ଭଦ୍ରକ: ଏକ ଚେକ୍ ବାଉନ୍ସ ମାମଲାର ବିଚାର କରି ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଚିନ୍ମୟ କୁମାର ପାଢ଼ୀ ଅଭିଯୁକ୍ତଙ୍କୁ ୩ ମାସ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଭଦ୍ରକ ଜିଲ୍ଲା କୁଆଁସ ଗ୍ରାମର ସ୍ବର୍ଗତ ପୁରୁଷୋତ୍ତମ ବେହେରାଙ୍କ ପୁତ୍ର କାହ୍ନୁ ଚରଣ ବେହେରାଙ୍କୁ ଚେକ୍ ଦେଇ ଆକାଣ୍ଟରେ ଟଙ୍କା ନ ରଖି ଠକେଇ କରିବା ଅଭିଯୋଗରେ ତିରିଶ ହଜାର ଟଙ୍କା ଜରିମାନା ଓ ତିନି ମାସ ଜେଲ ଦଣ୍ଡ ଓ ଜୋରିମାନା ଅନାଦାୟରେ ପୁନଶ୍ଚ ଏକ ମାସ ଜେଲ ଦଣ୍ଡ ଭୋଗିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଘଟଣାରୁ ପ୍ରକାଶ ଯେ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ମୌଦା ଗ୍ରାମର ଅବସରପ୍ରାପ୍ତ ସେନା କର୍ମଚାରୀ ବିଶ୍ୱ ପ୍ରକାଶ ନାୟକଙ୍କ ସହ ବନ୍ଧୁତା ସ୍ଥାପନ କରି କୁଆଁସ ଗ୍ରାମର କାହ୍ନୁ ଚରଣ ବେହେରା ନିଜ ବ୍ୟବସାୟରେ ବିନିଯୋଗ ପାଇଁ ଛଅ ମାସ ପାଇଁ ଗତ ୨୦୨୧ ମସିହା ନଭେମ୍ବର ମାସ ୩୦ ତାରିଖରେ ୨ ଲକ୍ଷ ୫୦ ହଜାର ଟଙ୍କା ଧାର ନେଇଥିଲା। ଛଅ ମାସ ପରେ ବିଶ୍ୱପ୍ରକାଶ ଟଙ୍କା ଫେରାଇବାକୁ କହିବାରୁ କାହ୍ନୁ ତାଙ୍କୁ ନୂଆ ବଜାର, ଭଦ୍ରକ ଷ୍ଟେଟ ବ୍ୟାଙ୍କରେ ଏକ ଚେକ ଦେଇ ବ୍ୟାଙ୍କ ମାଧ୍ୟମରେ ଦୁଇ ମାସ ପରେ ଉଠାଇ ନେବା ପାଇଁ କହିଥିଲା। ବିଶ୍ୱପ୍ରକାଶ ସେହି ବର୍ଷ ଜୁନ ୨୮ରେ ଚେକକୁ ନେଇ ନିଜ ବ୍ୟାଙ୍କରେ ଡିପୋଜିଟ କରିବା ପରେ ତା ବ୍ୟାଙ୍କ ଖାତାରେ ଏତେ ଟଙ୍କା ନ ଥିବାରୁ ଚେକଟି ବାଉନ୍ସ ହୋଇ ଯାଇଥିଲା। ଫଳରେ ବିଶ୍ୱପ୍ରକାଶ ଯେତେ ଅନୁରୋଧ କରିଥିଲେ ମଧ୍ୟ ସେ ଟଙ୍କା ନ ଫେରାଇବାରୁ ଭଦ୍ରକ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଅଦାଲତରେ ମକଦ୍ଦମା କରିଥିଲେ। ଅଦାଲତ ତାଙ୍କୁ ଉପରୋକ୍ତ ଦଣ୍ଡରେ ଦଣ୍ଡିତ କରିଛନ୍ତି। ବିଶ୍ୱପ୍ରକାଶଙ୍କ ପାଇଁ ଭଦ୍ରକର ବରିଷ୍ଠ ଓକିଲ ଗଦାଧର ବଳ ଓ ତାଙ୍କ ସହଯୋଗୀ ସଂଜୟ ମାଝି,ଏସ.କେ.ଗୌରବ ଓ ଜୟନ୍ତ କୁମାର ଭୋଇ ମାମଲା ପରିଚାଳନା କରୁଥିଲେ।