ଭଦ୍ରକ: ବିଶ୍ୱାସ ବନାମ ଅନ୍ଧ ବିଶ୍ୱାସ । ମହାଦେବ ଲାଗିଲେ, ପ୍ରବଳ ପିଟିଲେ ! ମାଟିତଳୁ ମହାଦେବ ବାହାରିବା ପରେ ଚାଲିଥିଲା ପୂଜାର୍ଚ୍ଚନା । ହେଲେ ହଠାତ ଶିବଲିଙ୍ଗ ପାଖରେ ଶୁଭିଥିଲା ଚାପୁଡା ଶବ୍ଦ । ଆଉ ଜଣେ ପୂଜକଙ୍କୁ ପିଟି ଚାଲିଥିଲେ ଅନ୍ୟ ଜଣେ ଲୋକ । କୁହାଯାଉଥିଲା ତାଙ୍କ ଦେହରେ ଶିବ ସବାର ହୋଇଛନ୍ତି ଆଉ ନୀତି ନିୟମ ଭୁଲ କରିଥିବାରୁ ସବାର ହୋଇଥିବା ବ୍ୟକ୍ତି ଜଣଙ୍କ ସ୍ଥାନୀୟ ପୂଜକଙ୍କୁ ଚାପୁଡା ପରେ ଚାପୁଡା ପିଟି ନାକେଦମ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଯୁବକଙ୍କୁ ପିଟିବା ପରେ ପାପର ପ୍ରାୟଶ୍ଚିତ ପାଇଁ ମହାଦେବ ସବାର ହୋଇଥିବା ବ୍ୟକ୍ତି ଜଣଙ୍କ ଉକ୍ତ ପୂଜକଙ୍କୁ, ପାଖରେ ଥିବା ନଦୀରେ ଗାଧୋଇବାକୁ କହିଥିଲେ । ଆଉ ନିର୍ଦ୍ଦେଶ ପାଇଲା ପରେ ତାଙ୍କ ଗୋଡ ତଳେ ପଡି ନଦୀରେ ଗାଧୋଇଯିବାକୁ ଧାଇଁଥିଲେ ।
ଭଦ୍ରକ ଗୋରାମାଟି ପଞ୍ଚାୟତ ଚକପୁର ବଲଦିଆପଦା ପଡିଆରେ ଯେତେବେଳେ ଏକ ପାର୍କ ପାଇଁ କାମ ଚାଲିଥିଲା ଠିକ ସେତିକିବେଳେ ମାଟି ଖୋଳୁ ଖୋଳୁ ଟ୍ରାକ୍ଟରର ଫାଳ ଏକ ପଥରରେ ବାଜି ବଙ୍କା ହୋଇ ଯାଇଥିଲା ଆଉ ଡ୍ରାଇଭର ଲୋକଙ୍କୁ ଡାକି ଖୋଳାଖୋଳି କରିବା ପରେ ଶିବଲିଙ୍ଗ ବାହାରିଥିଲା । ମାତ୍ର ଆଶ୍ଚର୍ଯ୍ୟର କଥା ହେଉଛି ଭିଡ ନିୟନ୍ତ୍ରଣ ପାଇଁ ଆସିଥିବା ପୋଲିସ ବାବୁ ଜଣଙ୍କ ଲୋକଙ୍କ ସହ ମିଶି କହାଦେବ ସବାର ହୋଇଥିବା ବ୍ୟକ୍ତିଙ୍କୁ ହାତଯୋଡି ଜୁହାର ହୋଇଥିଲେ । ଲୋକଙ୍କ ସହ ମିଶି ନାରା ବି ଦେଇଥିଲେ ।
ତେବେ ଏଠି ପ୍ରଶ୍ନ ଉଠୁଛି ସତରେ କ’ଣ ସବାର ହୋଇଥିଲେ କି ଶିବ? ଯଦି ଦେହରେ ଭଗବାନ ଥିଲେ ତା’ହେଲେ କେମିତି ଭକ୍ତଙ୍କୁ ପିଟିପାରିଲେ ଭଗବାନ ? ମହାଦେବ କଣ ମାରିପାରିବେ ? ମହାଦେବଙ୍କ ନାଁରେ ଉକ୍ତ ବ୍ୟକ୍ତି ଜଣଙ୍କ ରାଗ ଶୁଝାଇ ନାହାନ୍ତି ତ ? ଲୋକଙ୍କ ଆଗରେ ଚାପୁଡା ପରେ ଚାପୁଡା ମାରି କଣ ଦର୍ଶାଇବାକୁ ଚାହୁଁଛନ୍ତି ନିଜକୁ ମହାଦେବ କହିଥିବା ବ୍ୟକ୍ତି ? କେମିତି ଲୋକଙ୍କୁ ସଚେତନ ନକରି ନିଜେ ମୁଣ୍ଡିଆ ମାରିଲେ ପୋଲିସ ବାବୁ ? ମାଟିତଳୁ ମହାଦେବ ବାହାରିବା କଥା ବିଶ୍ୱାସଜନକ ମାତ୍ର ମହାଦେବଙ୍କ ନାଁରେ ଉକ୍ତ ବ୍ୟକ୍ତି ନିର୍ମମ ଭାବେ ମାଡ ମାରିବା କେତେଦୂର ଗ୍ରହଣୀୟ ତାହା ବିଶ୍ୱାସ- ଅନ୍ଧବିଶ୍ୱାସ ମଝିରେ ପ୍ରଶ୍ନ ଛିଡା କରିଛି ।