ଭଦ୍ରକ:  ବସୁନ୍ଧରା ଯୋଜନା ୧୭୧୦ ହିତାଧିକାରୀ ପାଇବେ ଜମିପଟ୍ଟା!

ଭଦ୍ରକ: ଘରଡିହ ଖଣ୍ଡେ ନଥିବାରୁ ବାସହରା ହୋଇ ରାସ୍ତାକଡ ଓ ଝୁମ୍ପୁଡି ଘରେ ଜୀବନ ବିତାଉଥିବା ଭଦ୍ରକର ବହୁ ଅସହାୟ ଭୂମିହୀନ ଲୋକ ଏ ଆଶ୍ରା ପାଇବେ। ସରକାରଙ୍କର ବସୁନ୍ଧରା ଯୋଜନା ଭଦ୍ରକ ଜିଲ୍ଲାରେ ଦୀର୍ଘ୍ୟଦିନ ହେବ ଶିଥିଳ ଅବସ୍ଥାରେ ରହିଥିଲା। ଜିଲ୍ଲାପାଳ ଜ୍ଞାନ ଦାସଙ୍କ ଏଇ ଯୋଜନାକୁ ଅଧିକ କ୍ରିୟ‌ାଶୀଳ କରିବା ସହ ତୁରନ୍ତ କିଭଳି ଭୂମିଦୀନଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବ ତାହା ଉପରେ ଅଧିକ ଗୁରୁତ୍ବଦେଇଛନ୍ତି।  ରାଜସ୍ବ  ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟରୁ ପ୍ରକାଶ ଯେ, ଜିଲ୍ଲାରେ ୧୭୧୦ ଜଣଙ୍କୁ ବସୁନ୍ଧରା ଯୋଜନାରେ ସାମିଲ କରାଯାଇଛି। ଏଇ ପରିବାରଙ୍କୁ ତୁରନ୍ତ ଜମିପଟ୍ଟା ଯୋଗାଇ ଦିଆଯିବ। ଜିଲ୍ଲାରେ ୭ଟି ତହସିଲ ଅଞ୍ଚଳରୁ ଏଇ ତଥ୍ୟ ସଂଗ୍ରହ  ହୋଇ ଏବେ  ଏହା ଜିଲ୍ଲାପାଳଙ୍କର ଅନୁମ‌ୋଦନ ଲାଭ ପାଇଁ କେବଳ ଅପେକ୍ଷା ରହିଛି। 

ଭଦ୍ରକ ଜିଲ୍ଲାର ଭଦ୍ରକ  ସଦର ତହସିଲ ଅଞ୍ଚଳରୁ ପାଇବେ ମୋଟ ୬୭୦ ଜଣ ଭୁମିହୀନ ହିତାଧିକାରୀ। ଏଇ ହିତାଧିକାରୀଙ୍କୁ ଜମିପଟ୍ଟା ଯୋଗାଇ ଦିଆଯିବା ପରେ ସେମାନଙ୍କୁ  ଗୃହ ନିର୍ମାଣ ପାଇଁ ମଧ୍ୟ ସହା୍ୟତା ପ୍ରାଦନ କରାଯିବ। ସେହିପରି ବନ୍ତ ତହସିଲ ଅଧୀନରେ ୧୬୦ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଚାନ୍ଦବାଲି ତହସିଲ ଅଞ୍ଚଳରୁ ୨୦୪ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି। ତିହିଡି ତହସିଲ ଅଞ୍ଚଳରୁ ୮୫ ଜଣ ହିତାଧିକାରୀ ଚିହ୍ନଟ ହୋଇଥିବା ବେଳେ ଭଣ୍ଡାରିପୋଖରୀ ତହସିଲ ଅଞ୍ଚଳରୁ ୨୧୭ ଜଣ ହିତାଧିକାରୀ ଚୟନ କରାଯାଇଛି। ଧାମନଗର ତହସିଲ ଅଞ୍ଚଳରୁ ୧୫୪ ଜଣ ଓ ବାସୁଦେବପୁର ତହସିଲ ଅଞ୍ଚଳରୁ ୨୨୦ ଜଣ ଭୁମିହୀନଙ୍କୁ  ବସୁନ୍ଧରା ଯୋଜନାରେ ଜମିପଟ୍ଟା ଯୋଗା‌ଇ ଦିଆଯିବ ବୋଲି ଚୂଡାନ୍ତ ପ୍ରସ୍ତୁତି ଶେଷ ହୋଇଛି। ଏଇ ରିପୋର୍ଟ ଉପରେ ଜିଲ୍ଲାପାଳ ମୋହର ମାରିବାକୁ ବାକି ରହିଛି।

ଜିଲ୍ଲାପାଳଙ୍କର ମୋହର ବାଜିବା ପରେ ପ୍ରତି ହିତାଧିକାରୀଙ୍କୁ ୪ ଡିସିମିଲ ଲେଖାଏଁ ଜମି ପ୍ରଦାନ କରାଯିବ। ଏଥିପାଇଁ ସଂପୃକ୍ତ ଭୂମିହୀନ ରହୁଥିବା ନଜ ଅଞ୍ଚଳରେ ଥିବା ସରକାରୀ ଜମିକୁ ଚିହ୍ନଟ କରାଯାଇଛି। ଏଇ ସରକାରୀ ଜମିକୁ ଘରଡିହରେ ପରିଣତ କରାଯାଇ ଲୋକମାନଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଦୁଇ ମାସ ଭିତରେ ଏହାର ସମସ୍ତ ଆଇନଗତ ଦିଗ ଉପରେ ତର୍ଜମା କରାଯାଇ ଭୂମିହୀନଙ୍କୁ ଜମି ପଟ୍ଟା ହସ୍ତାନ୍ତର କରାଯିବ। ଯେଉଁସବୁ ତହସିଲ ଅଞ୍ଚଳରୁ ହିତାଧିକରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କୁ ସେହିସବୁ ତହସିଲ ଅଧୀନରେ ଅନଲାଇନ୍ ରେ ଜମିପଟ୍ଟା ପାଇଁ ଆବେଦନ କରିବାକୁ ପଡିବ। ଯେଉଁ ଭୂମିହୀନମାନେ  ଯେଉଁ ଅଞ୍ଚଳରେ ସରକାରୀ ଜମି ଉପରେ ଜବରଦଖଲ କରି ରହିଛନ୍ତି। ସେହିସବୁ ଭୂମିହୀନଙ୍କୁ ତାଙ୍କଦ୍ବାରା ଜବରଦଖଲ କରାଯାଇଥିବା ଜମି ଉପରେ ପଟ୍ଟା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିଜ ନିଜ ତହସିଲ ଅଞ୍ଚଳରେ ଥିବା ସରକାରୀ ଜମି ଖୋଜି ବାହାର କରିବାକୁ ତହସିଲଦାରମାନଙ୍କୁ ଜିଲ୍ଲାପାଳ  ନିଦ୍ଦେର୍ଶ ଦେଇଥିଲେ।

ଭୂମିହୀନମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ବେଳେ ଆସନ୍ତା ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ତୁରନ୍ତ ଭୂମିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ଉପରେ ରାଜ୍ୟ ସରକାର ସବୁ ଜିଲ୍ଲାପାଳମାନଙ୍କୁ ଜାଗିଦ୍ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟକୁ ଏପରି ନିର୍ଦ୍ଦେଶ ଆସିବା ପରେ ସବୁ ଜିଲ୍ଲାପାଳର ଜିଲ୍ଲାପାଳମାନେ ଏବେ   ନିଜ ନିଜ ଜିଲ୍ଲାରେ ବସୁନ୍ଧରା ଯୋଜନାକୁ କିଭଳି ସଫଳ ରୂପାୟନ କରାଯିବ ତାହା ଉପରେ  ଘନଘନ ବୈଠକ ଡକାଇ  ତଳସ୍ତରର ରହିଥିବା ତହସିଲଦାରମାନଙ୍କୁ ଜାଗିଦ୍ ଆରମ୍ଭ କରିଛନ୍ତି। ଭୂମିହୀନଙ୍କୁ ଜମିପଟ୍ଟା ଯୋଗାଇଦେବାକୁ ପାଇଁ ଭୂମିହୀନମାନେ ବର୍ଷ ବର୍ଷ ଧରି ଆନ୍ଦୋଳନ,  ଧାରଣ‌ା, ଧର୍ମଘଟ କରି ଆସୁଥିଲେ ମଧ୍ୟ ସେମାନଙ୍କୁ ଦାବି ପ୍ରତି ରାଜ୍ୟ ସରକାର ଦୃଷ୍ଟି ଦେଉ ନଥିଲେ। ଏବେ ନିର୍ବାଚନ ଋତୁ ଆସି ମୁଣ୍ଡଉପରେ ହେଲାଣି। ତାହାକୁ ଦୃଷ୍ଟିରେ ରଖି ଭୂମିହୀନଙ୍କ ଭୋଟ ହାତେଇବାକୁ ଏପରି ପ୍ରୟାସ ଆରମ୍ଭ କରାଯାଇଛି।  ଭଦ୍ରକ ଜିଲ୍ଲାରେ ବାସ୍ତବ କ୍ଷେତ୍ରରେପ୍ରାୟ ୩ ହଜାରରୁ ଅଧିକ ଭୂମିହୀନ ରହିଥିବା ବେଳେ ସେମାନଙ୍କ ମଧ୍ୟରୁ ଏବେ ସୁଦ୍ଧା ବହୁ ଭୂମିହୀନଙ୍କୁ ଚିହ୍ନଟ ପ୍ରକ୍ରିୟ‌ା ଭିତରକୁ ଅଣାଯାଇ ପାରି ନାହିଁ। ଅନେକ ଭୂମିହୀନ ଏବେ ମଧ୍ୟ ରାସ୍ତାକଡ, ଝୁମ୍ପୁଡି ଘରକୁ ଆଶ୍ରା କରି ଜୀବନ ବିତାଉଛନ୍ତି। ଏଇସବୁ ଅସହାୟ ଭୂମିହୀନ ମଣିଷଙ୍କୁ ଥଇଥାନ କରିବା ମଧ୍ୟ ରାଜ୍ୟ ସରକାରଙ୍କର ଦାୟିତ୍ୱ। ଯେଉଁସବୁ ତହସିଲ ଅଧୀନରେ ଭୂମିହୀନଙ୍କୁ ଚିହ୍ନଟ ପ୍ରକ୍ରିୟାରେ ସାମିଲ କରାଯାଇ ନାହିଁ। ସେମାନଙ୍କୁ ତୁରନ୍ତ ଏଇ ଚିହ୍ନଟ ପ୍ରକ୍ରିୟ‌ାରେ ସାମିଲ କରାଯାଇ ଜମିପଟ୍ଟା ଯୋଗାଇ ଦିଆଯିବାର  ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର