ସୁଧର ପ୍ରଲୋଭନ ଦେଖାଇ ଠକିଥିବା ଯୁବକ ଧରାପଡିଲା

ଅସୁରାଳି: ଗାଁର ମହିଳାମାନଙ୍କୁ ସୁଧର ପ୍ରଲୋଭନ ଦେଖାଇ ଲକ୍ଷ ଲକ୍ଷ ଟଙ୍କା ନେଇ ଯାଇଥିବା ଜଣେ ଯୁବକର କାରନାମା ଏବେ ପଦାକୁ ଆସିଛି । ଟଙ୍କା ନେଇ ଛୁ ମାରିଥିବା ଏହି ଯୁବକଙ୍କୁ ୫ ମାସ ପରେ ମହିଳାମାନେ ଧରିଛନ୍ତି। ଏମିତି ଘଟଣା ଘଟିଛି ଧାମନଗର ବ୍ଲକ ଅଧିନ ଗୋବିନ୍ଦପୁର ଗାଁରେ। ଗୋବିନ୍ଦପୁର ଗ୍ରାମର ସୁବ୍ରତ କୁମାର ପରିଡ଼ା (୩୫) କିଛି ଦିନ ପୂର୍ବେ ଗାଁର ମହିଳାମାନଙ୍କୁ ବିଭିନ୍ନ ବେସରକାରୀ ସଂସ୍ଥାରୁ ଋଣ କରାଇ ଦେବାର ପ୍ରଲୋଭନ ଦେଖାଇଥିଲେ । ଗାଁର ମହିଳା ମାନେ ବିଭିନ୍ନ ଗୃପରୁ ଋଣ ଆଣିବାକୁ ସୁବ୍ରତ କଥାରେ ରାଜି ହୋଇ ଯାଇଥିଲେ । ସୁବ୍ରତ ଏହି ମାମଲାରେ ମଧ୍ୟସ୍ତି ସାଜିଥିଲା । ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାକୁ ଗାଁକୁ ଆଣି ସେ ମହିଳାମାନଙ୍କୁ ଭେଟାଇବା ସହ ଆବଶ୍ୟକୀୟ କାଗଜପତ୍ର ଦେଇ ପଯ୍ୟର୍ାୟ କ୍ରମେ ଋଣ ମଞ୍ଜୁର କରାଇ ଦେଇଥିଲା । ଋଣ ଆଣିଥିବା ମହିଳା ମାନଙ୍କୁ ପରିଶୋଧ କରିବାକୁ ଥିବା ସୁଧ ଠାରୁ ଅଧିକ ସୁଧ ଦେବା ସହ ଋଣ ଅର୍ଥ ସୁଜି ଦେବାକୁ ନା ନା ଉପାୟରେ ମନେଇ ସୁବ୍ରତ ପାଖା ପାଖି ୬ଲକ୍ଷ ଟଙ୍କା ନେଇଯାଇଥିଲା ।

ଟଙ୍କା ନେବାର ଅଳ୍ପ କେତୋଟି କିସ୍ତି ଦେବା ପରେ ପୂର୍ବ ପ୍ରତିଶୃତି ଖିଲାପ କରିଥିଲେ ଯୁବକ ଜଣକ । ଋଣ ଦେଇଥିବା ସଂସ୍ଥା ଠିକ ସମୟରେ କିସ୍ତି ଅର୍ଥ ନପାଇବାରୁ ଅସ୍ୱଭାବିକ ପରିସ୍ଥିତି ଉପୁଜିଥିଲା ଏହା ମଧ୍ୟରେ ଟଙ୍କା ନେଇଥିବା ସୁବ୍ରତ ଗାଁରୁ ଅର୍ନ୍ତଧ୍ୟନ ହୋଇ ଯାଇଥିଲେ। ସୁବ୍ରତର ଦେଖା ନ ମିଳିବା ସାଙ୍ଗଙ୍କୁ ଗୃପର ଋଣ ପରିଶୋଧ ନେଇ ମହିଳାମାନେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଦୁର୍ଗାପୂଜା ଠାରୁ ଟଙ୍କା ନେଇ ଖସି ଯାଇଥିବା ସୁବ୍ରତ ଦୁଇ ଦିନ ତଳେ ଗାଁକୁ ଆସିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ମହିଳା ମାନେ ସଙ୍ଘବଦ୍ଦ ଭାବେ ତାକୁ ଘେରିଥିଲେ। ସ୍ଥାନୀୟ ଲୋକ ପ୍ରତିନିଧି ଓ ଭଦ୍ର ଲୋକଙ୍କ ମାଧ୍ୟମରେ ଏ ନେଇ ଗୋବିନ୍ଦପୁର ଠାରେ ଏକ ବୈଠକ ବସିବା ଯାଏଁ କଥା ପହଞ୍ଚିିଥିଲା।

ଋଣ ଦେଇଥିବା ସଂସ୍ଥାର କର୍ମଚାରୀ ଓ ଋଣ ଉଠାଇ ଟଙ୍କା ଦେଇଥିବା ୩୦ରୁ ଅଧିକ ମହିଳା ସୁବ୍ରତର ଚଞ୍ଚକତା କାର୍ଯ୍ୟ ବିଷୟରେ ଭଦ୍ର ଲୋକଙ୍କ ଆଗରେ ସବୁ ଜଣାଇବା ପରେ ଏହି ଯୁବକ ଟଙ୍କା ସୁଝିବାକୁ ଲିଖିତ ଭାବେ ରାଜିହୋଇଥିବା ଜଣାଯାଇଛି । ବେପାର କରିବା ନାଁରେ ଏକାଧୀକ ମହିଳାଙ୍କୁ ଭୁତାଇ ଲକ୍ଷ ଲକ୍ଷ ଟଙ୍କା ହାତେଇଥିବା ଏହି ଯୁବକର କାରନାମା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆଲୋଚନା ଜୋର ଧରିଛି ।

ସମ୍ବନ୍ଧିତ ଖବର