ଗଛରେ ପିଟି ହେଲା ଅଟୋ, ଜଣେ ମୃତ, ୪ ଗୁରୁତର, ଅଟୋଚାଳକ ଫେରାର୍

ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ମତୋ ମାଧପୁର ରାସ୍ତାର ବଙ୍ଗାଳିପଡ଼ା କରାଣ୍ଡିମାଳ ଛକ ରାସ୍ତା ନିକଟରେ ଏକ ଅଟୋ ଦ୍ରୁତ ଗତିରେ ଆସି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିବାରୁ ଜଣଙ୍କର ପ୍ରାଣହାନି ଘଟିଥିବା ଜଣାଯାଇଛି। ଗଛରେ ପିଟି ହୋଇ ଅଟୋ ଓଲଟି ପଡ଼ିଥିବା ବେଳେ ଏଥିରେ ବସିଥବା ୭ଜଣ ଯାତ୍ରୀ ଆହତ ହୋଇଛନ୍ତି। ଏମାନଙ୍କ ଭିତରୁ ୪ ଜଣ ଗୁରୁତର ଓ ଜଣେ ସଂକଟାପନ୍ନ ଥିବା ଜଣାଯାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ଦୁର୍ଘଟଣା  ଘଟିବା ପରେ ସେହି ସ୍ଥାନରେ ପଥଚାରୀମାନେ ପହଞ୍ଚି  ଅଟୋ ଭିତରୁ ଯାତ୍ରୀମାନଙ୍କୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ। ଆହତମାନଙ୍କୁ ଚାନ୍ଦବାଲି ମେଡିକାଲକୁ ପଠାଇବାର ବ୍ୟବସ୍ଥା କରାଯାଇଛି। ସଦ୍ୟତମ ସୂଚନା ଅନୁସାରେ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ମାଧପୁର ରାସ୍ତାରେ ପାଇପ ଲାଇନ କାମ ଚାଲୁଥିବା ବେଳେ ଅନ୍ୟପଟେ ରାସ୍ତା ମଧ୍ୟ ଖରାପ ଅଛି।

ଗତକାଲି ରାତି ସାଢ଼େ ୮ଟା ସମୟରେ ମତୋ ବଜାରରୁ ଅଟୋ ଗାଡ଼ ନମ୍ବର (ଓଡ଼ି ୨୨ସି ୦୫୭୭) ମାଧପୁର ଅଭିମୁଖେ ବାହାରିଥିଲା ହେଲେ କରାଣ୍ଡିମାଳ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା ବେଳେ ଏକ ଗଛକୁ ପିଟିଥିଲା। ଏହାଫଳରେ ମାଧପୁର ଗାଁର ମାୟାଧର ଦାସ (୪୦) ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଗୟାଧର ସେଠୀ (୩୫) ଗୁରୁତରଭାବରେ ଆହତ ହୋଇଥିଲେ। ଅଟୋ ଚାଳକଙ୍କ ସମେତ ଅନ୍ୟ ୪ଜଣ ଆହତ ହୋଇଛନ୍ତି।  ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଆମ୍ବୁଲାନ୍ସ୍ ଡକାଇ ଚାନ୍ଦବାଲି ମେଡିକାଲକୁ ପଠାଇଥିଲା।

ତେବେ ଅଟୋଚାଳକ ଏହି ଦୁର୍ଘଟଣା ଘଟାଇବା ପରେ ଫେରାର୍ ହୋଇ ଯାଇଥିବା କୁହାଯାଉଛି। ପୁଲିସ୍ ଅଟୋକୁ ଜବତ କରି ତଦନ୍ତ କରୁଥିବା ଜଣାଯାଇଛି।

 

ସମ୍ବନ୍ଧିତ ଖବର