ଭଦ୍ରକ/ରାଣୀତାଲ: ଗତ ୧ ତାରିଖ ଦିନ ରାତିରେ ରାଣୀତାଲ- ରମ୍ଭିଳା କେନାଲ ରାସ୍ତାରୁ ଜଣେ ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତମାନେ ବାଇକ ସହ ମୋବାଇଲ ଓ ଟଙ୍କା ଛଡାଇ ନେଇଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତି ପ୍ରାୟ ସାଢେ଼ ୧୨ଟା ବେଳେ ୯ ଜଣ ଯୁବକ ୩ଟି ମୋଟର ସାଇକେଲରେ ଆସି ରାଣୀତାଲ କେନାଲ ବନ୍ଧରେ ଚୋରି କରିବାକୁ ଯୋଜନା କରୁଥିଲେ। ଡକାୟତି କରିବା ପାଇଁ ଏହି ଯୁବକମାନେ ରମ୍ଭିଳା କେନାଲ ବନ୍ଧ ଛକରେ ଏକତ୍ରିତ ହୋଇଥିବା ଓ ସେମାନଙ୍କର ହାବଭାବ ଓ କଥାବାର୍ତ୍ତା ସମ୍ପର୍କରେ ସୁରାକ ପାଇ କେହି ଜଣେ ଲୋକ ଗ୍ରାମବାସୀଙ୍କୁ ଖବର ଦେଇଥିଲେ।
ଖବର ପାଇ ଗ୍ରାମବାସୀମାନେ ସେଠାକୁ ଆସି ଏକତ୍ରିତ ହୋଇଥିବା ଯୁବକମାନଙ୍କୁ ବିରୋଧ କରିବାରୁ ସେମାନେ ଭୁଜାଲି, ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗ୍ରାମବାସୀ ଅଧିକ ସଂଖ୍ୟାରେ ଆସିବାରୁ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରି ସେଠାରୁ ଦ୍ରୁତ ବେଗରେ ଭଦ୍ରକ ଅଭିମୁଖେ ପଳାଇବା ସହ ୧୬ ନମ୍ୱର ଜାତୀୟ ରାଜପଥରେ ଫେରାର ହୋଇଯାଇଥିଲେ। ଯିବା ବେଳେ ସେମାନେ ଏକ ବାଇକ୍, ଭୁଜାଲି ଓ ଏକ ବନ୍ଧୁକର ଖୋକା ଛାଡ଼ି ଘଟଣାସ୍ଥଳରୁ ଜୀବନ ବିକଳରେ ପଲାଇ ଯାଇଥିଲେ। ଦୁର୍ବୃତ୍ତମାନଙ୍କ ସହିତ ଗ୍ରାମର ସାହସୀ ଯୁବକ ରାଜେଶ ମହାନ୍ତି, କାହ୍ନୁ ଚରଣ ଜେନା, ଗଣେଶ ବାରିକ ମୁହାଁମୁହିଁ ହୋଇଥିଲେ। ଗାଁ ଲୋକଙ୍କ ସହ ଦୁର୍ବୃତ୍ତମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଖବର ପାଇ ଗ୍ରାମାଞ୍ଚଳ ପୁଲିସ ପହଞ୍ଚି ଏକ ହିରୋହୋଣ୍ଡା ମଟର ସାଇକେଲ ନମ୍ବର( ଓଡି - ଏୟୁ- ୧୩୩୫ ), ଏକ ଖୋକା ଓ ମାରଣାସ୍ତ୍ର ଜବତ କରିବା ସହ ତଦନ୍ତ ଚାଲୁ ରଖିଛି।
ଏଠାରେ ସୂଚନାଯୋଗ୍ୟ ଯେ, ରାଣୀତାଲରୁ ବରଦା ଯାଇଥିବା ଏହି କେନାଲ ରୋଡ ନିଛାଟିଆ ହୋଇଥିବାର ସୁଯୋଗ ନେଇ ଅସାମାଜିକ ଲୋକ ଛିନତାଇ ଓ ଡକାୟତି କରିବା ପାଇଁ ଯୋଜନା କରୁଛନ୍ତି। ଏଥିପାଇଁ ପୁଲିସ ପାଟ୍ରୋଲିଙ୍ଗ ବ୍ୟବସ୍ଥା କଡାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି। ପୁଲିସ ଏହି ଘଟଣାକୁ ଗୁରୁତ୍ଵ ଦେଇ ବିଭିନ୍ନ ସ୍ଥାନରେ ଚଢ଼ଉ ଆରମ୍ଭ କରିଥିବା ବେଳେ ଦୁର୍ବୃତ୍ତମାନଙ୍କର ଗତିବିଧି ଉପରେ କଡ଼ା ନଜର ରଖିଛି। ଖୁବ ଶୀଘ୍ର ଦୁର୍ବୃତ୍ତମାନଙ୍କୁ ଗିରଫ କରାଯିବ ବୋଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିକାରୀ ଅମିତାଭ ଦାସ କହିଛନ୍ତି।