ପୁଲିସ ଉପସ୍ଥିତିରେ ମହିଳାଙ୍କୁ ମାଡ଼; ଶାଶୂ ଓ ଶ୍ୱଶୁର ଅଟକ

ଭଦ୍ରକ : ଶ୍ୱଶୁର ଘରୁ ନିଜ ଯୌତୁକ ସାମଗ୍ରୀ ଆଣିବା ଲାଗି ପୁଲିସ ସହ ଯାଇଥିବା ଜଣେ ମହିଳାଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ଶାଶୂଘର ଲୋକେ। ଆଜି ପୁଲିସ ସମ୍ମୁଖରେ ଏ କାଣ୍ଡକରି ଶାଶୂ ଓ ଶ୍ୱଶୁର ଗିରଫ ହୋଇଛନ୍ତି। ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଶାଶୂ ବାସନ୍ତୀ ଓ ଶ୍ୱଶୁର ଗୋଲକ ଦାସଙ୍କୁ ଅଟକ ରଖିଛି।

ପୁଲିସ ସୂତ୍ରରୁ ଜଣାପଡ଼ିଛି ତାଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଛି ବୋଲି ସାବିତ୍ରୀ ନଗରର ଦୁଷ୍ମନ୍ତ ଦାସଙ୍କ ପତ୍ନୀ ରାନୁ ପୁଲିସ ନିକଟରେ ଅଭିଯୋଗ କରିଥିଲେ। ଏନେଇ ସେ ସ୍ୱାମୀ, ଶାଶୂ, ଶ୍ୱଶୁର, ନଣନ୍ଦ ଓ ନଣନ୍ଦେଇଙ୍କ ସମେତ ପରିବାରର ୮ଜଣଙ୍କ ବିରୋଧରେ ୧୫ଦିନ ପୂର୍ବେ ଯୌତୁକ ନିର୍ଯାତନା ଅଭିଯୋଗ ଆଣି ଏତଲା ଦେଇଥିଲେ। ଗତ ମାସ ୨୫ ତାରିଖ ଦିନ ଥାନା କେସ୍‌ ନମ୍ବର ୪୪/୧୮ରେ ପୁଲିସ ଏନେଇ ମାମଲା ରୁଜୁ କରିଥିଲା। କିଛି କାର୍ଯ୍ୟାନୁଷ୍ଠାନ ନହେବାରୁ ଅଭିଯୁକ୍ତଙ୍କୁ ପୁଲିସ ଅନୁକମ୍ପା ଦେଖାଉଥିବା ଅଭିଯୋଗ କରି ରାନୁ ଗତ ୮ତାରିଖ ଦିନ ଏସପିଙ୍କ ଦ୍ୱାରସ୍ଥ ହୋଇଥିଲେ।

ହେଲେ ଏସପିଙ୍କ ପ୍ରତିଶ୍ରୁତିରେ ସେ ସନ୍ତୁଷ୍ଟ ହୋଇନଥିଲେ। ଅତିିରିକ୍ତ ଏସପିଙ୍କ ଗାଡ଼ି ବାହାରିବା ବେଳେ ସେ ଗାଡ଼ି ସମ୍ମୁଖରେ ବସି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନ୍ୟାୟ ଦେବାକୁ ଦାବି କରିଥିଲେ। ଆଜି ଗ୍ରାମାଞ୍ଚଳ ପୁଲିସ ରାନୁଙ୍କ ସହ ଯୌତୁକ ଜିନିଷ ଉଦ୍ଧାର କରିବାକୁ ଦୁଷ୍ମନ୍ତଙ୍କ ଘରକୁ ଯାଇଥିଲା। ହେଲେ ଶ୍ୱଶୁର ଗୋଲକ ପୁଲିସ ସାମ୍ନାରେ ରାନୁଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଶାଶୂ ବାସନ୍ତୀ ମଧ୍ୟ ତାଙ୍କୁ ମାଡ ମାରିଥିଲେ। ପୁଲିସ ରାନୁଙ୍କୁ ଉଦ୍ଧାର କରିବା ସହ ଗୋଲକ ଓ ବାସନ୍ତୀଙ୍କୁ ଧରିନେଇଛି। ରାନୁ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର