ଦୁଇ ଗୋଷ୍ଠୀ ମୁହାଁମୁହିଁ : ୬ ଗୁରୁତର

ବାସୁଦେବପୁର: ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଲକ୍ଷ୍ମୀଦାସପୁର ପଞ୍ଚାୟତ ବନ୍ଧସାହିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ତଗୋଳ ହୋଇ ୬ଜଣ ଗୁରୁତର ହୋଇଛନ୍ତି। ଦୋଳପୂର୍ଣ୍ଣିମା ଦିନ ଦ୍ବିପହରେ ବନ୍ଧସାହିରେ ଠାକୁରଙ୍କ ବିମାନ ବୁଲାଇବାକୁ କେନ୍ଦ୍ରକରି ଗଣ୍ତଗୋଳର ସୂତ୍ରପାତ ହୋଇଥିଲା। ପୂର୍ବରୁ ତିକ୍ତତା ଥିବା ଦୁଇ ଗୋଷ୍ଠୀ ମଧ୍ୟରେ ଦଳ ଦଳ ହୋଇ ଠେଙ୍ଗା ବାଡ଼ି ଆଣି ଆକ୍ରମଣ, ପ୍ରତିଆକ୍ରମଣ ହୋଇଥିଲା। ଏହି ଗଣ୍ତଗୋଳରେ ଉଭୟ ଗୋଷ୍ଠୀର ୬ ଜଣ ଗୁରୁତର ହୋଇଛନ୍ତି।

ଗୋଟିଏ ଗୋଷ୍ଠୀର ଲୋକମାନେ ଅତର୍କିତ ଆକ୍ରମଣ କରି ଅନ୍ୟ ଗୋଷ୍ଠୀର ଘର ଓ ଦୁଇଟି ବାଇକ ଭାଙ୍ଗି ଦେଇଥିବା ଜଣାଯାଇଛି। ପ୍ରକାଶ ଥାଉକି ଗତ କିଛି ଦିନ ପୂର୍ବେ ବନ୍ଧସାହିରେ ରାଜନୈତିକ ଶତ୍ରୁତା ସୃଷ୍ଟି ହୋଇଥିଲା। ଗୋଟିଏ ପକ୍ଷର ଲୋକମାନେ ବନ୍ଧସାହିର ଏକ ରାସ୍ତା ନିର୍ମାଣ କରିଥିଲେ। ଉକ୍ତ ଗାଁର ଅପର ଗୋଷ୍ଠୀର ଲୋକମାନେ ନିମ୍ନମାନର ରାସ୍ତା ନିର୍ମାଣ ହେଉଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ପୂର୍ବ ଶତ୍ରୁତାର ପୁନରାବୃତ୍ତି ହୋଇଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ଆକ୍ରମଣ ପ୍ରତି ଆକ୍ରମଣ କରିଥିଲେ। ଏଥିରେ ଜଗବନ୍ଧୁ ନାୟକଙ୍କ ସମେତ କାଶ୍ୟପ ନାୟକ, ଗୌରାଙ୍ଗ ନାୟକ, ସତ୍ୟଭାମା ନାୟକ ପ୍ରମୁଖ ଆହତ ହୋଇ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତ ଶୁକ୍ରବାର ହୋଇଥିବା ଗଣ୍ତଗୋଳ ଥମିନଥିବା ବେଳେ ହୋଲି ଦିନ ଅନ୍ୟ ଗୋଷ୍ଠୀର ଲୋକମାନେ ହାତରେ ଠେଙ୍ଗା ଧରି ମନୋରଞ୍ଜନ ବେହେରାଙ୍କ ଘର ଉପରେ ଆକ୍ରମଣ କରିଥିଲେ। ମନୋରଞ୍ଜନଙ୍କ ଘର ଭାଙ୍ଗିବା ସହ ସେମାନଙ୍କ ଦୁଇଟି ମୋଟର ସାଇକେଲ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ନାୟକାଣିଡିହି ପୁଲିସ ଗାଁକୁ ତଦନ୍ତରେ ଯାଇଥିବା ବେଳେ ଉତ୍ତ୍ୟକ୍ତ ବନ୍ଧସାହିର ଲୋକମାନେ ପୁଲିସକୁ ଅଟକ ରଖିଥିଲେ।

ସମ୍ବନ୍ଧିତ ଖବର