ଭଦ୍ରକରେ ମଦ ବିଭୀଷିକା: ମଦ ମୃତ୍ୟୁ ସଂଖ୍ୟା ୮ ଛୁଇଁଲା, ୮୭ ଜଣଙ୍କ ଚିକିତ୍ସା ଜାରି

ଭଦ୍ରକ: ତିହିଡି ବ୍ଳକ ଅନ୍ତର୍ଗତ ପୀରହାଟରେ ମଦ ପିଇବା ଘଟଣାରେ ମୃତ୍ୟୁ ସଂଖ୍ୟା ମଙ୍ଗଳବାର ସନ୍ଧ୍ୟାରେ ୮ରେ ପହଂଚିଛି। ରିପୋର୍ଟ ଲେଖାଯିବା ବେଳକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ତିହିଡ଼ସ୍ଥିତ ହସ୍‌ପିଟାଲରେ ୮୭ ଜଣଙ୍କର ଚିକିତ୍ସା ଜାରି ରହିଛି। ଅନ୍ୟପଟରେ ଜିଲ୍ଲା ହସ୍‌ପିଟାଲରେ ଆବଶ୍ୟକ ପରିମାଣରେ କର୍ମଚାରୀ ନଥିବାରୁ ଚିକିତ୍ସା ସେବା ପ୍ରଭାବିତ ହେଉଥିବା ଆଲୋଚନା ହେଉଛି। ଇତି ମଧ୍ୟରେ ଆଜି ଅବକାରୀ କମିଶନର ରାମ ଚନ୍ଦ୍ର ପାଲଟା ଘଟଣାର ତଦନ୍ତ ପାଇଁ ପୀରହାଟ ଗାଁକୁ ଯାଇ ଲୋକଙ୍କର ସହିତ କଥାବାର୍ତ୍ତା କରିଛନ୍ତି।

ଆଜି ଅପରାହ୍ଣରେ ଶଙ୍କର୍ଷଣ ପରିଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ସୋମବାର ସନ୍ଧ୍ୟାରେ ବାବୁଲି ମହାନ୍ତିଙ୍କର ମୃତ୍ୟୁ ହୋଇଥିଲା। ମାତ୍ର ବାବୁଲିଙ୍କ ଶବ ସଂସ୍କାର ହୋଇସାରିଛି ବୋଲି ଗାଁ ଲୋକେ ଅଭିଯୋଗ ଆଣିଛନ୍ତି।

ମଦ ମୃତ୍ୟୁ ନେଇ ଆଜି ସକାଳ ୯ଟାରୁ ସନ୍ଧ୍ୟା ୬ଟା ଯାଏଁ ଭଦ୍ରକ ବାନ୍ଦବାଲି ରାସ୍ତା ଅବରୋଧ କରାଯାଇଥିଲା। କେବଳ ବାଇକ୍‌କୁ ଛାଡ଼ି ଅନ୍ୟ ଗାଡ଼ି ଗୁଡ଼ିକୁ ବନ୍ଦ ରଖାଯାଇଥିଲା। ଫଳରେ ହଜାର ହଜାର ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା। ସ୍ଥାନୀୟ ଲୋକେ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଏବଂ ଯେଉଁ ରାଜନେତାମାନେ ଏହି ଘଟଣା ପାଇଁ ଦାୟୀ, ସେମାନଙ୍କର ଗିରଫ ଦାବି କରିଛନ୍ତି। ଉତ୍ତ୍ୟକ୍ତ ଲୋକେ ଆଜି ସନ୍ଧ୍ୟାରେ ପୀରହାଟ ଫାଣ୍ଡି ଘେରାଉ କରିଛନ୍ତି।

ସମ୍ବନ୍ଧିତ ଖବର