ଭଦ୍ରକ: ଶିଳ୍ପ ନାଁରେ ପଡ଼ିଆ ପଡ଼ିିଛି ୨୫୦ ଏକର ଜମି, ନିର୍ମାଣ ହେଲାନି କାରଖାନା

ଭଦ୍ରକ: ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ବର୍ଷ ହେବ ଘୋଷଣା କରିଆସୁଛନ୍ତି ଯେ, ଭଦ୍ରକକୁ ଶିଳ୍ପ ସମୃଦ୍ଧ କରାଯିବ। ଏଥି ପାଇଁ ଯୋଜନା ମଧ୍ୟ ପ୍ରସ୍ତୁତ ହୋଇଛି। ମାତ୍ର ବର୍ଷ ବର୍ଷ ଧରି ଶିଳ୍ପ ନାଁରେ ୨୫୦ ଏକର ଜମି ପଡ଼ିଆ ପଡ଼ିଥିଲେ ବି ଏଠାରେ କାରଖାନା ନିର୍ମାଣ ହୋଇପାରୁ ନାହିଁ। ଫଳରେ ଜିଲ୍ଲାର ଯୁବକଯୁବତୀଙ୍କୁ ରୋଜଗାର ମିଳିପାରୁ ନାହିଁ। ବେକାର ଥିବା ଯୁବକମାନେ ରାଜ୍ୟ ଛାଡ଼ି ବାହାର ରାଜ୍ୟରେ କାମ କରୁଛନ୍ତି। ପଡ଼ିଆ ଜମିରେ କାରଖାନା ଦେଖିବାକୁ ଭଦ୍ରକବାସୀ ୩୦ ବର୍ଷ ହେବ ଚାହିଁ ରହିଛନ୍ତି।

୧୯୯୦ ଦଶକରେ ଭଦ୍ରକରେ ଏକ ଚିନି କଳ ପ୍ରତିଷ୍ଠା ପାଇଁ ଧରଣୀ ସୁଗାର ପକ୍ଷରୁ ଜମି ଅଧିଗ୍ରହଣ କରାଯାଇଥିଲା। ଇଡକୋ ଏଇ ଜମି ଅଧିଗ୍ରହଣ କରିଥିଲା। ଲୋକଙ୍କଠାରୁ ଜମି ଅଧିଗ୍ରହଣ ବେଳେ କୁହାଯାଇଥିଲା ଯେ, ଜମି ଦିଅ ତୁମ ପିଲାମାନଙ୍କୁ ଚାକିରି ମିଳିବ। ଅଞ୍ଚଳର ଅର୍ଥନୈତିକ ବିକାଶ ହେବ। ଏମିତି ସ୍ୱପ୍ନ ଦେଖାଇ ସେତେବେଳେର ରାଜ୍ୟ ସରକାର ଜମି ଅଧିଗ୍ରହଣ କରିଥିଲେ। ଅଞ୍ଚଳର ଲୋକମାନେ ଚିନି କଳ ପାଇଁ ଭିଟାମାଟି ଟେକି ଦେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ଏଠାରେ ଚିନି କଳ ପ୍ରତିଷ୍ଠା କରାଗଲା ନାହିଁ। ଏବେ ସୁଦ୍ଧା ୨୫୦ ଏକର ଜମି ଗତ ୩ ଦଶନ୍ଧି ଧରି ସେମିତି ପଡ଼ିଆ ପଡ଼ିଛି। ଏହାକୁ ଇଡକୋ ପାଚେରି କରି ନିଜ ଅକ୍ତିଆରରେ ରଖିଛି।

ଜିଲ୍ଲାରେ ଧାମରା ବନ୍ଦର ହୋଇଛି। ବନ୍ଦର ହେବା ପରେ ଏଠାରେ ଅନେକ ଶିଳ୍ପ ପ୍ରତିଷ୍ଠା ହେବ ବୋଲି ସରକାର ଯୋଜନା କରିଥିଲେ। ଏହାରି ଭିତରେ ୨୦ ବର୍ଷ ବିତିଗଲାଣି ଭଦ୍ରକରେ ଗୋଟିଏ ବି ଶିଳ୍ପ ପ୍ରତିଷ୍ଠା ହୋଇ ନାହିଁ। ଭଦ୍ରକ ସହର ନିକଟବର୍ତ୍ତୀ ଧାମନଗର ଛକର ୧୬ ନମ୍ବର ଜାତୀୟ ରାଜପଥ କଡ଼ରେ ଧରଣୀ ସୁଗାର ଚିନି କଳ କରିବ ପାଇଁ ଯେଉଁ ଜମି ଅଧିଗ୍ରହଣ କରାଯାଇଥିଲା, ତାହା ଗଲା କିନ୍ତୁ କାରଖାନା ନ ହେବାରୁ ସ୍ଥାନୀୟ ଯୁବକ ଯୁବତୀ ଚାକିରି ପାଇଲେ ନାହିଁ। ନିଜ ଗାଁ ମାଟିରେ ଶିଳ୍ପ ପ୍ରତିଷ୍ଠା ନେଇ ସେମାନେ ସେତେବେଳେ ବେଶ୍‌ କିଛି ଆଶା ବାନ୍ଧି ଜମି ଦେଇଥିଲେ।

୩୦ ବର୍ଷ ଧରି ନିଜର ଭିଟାମାଟି ହରାଇ ଏଇ ଅଞ୍ଚଳର ଲୋକ ଦୁଃଖରେ ଅଛନ୍ତି। ୨୫୦ ଏକର ମୂଲ୍ୟବାନ ଜମିରେ ଶିଳ୍ପ ପ୍ରତିଷ୍ଠା କରାଯିବ ବୋଲି ଘୋଷଣା କରାଯାଇଥିଲା। ନେତାମାନେ ନିର୍ବାଚନ ପୂର୍ବରୁ ଏହାକୁ ନେଇ ବହୁ ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର କହିଥିଲେ, ଏଠି ଫୁଡ୍‌ ପାର୍କ ହେବ। କେନ୍ଦ୍ର ସରକାର କହିଥିଲେ, ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରାଯିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଏଭଳି ଘୋଷଣାକୁ ନେଇ ୩୦ ବର୍ଷ ଧରି ପଡ଼ିଆ ପଡ଼ିଥିବା ଜମି ପୁଣି ଶିଳ୍ପ ସମୃଦ୍ଧ ହେବ ବୋଲି ଅଞ୍ଚଳବାସୀଙ୍କ ମନରେ ନୂଆ ଆଶା ସଂଚାର କରିଥିଲା। ଏଇ ଅଞ୍ଚଳ ଉଭୟ ଧାମନଗର ଓ ଭଣ୍ଡାରିପୋଖରୀ ତହସିଲ ଅଧିନରେ ଯାଉଥିବାରୁ ଧାମନଗରର ସ୍ଥାନୀୟ ବିଧାୟକ ଏଇ ପ୍ରମୁଖ ପ୍ରସଙ୍ଗ ଉପରେ ସ୍ୱର ଉଠାନ୍ତୁ ବୋଲି ମତ ପ୍ରକାଶ ପାଇଛି।

୧୦୦ ଏକର ଜମି ଉପରେ ଫୁଡ ପାର୍କ ପ୍ରତିଷ୍ଠା ଓ ଅନ୍ୟ ୭୫ ଏକର ଜମି ଉପରେ କେନ୍ଦ୍ର ସରକାର ଟେକ୍ସଟାଇଲ ପାର୍କ ନିର୍ମାଣ କରିବା ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। କେନ୍ଦ୍ର ସରକାରଙ୍କର ଏଇ ଚିଠିରେ ରାଜ୍ୟ ସରକାର ଉତ୍ତର ଦେଇ ନାହାନ୍ତି। ଯେଉଁଥି ପାଇଁ ଟେକ୍ସଟାଇଲ ପାର୍କ ହେବାର ସବୁ ସ୍ୱପ୍ନ ମଉଳି ଯାଇଛି। ରାଜ୍ୟ ଓ କେନ୍ଦ୍ର ସରକାରଙ୍କର ଆନ୍ତରିକତାର ଅଭାବ ପାଇଁ ଫୁଡ୍‌ ଆଣ୍ଡ ଟେକ୍ସଟାଇଲ ପାର୍କ କିଛି ହୋଇ ପାରୁ ନାହିଁ। ଶହ ଶହ ଏକର ଜମି ପଡିଆ ପକାଇ ସରକାର ରଖି ଦେଇଥିବା ବେଳେ ଜିଲ୍ଲାରେ କୌଣସି ଗୋଟିଏ ନୂଆ ଶିଳ୍ପ ପ୍ରତିଷ୍ଠା କରିବାର ସୁଯୋଗ ସୃଷ୍ଟି କରାଯାଇ ପାରୁ ନାହିଁ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର