ବାସୁଦେବପୁର: ବାସୁଦେବପୁର ବ୍ଲକ୍ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରିୟାପ୍ରୀତିକୁ ନେଇ ହିତାଧିକାରୀ ମହଲରେ ଅସନ୍ତୋଷ ତେଜିବାରେ ଲାଗିଛି। କୋଠା ଘର ଥିବା ଲୋକଙ୍କ ନାଁରେ ଆବାସ ମଞ୍ଜୁର ହେଉଥିବା ବେଳେ ଗରିବମାନେ ଭଙ୍ଗା ଚାଳଛପର ଘରେ ମୁଣ୍ଡ ଗୁଞ୍ଜିଛନ୍ତି। ଏମିତିକି ନିଜସ୍ବ ଦୁଇ ମହଲା ଘର ଥିଲେ ବି ଆବାସ ଯୋଜନାରେ ସରକାରୀ ଅର୍ଥ ତୋଷରପାତ କରିବାକୁ ପଛାଇନାହାନ୍ତି ଧନୀବର୍ଗର ବ୍ୟକ୍ତି।
ବାସୁଦେବପୁର ବ୍ଳକ୍ ବାଲିମେଦ ଗ୍ରାମର ସୁବାସ ବାରିକ ଅତ୍ୟନ୍ତ ଗରିବ। ସୁବାସଙ୍କ ବାପା ଆରପାରିକୁ ଚାଲି ଯାଇଥିବା ବେଳେ ପକ୍ଷାଘାତ ପୀଡ଼ିତା ବୃଦ୍ଧା ମା’ଙ୍କୁ ନେଇ ଏକ ଝାଟିମାଟି ଘରେ ରହୁଛନ୍ତି। ତଥାପି ଏ ଦୃଶ୍ୟ ସରକାରୀ ବାବୁଙ୍କୁ ପ୍ରଭାବିତ କରିପାରିନି। ସେମିତି ଦାମୋଦରପୁର ଗ୍ରାମର ନିରଞ୍ଜନ ବାରିକଙ୍କ ଘର ଗତ ଫନି ବାତ୍ୟାରେ ଭାଙ୍ଗି ଯାଇଥିବା ବେଳେ ସରକାରୀ ଘର ଖଣ୍ଡେ ପାଇବାକୁ ସେ ଅନେକବାର ବ୍ଳକ୍ ପ୍ରଶାସନ ପାଖରେ ନେହୁରା ହେଲେଣି। ମାତ୍ର ସରକାରୀ ଆବାସ ଯୋଜନା ଅବା ଫନି ସହାୟତାରେ ଆସିଥିବା ରାଜ୍ୟ ସରକାରଙ୍କ ଘର ଯୋଜନାରେ ତାଙ୍କୁ ଏଯାବତ ସାମିଲ କରାଯାଇନାହିଁ। ଅନୁରୂପ ଭାବେ ଅଗ୍ନିକାଣ୍ତରେ ବାସହରା ହୋଇଥିବା ଦାମୋଦରପୁର ଗ୍ରାମର ଦୈତାରୀ ନାୟକଙ୍କୁ ମଧ୍ୟ ଆବାସ ମିଳିପାରିନାହିଁ। ଉକ୍ତ ପଞ୍ଚାୟତର ଖସରବାଡି, କାଳିଦାସପୁର ଆଦି ଗାଁର ଅନେକ ଅଭାବୀ ପରିବାର ପକ୍କା ଘର ଖଣ୍ଡେ କରିବାକୁ ଅକ୍ଷମ ଥିବାବେଳେ ସେମାନେ ସରକାରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି।
ଆବାସ ଯୋଜନା ହିତାଧିକାରୀଙ୍କ ପାଇଁ ୨୦୨୨-୨୦୨୩ ଆର୍ଥିକ ବର୍ଷରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କୋଠାଘର ଥିବା ବ୍ୟକ୍ତିଙ୍କ ନାମ ରହିଥିବା ଜାଣି ଗାଁ ଲୋକେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ। ଏ ନେଇ କେତେକ ସଚେତନ ନାଗରିକ ବ୍ଲକ୍ ପ୍ରଶାସନ ପାଖରେ ଅଭିଯୋଗ ମଧ୍ୟ କରିଥିଲେ। ମାତ୍ର ଚୂଡ଼ାନ୍ତ ତାଲିକା ଉପରେ ଆଉ କିଛି କରିହେବ ନାହିଁ ବୋଲି କହିଥିଲେ ବିଡିଓ। ପରେ ଗ୍ରାମବାସୀ ଅନ୍ଲାଇନ୍ରେ ଏହି ଅନିୟମିତତା ସମ୍ପର୍କରେ ଅଭିଯୋଗ କରିବା ପରେ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବ୍ଲକ୍ ଯନ୍ତ୍ରୀଙ୍କ ସମେତ କେତେକ ଅଧିକାରୀ ବାଲିମେଦ ପଞ୍ଚାୟତ ପରିଦର୍ଶନରେ ଯାଇଥିଲେ ମଧ୍ୟ ଅଦ୍ୟାବଧି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। ଚୂଡ଼ାନ୍ତ ତାଲିକାରେ ଅନେକ ଥିଲାବାଲା ସ୍ଥାନ ପାଇଥିବା ବେଳେ ଗରିବମାନଙ୍କୁ ତାଲିକାରୁ ବାଦ୍ ଦିଆଯାଇଛି। ଆଉ ଏହି ଯୋଜନାରେ କୋଠା ଘର ଥିବା ଲୋକଙ୍କ ନାମରେ ୪୦ ହଜାର ଲେଖା ଟଙ୍କା ସେମାନଙ୍କ ଖାତାରେ ପୈଠ ହୋଇଥିବା ଜଣାପଡିଛି। ଏ ସଂପର୍କରେ ବିଡିଓ ସତ୍ୟଜିତ ରାଉତଙ୍କୁ ପଚରାଯିବାରୁ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ସେ ଅନୁଧ୍ୟାନ କରିବେ ବୋଲି ସୂଚନା କହିଛନ୍ତି।