ଭଦ୍ରକ ଜେଲର ଅବ୍ୟବସ୍ଥା: ଖାଇବା-ଶୋଇବାକୁ ନାହିଁ ଜଗା, ଦୁଃଖରେ ବିତୁଛି ବନ୍ଦୀ ଜୀବନ

ଜାଗା କମ, ବନ୍ଦୀ ବେଶୀ, ନୂଆ ଜେଲ୍ କେବେ?

ଭଦ୍ରକ: ଭଦ୍ରକ ଜେଲର ଆବଶ୍ୟକ ଜାଗା ଠାରୁ ଅଧିକ ବନ୍ଦୀ ରହି ଥିବାରୁ ଏହାକୁ ନେଇ ଜିଲ୍ଲାର ସ୍ଥିତି ଦିନକୁ ଦିନ ବିଗିଡ ଯାଉଛି। କଏଦୀ ସଂଖ୍ୟାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ବ୍ରିଟିଶ ଅମଳର ଏହି ପୁରୁଣା ଜେଲର ନବୀକରଣ କରାଯାଇ କ୍ଷମତା ବୃଦ୍ଧି କରାଯାଇଛି। ମାତ୍ର ୧୪୫ କଏଦୀ ରହିପାରିବାର ବ୍ୟବସ୍ତା ଥିବା ଏହି ଜେଲର କ୍ଷମତା ୨୦୧ କୁ ବୃଦ୍ଧି କରାଯାଇଛି। ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅରାଧ ଏବଂ ବର୍ଦ୍ଧିତ କଏଦୀଙ୍କ ସଂଖ୍ୟାକୁ ନେଇ ଏଠାରେ ସ୍ଥାନା ଭାବ ଦେଖା ଦେଇଛି। କଏଦୀଙ୍କ ପାଇଁ ଖାଇବାକୁ ଜାଗା ନାହିଁ କି ଶୋଇବାକୁ ଜାଗା ନାହିଁ। ଦୁଃଖରେ ବିତୁଛି କଏଦୀଙ୍କ ଜୀବନ। ଏହି ଜିଲ୍ଲାରେ କଏଦୀଙ୍କ ମାନବାଧିକାର କ୍ଷୂର୍ଣ୍ଣ ହେଉଥିବା ବେଳେ ଏଥିପାଇଁ ଜିଲ୍ଲା କର୍ତ୍ତୃପକ୍ଷ ନୀରବ ରହୁଛନ୍ତି। ଏଠାରେ ୨୦୧ ଜଣ କଏଦୀଙ୍କ ଜାଗାରେ ଜେଲରେ ରହୁଛନ୍ତି ୩୦୦ରୁ ଉର୍ଦ୍ଧ୍ବ କଏଦୀ। ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜେଲ କର୍ତ୍ତୃପକ୍ଷ। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ମଝିରେ ମଝିରେ କଏଦୀଙ୍କୁ ଅନ୍ୟ ଜେଲକୁ ସ୍ଥାନାନ୍ତର କରାଯାଉଛି। ତଥାପି ଜେଲରେ କଏଦୀଙ୍କ ଗହଳି ବଢୁଛି। ଜେଲରେ ବଢି ଚାଲିଥିବା ଗହଳି ରୋକିବା ନେଇ ନିକଟରେ ୩୪ ଜଣ କଏଦୀଙ୍କୁ ବାଲେଶ୍ୱର ଜିଲ୍ଲାର ସୋର ଜେଲକୁ ସ୍ଥାନାନ୍ତର କରାଯାଇଛି।

ଏହାସତ୍ତ୍ୱେ ମଧ୍ୟ ଏହି ଜେଲରେ ୭ ଜଣ ମହିଳା କଏଦୀଙ୍କୁ ମିଶାଇ ୩୦୧ ଜଣ କଏଦୀ ଖୁନ୍ଦା ଖୁନ୍ଦୀ ହୋଇ ପଡିରହିଛନ୍ତି। ଗତ ଅପ୍ରେଲ ମାସରେ ମଧ୍ୟ ଅନୁରୂପ ସ୍ତୁତି ଯୋଗୁ ଏହି ଜେଲରୁ ୧୦୯ ଜଣ କଏଦୀଙ୍କୁ ବାରିପଦା ଜେଲ ସ୍ଥାନାନ୍ତର କରା ଯାଇଥିଲା। ଜେଲରେ ଗହଳି ରୋକିବାକୁ ବର୍ଷ ସାରା ଏହି ଧରଣର କଏଦୀ ବଦଳି ହେଉଛି। ଏଥିରେ ସରକାରଙ୍କର ବହୁ ଅର୍ଥ ଅଯଥାରେ ଖର୍ଚ୍ଚ ହେଉଛି। ଭଦ୍ରକ ମୁଖ୍ୟାଳୟରେ ଦେୟାନୀ, ଫୌଜଦାରୀ ଏବଂ ପରିବାର ଅଦାଲତକୁ ମିଶାଇ ୧୦ ଗୋଟି କୋର୍ଟ ପରିଚାଳିତ ହେଉଥିବା ବେଳେ ଜିଲ୍ଲା ଜଜଙ୍କ ପରିଚାଳନାଭୁକ୍ତ ବାସୁଦେବପୁର, ଚାନ୍ଦବାଲି ଏବଂ ଧାମନଗରରେ ୩ ଗୋଟି କୋର୍ଟ ରହିଛି। ଯେଉଁଠି ଶହଶହ ମାମଲାର ବିଚାର ହେଉଛି। ଭଦ୍ରକ ଜେଲର କ୍ଷମତା ସେହି ଅନୁଯାୟୀ ବୃଦ୍ଧି ଘଟୁ ନାହିଁ। ବର୍ଦ୍ଧିତ ଅପରାଧ ଏବଂ କଏଦୀଙ୍କ ସଂଖ୍ୟାକୁ ନେଇ ଗତ ପ୍ରାୟ ୧୦ ବର୍ଷ ତଳେ ଜିଲ୍ଲା ଜେଲର ପରିକଳ୍ପନା କରାଯାଇଥିଲା। ଏଥିପାଇଁ ପ୍ରାୟ ୧୭ କୋଟି ଟଙ୍କାର ଏକ ଯୋଜନା ଅଟକଳ ପ୍ରସ୍ତୁତ କରାଯାଇ କମି ଯୋଗାଡ଼ ଆରମ୍ଭ ହୋଇଥିଲା। ତେବେ ବହୁ ବିବାଦ ଏବଂ ବିତର୍କ ମଧ୍ୟରେ ଭଦ୍ରକ ତହସିଲ ଅଧୀନସ୍ତ ପ୍ରଥମେ ଅମର ଗାଡିଆ ଓ ପରେ ବହୁଦରଡ଼ା ନିକଟରେ ପ୍ରାୟ ୨୦ ଏକର ପରିମିତ ଜମିରେ ଏହି ଜିଲ୍ଲା ଜେଲ ନିର୍ମାଣ ଚୁଡାନ୍ତ କରାଯାଇ ଗଛକଟା ଆରମ୍ଭ ହୋଇଥିଲା।

ତେବେ ଗଛକଟାକୁ ଇତିମଧ୍ୟରେ ବର୍ଷେ ବିତିବାକୁ ବସିଥିଲେ ମଧ୍ୟ ଜେଲ ନିର୍ମାଣ ଆରମ୍ଭ ହୋଇ ପାରିନାହିଁ। କୁହାଯାଇଛି ପୁଲିସ ହାଉସିଂ ବୋର୍ଡ଼ ଦ୍ୱାରା ନିର୍ମାଣ ହେବାକୁ ଯାଉଥିବା ଏହି ଜିଲ୍ଲା ଜେଲର ବ୍ୟୟ ଅଟକଳ ଅଧିକ ବୃଦ୍ଧି ଘଟିଥିବାରୁ ଏହାର ସଂଶୋଧିତ ବ୍ୟୟ ବରାଦ ସକାସେ ସରକାରଙ୍କୁ ସୁପାରିଶ କରାଯାଇଛି। ଜେଲ ହାଉସିଂ ବୋର୍ଡଙ୍କୁ ଏହାର ସଂଶୋଧିତ ବ୍ୟୟ ଅଟକଳ ଚିଠା ମିଳିବା ପରେ ଜିଲ୍ଲା ଜେଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଯୋଜନା ଅଟକଳ ଅନୁଯାଇ ୪୬୦ ସଂଖ୍ୟା ବିଶିଷ୍ଟ ଜିଲ୍ଲା ଜେଲରେ ହସ୍ପିଟାଲ, ଖେଳ ପଡିଆ, ସ୍କୁଲ, ମାନୁଫେକ୍ଚରିଂ ୟୁନିଟ, ଷ୍ଟାଫ କ୍ୱାଟର ଏବଂ ପାର୍କ ଆଦି ନିର୍ମାଣ ପ୍ରସ୍ତାବ ରହିଛି। ଏହି ଅତ୍ୟାଧୁନିକ ଜିଲ୍ଲା ଜେଲ ନିର୍ମାଣ ହେବା ପରେ ଭଦ୍ରକ ଜେଲର ଦେଖା ଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ ବୋଲି ମତ ଦେଇଛନ୍ତି ବରିଷ୍ଟ ଆଇନଜୀବି ଦିବ୍ୟସିଂହ ନାୟକ, ବରିଷ୍ଠ ଆଇନଜୀବି ଗଦାଧର ବଳ, ଆଇନଜିବୀ ବିଷ୍ଣୁ ମୋହନ ମହାପାତ୍ର। ଜିଲ୍ଲା ଜେଲ ପ୍ରତିଷ୍ଠା ଯେତିକି ବିଳମ୍ବିତ ହେଉଛି ଭଦ୍ରକ ଜେଲରେ କଏଦୀଙ୍କ ସ୍ଥାନାଭାଵ ଜନିତ ସଙ୍କଟ ସେତିକି ସମସ୍ୟା ସୃଷ୍ଟି କରୁଛି। ନୂଆ ଜିଲ୍ଲା ଜେଲ କେବେ ହେବ ତାହାକୁ ନେଇ ଅନିଶ୍ଚିତତା ଲାଗି ରହିଛି।

ସମ୍ବନ୍ଧିତ ଖବର