ବିଶ୍ଵବିଦ୍ୟାଳୟ ଓ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ କଂଗ୍ରେସ ପକ୍ଷରୁ ୮ ଘଣ୍ଟିଆ ଭଦ୍ରକ ବନ୍ଦ

ଭଦ୍ରକ: ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ କଂଗ୍ରେସ ପକ୍ଷରୁ ଆଜି ୮ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ଅପରାହ୍ଣ ୨ଟା ଯାଏ ଏହି ବନ୍ଦ ପାଳନ ହେବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ଏହାର ପ୍ରଭାବରେ ଆଜି ଭଦ୍ରକରେ ସ୍କୁଲ କଲେଜ, ଦୋକାନ ବଜାର ବନ୍ଦ ରହିଛି। ଭଦ୍ରକରେ ବସ୍ ଓ ଯାନବାହାନ ଚଳାଚଳ ବନ୍ଦ ରହିଛି। ମୋଟାମୋଟି ଭାବେ କହିବାକୁ ଗଲେ ସେଠାରେ ଜନଜୀବନ ପ୍ରଭାବିତ ହୋଇଛି।
ଭଦ୍ରକ କଲେଜକୁ ବିଶ୍ଵବିଦ୍ୟାଳୟ ଓ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ଜିଲ୍ଲାବାସୀ ଓ ଭଦ୍ରକ ଜିଲ୍ଲା କଂଗ୍ରେସ ପକ୍ଷରୁ ବହୁ ଦିନରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି। ମାତ୍ର ରାଜ୍ୟ ସରକାର ଭଦ୍ରକବାସୀଙ୍କର ଏହି ପ୍ରମୁଖ ଦାବି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଅତୀତରେ ଏହି ଦୁଇ ପ୍ରମୁଖ ଦାବିକୁ ନେଇ ଭଦ୍ରକରେ ବହୁବାର କଂଗ୍ରେସ ଦଳ ପକ୍ଷରୁ ଆନ୍ଦୋଳନ କରାଯାଇଛି। ଏହାର କିଛି ପ୍ରଭାବ ରାଜ୍ୟ ସରକାରଙ୍କ ଉପରେ ପଡି ନହିଁ।


ରାଜ୍ୟରେ ପରିଚାଳିତ ବିଜେଡି ସରକାର ଅନ୍ୟ ଜିଲ୍ଲାରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରୁଛନ୍ତି। ମାତ୍ର ଭଦ୍ରକ ଜିଲ୍ଲାରେ କାହିଁକି ବିଶ୍ଵବିଦ୍ୟାଳୟ ଓ ମେଡ଼ିକାଲ କରାଯିବ ନାହିଁ ବୋଲି କଂଗ୍ରେସ ନେତା ନଳିନୀକାନ୍ତ ମହାନ୍ତି ପ୍ରଶ୍ନ ଉଠାଇଛନ୍ତି।  ରାଜ୍ୟ ସରକାର ଜିଲ୍ଲାର ଦୁଇ ପ୍ରମୁଖ ଦାବି ପୂରଣ କରୁ ନଥିବାରୁ କଂଗ୍ରେସ ଦଳ ତରଫରୁ ଆଜି ୮ ଘଣ୍ଟିଆ ଭଦ୍ରକ ବନ୍ଦ୍ କରାଯାଉଛି।

ଏହି ବନ୍ଦ ଡାକରା ଭଦ୍ରକ ସହର ଭିତରେ ସୀମିତ ରହିବ। ରାଜ୍ୟ ସରକାର ଭଦ୍ରକବାସୀଙ୍କର ଏହି ଦାବିକୁ ନଶୁଣିଲେ ଆଗାମୀ ଦିନରେ ଭଦ୍ରକରେ ଆନ୍ଦୋଳନ ଦୁର୍ବାର ହେବା ସହ ଏହି ଆନ୍ଦୋଳନ ଭୁନେଶ୍ୱରରେ କରାଯିବ ଏପରିକି ବିଧାନସଭା ଆଗରେ ଆନ୍ଦୋଳନ କରାଯିବ ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛ।

ସମ୍ବନ୍ଧିତ ଖବର