ଚାନ୍ଦବାଲି: ଚାନ୍ଦବାଲି ବ୍ଲକ ମୁଖ୍ୟାଳୟ ସହ ବ୍ଳକର ଧାମରା ଅଞ୍ଚଳର ୮ ପଞ୍ଚାୟତ ସ୍ଥଳପଥରେ ଯୋଡ଼ି ହୋଇଛି। ଭଦ୍ରକ ଜିଲ୍ଲା ସଦର ମହକୁମା ଏବଂ ଚାନ୍ଦବାଲି ବ୍ଲକ ମୁଖ୍ୟାଳୟକୁ ସିଧାସଳଖ ଭାବେ ସଂଯୋଗୀକରଣ ପାଇଁ ନିର୍ମିତ ହୋଇଥିବା ବାଂଶଡ଼ା ସେତୁରେ ଦୁଇ ଓ ଚାରିଚକିଆ ଯାନ ଯାତାୟାତ ଆରମ୍ଭ ହୋଇଯାଇଛି। ଏହା ଆନୁଷ୍ଠାନିକ ଭାବେ ଉଦଘାଟନ ହୋଇ ନଥିଲେ ସୁଦ୍ଧା ଯାତାୟତ ପାଇଁ ପ୍ରଶାସନିକ ଅନୁମତି ମିଳିଛି। ଏହି ବାଂଶଡ଼ା ସେତୁର କାର୍ଯ୍ୟ ସଂପୂର୍ଣ୍ଣ ଶେଷ ହୋଇଥିବା ବେଳେ ଏହାକୁ ଲୋକାର୍ପଣ କରାଯାଇ ନଥିଲା।
ଜିଲ୍ଲା ପ୍ରଶାସନ ଅଂଚଳବାସୀଙ୍କୁ ଉଦଘାଟନର ଧାର୍ଯ୍ୟ ସମୟ ନଦେଇ ଦିନ ପରେ ଦିନ ଗଡ଼ାଇ ଚାଲିଥିଲା। ଏହାର ପ୍ରତିବାଦ ସ୍ୱରୂପ ଚଳିତ ମାସ ୧୩ ତାରିଖ ଚାନ୍ଦବାଲି ବ୍ଲକ କଂଗ୍ରେସ ତରଫରୁ ଏହି ସେତୁକୁ ଯାତାୟତ ଉପଯୋଗୀ କରିବା ପାଇଁ ଭଦ୍ରକ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ଅନୁରୋଧ କରିଥିଲେ। ଏହି ସେତୁକୁ ଯାତାୟତ ଉପଯୋଗୀ କରା ନଗଲେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ବାଂଶଡ଼ାଠାରେ ରାସ୍ତାରୋକ ହେବ ବୋଲି ମଧ୍ୟ ଚେତାବନୀ ଦିଆଯାଇଥିଲା। ଏହି ସମସ୍ତ ଅଭିଯୋଗ ପାଇବା ପରେ ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାର ଗତ ୧୫ତାରିଖ ବାଂଶଡ଼ା ଆସି ଚଳିତ ମାସ ୨୨ତାରିଖ ଦିନ ଏହି ସେତୁ ମଧ୍ୟ ଦେଇ ସମସ୍ତ ଜନସାଧାରଣ ଯାତାୟତ କରିବା ସହ ବାଇକ, ଆମ୍ବୁଲାନ୍ସ ଯାତାୟତ କରିପାରିବ ବୋଲି ଆଶ୍ୱାସନା ଦେଇଥିଲେ। ଆଜି ଭଦ୍ରକ ଜିଲ୍ଲାପାଳଙ୍କ ନିର୍ଦେଶରେ ଚାନ୍ଦବାଲି ତହସିଲଦାର ଆସି ଏହି ସେତୁର ଦକ୍ଷିଣ ପାର୍ଶ୍ବରେ ଥିବା ବଡ଼ ବଡ଼ ସ୍ଲାବଗୁଡ଼ିକୁ ମେସିନ୍ ଲଗାଇ ହଟାଇବା ପାଇଁ ସଂପୃକ୍ତ ଠିକାଦାରଙ୍କୁ ନିର୍ଦେଶ ଦେଇଥିଲେ। ଫଳରେ ସଂପୃକ୍ତ ଠିକାଦାର ୫.୫ ମିଟର ଓସାର ଥିବା ବାଂଶଡ଼ା ସେତୁର ମାତ୍ର ୨.୫ ମିଟର ରାସ୍ତା ଖୋଲିଥିଲେ। ଫଳରେ ଭାରୀଯାନ ଯାତାୟତ ଉପରେ ରୋକ ଲାଗି ପାରିବ। ଅନ୍ୟ ପକ୍ଷରେ ଶାସକ ଦଳ ଏହି ବାଂଶଡ଼ା ସେତୁକୁ ଦେଖାଇ ୨୦୨୪ ବିଧାନସଭା ନିର୍ବାଚନ ପାରି ହେବାକୁ ଆଶା କରିଛି। ଆନୁଷ୍ଠାନିକ ଭାବେ ନହେଲେ ମଧ୍ୟ ବାଂଶଡ଼ା ସେତୁର ଲୋକାର୍ପଣକୁ ୮ ପଂଚାୟତର ଲୋକେ ସ୍ବାଗତ କରିଛନ୍ତି। ଆଜିର ଏହି ସେତୁ ଯାତାୟତ ଉପଯୋଗୀ ହୋଇଥିବା ଅବସରରେ ବାଂଶଡ଼ା, ଧାମରା, ଜାଗୁଳା, କଇଥଖୋଲା, ଦୋସିଙ୍ଗା, କରଞ୍ଜମାଳ, କରଣପଲ୍ଲୀ, ପଞ୍ଚୁଟିକ୍ରିର ବାସିନ୍ଦାଙ୍କର ବହୁ ଦିନର ସ୍ୱପ୍ନ ସାର୍ଥକ ହୋଇଛି ବୋଲି ଅଂଚଳବାସୀ ମତ ଦେଇଛନ୍ତି। ଅନ୍ୟପଟେ ବାଂଶଡ଼ା-ଦିଗଛିଆ ରାସ୍ତା ଉନ୍ନତିକରଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/bdk.jpg)