୁ କାମ ଧନ୍ଦା ଯୋଗାଇ ଦିଆଯିବ। ଯୋଜନାରେ ବେକାର ଯୁବକ ଯୁବତୀଙ୍କ ପାଇଁ ସ୍ୱତନ୍ତ୍ର କାମଧନ୍ଦା ଯୋଗାଇ ଦିଆଯାଇ ସେମାନଙ୍କର ଆର୍ଥିକ ମାନଦଣ୍ଡର ବିକାଶ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଭଦ୍ରକ ଜିଲ୍ଲାରେ ଏଇ ଯୋଜନା ସାମିଲ ହୋଇଥିବା ବେଳେ ଏଥିପାଇଁ କେନ୍ଦ୍ର ସରକାରଙ୍କ ପ୍ରଚଳନ କରିବାକୁ ଯାଉଥିବା ପ୍ରମୁଖ ଜନ କଲ୍ୟାଣକାରୀ ଯୋଜନା ଭଦ୍ରକ ଜିଲ୍ଲାରେ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର