ବାସୁଦେବପୁର : ରାଜନୀତିରୁ ସନ୍ନ୍ୟାସ ନେବେ ବିଜୟଶ୍ରୀ, ମଇଦାନକୁ ଆସିବେ ପୁଅ ବିଷ୍ଣୁଦତ୍ତ

ଭଦ୍ରକ, (ହରିହର ନାୟକ): ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଭଦ୍ରକରେ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ନିର୍ବାଚନ ମଣ୍ଡଳୀ। ଏଇ ନିର୍ବାଚନ ମଣ୍ଡଳୀରୁ ଅତୀତରେ ଡ. ହରେକୃଷ୍ଣ ମହତାବଙ୍କଠାରୁ ଆରମ୍ଭ କରି ନୀଳମଣି ରାଉତରାୟଙ୍କ ପର୍ଯ୍ୟନ୍ତ ନିର୍ବାଚନ ଲଢିଥିଲେ। ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନିଜ ରାଜନୈତିକ କ୍ୟାରିୟର ଏଇଠୁ ଆରମ୍ଭ କରି ରାଜନୀତିରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ବାସୁଦେବପୁର ଏବେ ବିଜେଡିର ଦୁର୍ଗ ପାଲଟିଯାଇଛି।

୧୯୯୦ ମସିହାଠାରୁ ଏଇ ନିର୍ବାଚନମଣ୍ଡଳୀ ଅଣକଂଗ୍ରେସ ରାଜନୀତି ଆଡକୁ ଢଳିଗଲା। ୧୯୯୦ରେ ବାସୁଦେବପୁର ନିର୍ବାଚନ ମଣ୍ଡଳୀରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁତ୍ର ବିଜୟଶ୍ରୀ ରାଉତରାୟ(ବାବୁଲି ବାବୁ) ଜନତା ଦଳରେ ବିଧାୟକ ପ୍ରାର୍ଥୀ ହୋଇ ପ୍ରଥମ ଥର ବିଧାନସଭାକୁ ଗଲେ। ପରେ ୧୯୯୫ରେ ଜନତା ଦଳର ଦ୍ବିତୀୟବାର ବିଧାୟକ ବିଜୟୀ ହେଲେ । ବିଜୁ ବାବୁଙ୍କ ମୃତ୍ୟୁ ପରେ ୨୦୦୦ ମସିହାରେ ବାବୁଲି ବାବୁ ବିଜୁ ଜନତା ଦଳରେ ପ୍ରାର୍ଥୀ ହୋଇ ବିଜୟ ହୋଇଥିଲେ। ସେବେଠାରୁ ବାବୁଲି ବାବୁ ଆଉ ପଛକୁ ଫେରି ନାହାନ୍ତି।

ଲଗାତର ୧୯୯୦ରୁ ୨୦୧୪ ପର୍ଯ୍ୟନ୍ତ ୬ ଥର ବିଜୟଶ୍ରୀ ବିଧାୟକ ଭାବେ ବିଜୟୀ ହୋଇଥିବା ବେଳେ୩୦ବର୍ଷର ରାଜନୀତି ଭିତରେ ୪ଥର ମନ୍ତ୍ରୀ ହୋଇଛନ୍ତି। ଗତ ଏକ ବର୍ଷ ହେବ ବାବୁଲି ବାବୁ ଆଉ ରାଜନୈତିକ ମଇଦାନକୁ ସିଧା ସଳଖ ଭାବେ ଓହ୍ଲାଇବେ ନାହିଁ ବୋଲି କହିସାରିଛନ୍ତି। ତାଙ୍କର ସାନପୁଅ ବିଷ୍ଣୁବ୍ରତ ରାଉତରାୟଙ୍କୁ ଆଗାମୀ ଦିନରେ ନିଜର ରାଜନୈତିକ ଉତ୍ତରାଧିକାରୀ କରିବା ଲାଗି ଯୋଜନା ପ୍ରସ୍ତୁତ କରୁଛନ୍ତି। ଏଣୁ ବିଷ୍ଣୁବ୍ରତ ସ୍ଥାନୀୟ ଲୋକଙ୍କର ଭଲମନ୍ଦ ବୁଝୁଛନ୍ତି। ଦଳୀୟ ସଭା ସମିତି କାର୍ଯ୍ୟରେ ଯୋଗ େଦଉଛନ୍ତି।

ଏବେ ସୁଦ୍ଧା ବିଜେଡିରେ ବାସୁଦେବପୁରରୁ କେହି ଆଶାୟୀ ପ୍ରାର୍ଥୀ କିମ୍ବା ବିଦ୍ରୋହୀ ପ୍ରାର୍ଥୀ ଠିଆ ହୋଇ ନାହାନ୍ତି। ମାତ୍ର ଏଇ ନିର୍ବାଚନ ମଣ୍ଡଳୀରେ ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ସହ କଂଗ୍ରେସ ଓ ବିଜେପି କଡା ଟକ୍କର ଦେବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି।

ଏଥର କଂଗ୍ରେସ ନେତା ମାଧବାନନ୍ଦ ମଲ୍ଲିକ ଦଳ ଛାଡି ବିଜେପି ଶିବିରକୁ ଯାଇଛନ୍ତି। ସେ ବିଜେପିରୁ ପ୍ରାର୍ଥୀ ହୋଇ ମଇଦାନକୁ ଓହ୍ଲାଇ ବିଜେଡିକୁ କଡା ଟକ୍କର ଦେବେ ବୋଲି ଯୋଜନା ଯୋଜନା କରୁଛନ୍ତି। ସେହିପରି କଂଗ୍ରେସର ଜିଲ୍ଲା ସଭାପତି ତଥା ବାସୁଦେବପୁର ପୌରାଧ୍ୟକ୍ଷ ଅଶୋକ ଦାସ ଏଥର କଂଗ୍ରେସ ଟିକଟରେ ମଇଦାନକୁ ଓହ୍ଲାଇବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି। ଚଳିତ ନିର୍ବାଚନରେ ଏଠାରେ ବିଜେଡି ସହ କଂଗ୍ରେସ ଓ ବିଜେପିର କଡା ଟକ୍କର ହେବ। ଏଣୁ ତିନି ପ୍ରମୁଖ ଦଳ ଭିତରେ କଡା ଟକ୍କର ହେବ ବୋଲି ଆକଳନ କରାଯାଉଛି।

(ବାସୁଦେବପୁର) ୨୦୧୪ ନିର୍ବାଚନ ଫଳାଫଳ

ବିଜେଡି   ବିଜୟଶ୍ରୀ ରାଉତରାୟ   ୭୭,୭୮୧
କଂଗ୍ରେସ  ମାଧବାନନ୍ଦ ମଲ୍ଲିକ      ୭୧,୨୭୫
ବିଜେପି   ଦୀନବନ୍ଧୁ ପତି           ୧୫,୩୩୯

ସମ୍ବନ୍ଧିତ ଖବର