ଭଦ୍ରକରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ: ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ, ୬ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲାପାଳ ଡକ୍ଟର ଜ୍ଞାନ ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧୀକ୍ଷକ ଗୌତମ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ ହୋଇଛି। ଏହି ମାମଲାରେ ୬ଜଣଙ୍କୁ ଗିରଫ କରାଯାଇଛି।

ଅବକାରୀ ନିରୀକ୍ଷକ କ୍ଷିତୀଶ ଦାସ ଏବଂ ଭ୍ରାମ୍ୟମାଣ ସ୍କ୍ୱାଡ଼ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକଙ୍କ ନେତୃତ୍ୱରେ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନI ଅନ୍ତର୍ଗତ ଜଗନ୍ନାଥପୁର ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଦୁଇଗୋଟି ମୋଟର ସାଇକେଲରୁ(ଓଡି-୦୧ଏଇ-୭୯୫୧) ଓ (ଓଡି-୦୧ପି-୦୭୬୦) ୩୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ୦୨ ଜଣଙ୍କୁ ଗିରଫ କରାଯାଇଛି।

ସେହିପରି ବାସୁଦେବପୁର ଥାନI ଅନ୍ତର୍ଗତ ବ୍ରାହ୍ମଣୀଗାଁ ବଜାର ଚଢ଼ାଉ କରାଯାଇ ଗୋଟିଏ ମୋଟରସାଇକେଲ (ଓଡି-୨୨ଏଫ୍-୧୨୫୯) ଓ ଗୋଟିଏ ସ୍କୁଟିରୁ (ଓଡି-୨୨ଆର୍-୮୨୧୧) ୨୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ଏଥିରେ ସଂପୃକ୍ତ ୪ ଜଣଙ୍କୁ ଗିରଫ କରାଯାଇଛି। ଅବକାରୀ ବିଭାଗ ପକ୍ଷରୁ ହୋଇଥିବା ଏହି ଚଢ଼ାଉରେ ସମୁଦାୟ ୫୦୦ ଲିଟର ଦେଶୀ ରନ୍ଧା ମଦ ଜବତ କରିବା ସହିତ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି । ଜବତ ମଦର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି। ଉକ୍ତ ଚଢାଉରେ ଏ.ଏସ୍.ଆଇ ଭବେଶ ଦାସ ଓ ପ୍ରହଲ୍ଲାଦ ସାମଲ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଶିବପ୍ରସାଦ ସାହୁ, ପରେଶ ଟୁଡୁ, ଖଗେଶ୍ୱର ଜେନା, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଦା ପ୍ରଭୃତି ସାମିଲ ଥିଲେ । ଏନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ ପୃଥକ ମାମଲା ରୁଜ୍ଜୁ କରାଯାଇଛି।

 

ସମ୍ବନ୍ଧିତ ଖବର