ଲକଡାଉନ ନିୟମ ଭାଙ୍ଗିବାରୁ ୧୧ଜଣ ଚାଳକଙ୍କ ଉପରେ ଲାଗିଲା ୬୭ ହଜାର ଟଙ୍କାର ଜରିମାନା

ଭଦ୍ରକ: ଲକଡାଉନ କଟକଣା ସତ୍ତ୍ୱେ ନିୟମ ନ ମାନିବାରୁ ୧୧ ଜଣ ମୋଟରସାଇକେଲ ଚାଳକଙ୍କ ଉପରେ ୬୭ ହଜାର ଟଙ୍କାର ଫାଇନ କାଟିଛନ୍ତି ଭଦ୍ରକ ଆରଟିଓ | କୌଣସି ଜରୁରୀ କାମ ନଥିବାବେଳେ ଏହି ବାଇକ ଚାଳକମାନେ ରାସ୍ତାରେ ଯାଉଥିବାରୁ ଏହି ଫାଇନ କଟାଯାଇଛି ବୋଲି ଜଣାପଡିଛି | ଏହାପୂର୍ବରୁ ଆଜି ଭଦ୍ରକ ସାହାପୁର ଛକ ସିମେଣ୍ଟ ଦୋକାନରେ ଚଢାଉ କରି ଜଣେ ବ୍ୟବସାୟୀଙ୍କୁ ପୁଲିସ ଗିରଫ କରିଥିଲା ।

କରୋନା କଟକଣା ପରେ ବି ଦୋକାନ ଖୋଲିଥିବାରୁ ସିମେଣ୍ଟ ଦୋକାନୀଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି | କରୋନାକୁ ନେଇ ଦେଶବ୍ୟାପୀ ସତର୍କତା ଚାଲିଥିବା ବେଳେ ଦେଶର ଅର୍ଦ୍ଧାଧିକ ରାଜ୍ୟ ଏବଂ ସହର ଲକଡାଉନ ଘୋଷିତ ହୋଇଛି ।

ଓଡିଶା ସରକାର ମଧ୍ୟ ଆସନ୍ତା ୨୯ ତାରିଖ ରାତି ୯ଟା ଯାଏଁ ଏହି କଟକଣା ଲାଗୁ କରିଛନ୍ତି । ତେବେ ତାଲାବନ୍ଦ ସମୟରେ ରାସନ, ଔଷଧ ଓ ପରିବା ଦୋକାନଗୁଡିକୁ ବାଦ୍ ଦିଆଯାଇଥିବା ବେଳେ ଅତି ଜରୁରୀ ନଥିଲେ କେହି ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର