ଅବହେଳିତ ମା’ ଭଦ୍ରକାଳୀଙ୍କ ପୀଠ: ବିକାଶ ପାଇଁ ଆଇଓସିଏଲ ଟଙ୍କା ଦେବାକୁ ଚାହୁଁଛି, ପ୍ରଶାସନ ଆଣୁନି ଟଙ୍କା !

ଭଦ୍ରକ: ଭଦ୍ରକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା’ ଭଦ୍ରକାଳୀ। ଲକ୍ଷ ଲକ୍ଷ ଭକ୍ତଙ୍କର ବିଶ୍ବାସର ପୀଠ ହେଉଛି ଏ ମାଟି। ଏଇ ପବିତ୍ର ପୀଠରେ ମାଙ୍କ ଦର୍ଶନ ପାଇଁ ପ୍ରତିଦିନ ଆସୁଛନ୍ତି ବହୁ ଭକ୍ତ। ମାତ୍ର ମା ଭଦ୍ରକାଳୀଙ୍କ ପୀଠର ବିକାଶ ସେମତି କିଛି ହୋଇନାହିଁ। ଚିର ଅବହେଳିତ ହୋଇ ରହିଛି ମାଙ୍କ ପୀଠ। ଏଠାକୁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କର ରହିବା ପାଇଁ ସୁବିଧା ନଥିବା ବେଳେ ଏହାର ପରିବେଶ୍ ମଧ୍ୟ ଆମୋଦଦାୟକ ନୁ‌ହେଁ। ଏଇ ପୀଠକୁ ଯିବା ପାଇଁ ରାସ୍ତାର ଅବସ୍ଥା ମଧ୍ୟ ଶୋଚନୀୟ ହୋଇଛି। ଓଡ଼ିଶା କେବଳ ନୁହେଁ, ଭାରତ ବର୍ଷରେ ମଧ୍ୟ ମା ଭଦ୍ରକାଳୀଙ୍କର ମହିମା ଓ ପ୍ରସିଦ୍ଧ ରହିଛି। ଏଭଳି ଏକ ପ୍ରସିଦ୍ଧ ପୀଠର ବିକାଶ ଲାଗି ପ୍ରଶାସନିକ ଅଧିକାରୀଙ୍କର ଇଚ୍ଛାଶକ୍ତିର ଅଭାବ ପାଇଁ ଏହା ଅବହେଳିତ ହୋଇ ପଡିଛି। ରାଜ୍ୟ ସରକାର ଭଦ୍ରକାଳୀଙ୍କର ବିକାଶ ଲାଗି ଏକ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ଏବେ ଭଦ୍ରକାଳୀଙ୍କ ପୀଠର ବିକାଶ ପାଇଁ ଇଣ୍ଡିଆନ ଅଏଲ କର୍ପୋରେସନ୍ ଲିମିଟେଡ୍ ( ଆଇଓସିଏଲ) ସହଯୋଗ କରିବାକୁ ପ୍ରସ୍ଥାବ ଦେଇଛି।

ଆଇଓସିଏଲ ଯେଉଁ ଅନୁଦାନ ମନ୍ଦିରର ବିକାଶ କରିବା ପାଇଁ ଦେବାକୁ ଚାହୁଁଛି। ଏଥିରେ ପ୍ରଶାସନ ସହଯୋଗ କରୁ ନଥିବା ବେଳେ ମନ୍ଦିରର ବିକାଶ ପାଇଁ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଆ‌ଇଓସିଏଲ କର୍ତ୍ତୃପକ୍ଷ ମନ୍ଦିରର ବିକାଶ ପାଇଁ ଯେଉଁ ଅର୍ଥ ମଂଜୁର କରିବ ସେଥିପାଇଁ ସେ ଜିଲ୍ଲା ପ୍ରଶାସନ ପାଖରୁ ସମସ୍ତ ପ୍ରକଳ୍ପର ଏକ ବ୍ୟୟ ଅଟକଳ ତାଲିକା ପ୍ରସ୍ଥାବ ପଠାଇବାକୁ କହୁଛନ୍ତି। ମାତ୍ର ପ୍ରଶାସନ ପକ୍ଷରୁ ଆଜି ପର୍ୟ୍ୟନ୍ତ ଆଇଓସିଏଲ କତ୍ତୃପକ୍ଷଙ୍କ ନିକଟକୁ ପଠାଯାଇଥିବା ପ୍ରପୋଜାଲର ବ୍ୟୟ ଅଟକଳ ତାଲିକା ପଠାଯାଇ ନାହିଁ । ଏଥିପାଇଁ ପ୍ରଶାସନ ମଧ୍ୟ ଆନ୍ତରିକତା ପ୍ରକାଶ କରୁନାହିଁ। ଏଇ ସଂପର୍କରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ଭଦ୍ରକ ଉପଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରାଯିବାରୁ, ସେ କହିଲେ ଏ ସଂପର୍କରେ ଅଧିକ କିଛି କହିପାରିବେ ନାହିଁ। ତାଙ୍କ ତରଫରୁ ସେମିତି କିଛି ଖର୍ଚ୍ଚ ଅଟକଳର ପ୍ରପୋ‌ଜାଲ ପଠାଯିବ ନାହିଁ। ଆଇଓସିଏଲ ନିଜ ଇଚ୍ଛାରରେ ଯେତେ ଟଙ୍କା ଚାହିଁବେ ମା ଭଦ୍ରକାଳୀଙ୍କ ପୀଠର ବିକାଶ ପାଇଁ ଅନୁଦାନ ଆକାରରେ ଦେଇ ପାରିବେ।

ଏହିଭଳି ଅବସ୍ଥାରେ ଏବେ ରହି ଯାଇଛି ମାଆଙ୍କ ମନ୍ଦିର ବିକାଶର ସ୍ବପ୍ନ। ଯେଉଁ କାରଣରୁ ଆଇଓସିଏଲ ସଂସ୍ଥା ନିକଟରୁ ମନ୍ଦିର ବିକାଶ ପାଇଁ ଟଙ୍କା ଆସିପାରୁ ନାହିଁ। ପ୍ରକାଶ ଥା‌ଉକି, ଭଦ୍ରକାଳୀଙ୍କ ଦର୍ଶନ ପାଇଁ ମାଙ୍କ ପୀଠକୁ ୨୦୧୯ ମସିହାରେ ସେତେବେଳର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିଲେ। ଏହି ସମୟରେ ଉଭୟ କେନ୍ଦ୍ର ମନ୍ତ୍ରୀକୁ ଭଦ୍ରକାଳୀଙ୍କର ସେବାୟତମାନେ ମନ୍ଦିରର ବିକାଶ ଓ ଏହାର ପାରିପାର୍ଶ୍ବିକ ଉନ୍ନତୀକରଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଅନୁରୋଧକରି ଏକ ସ୍ମାରକପତ୍ର ମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ମନ୍ଦିରର ବିକାଶ ପାଇଁ ଯାହା ଅର୍ଥ ଖର୍ଚ୍ଚ ହେବ ସେଥିପାଇଁ ଏକ ପ୍ରପୋଜାଲ ପଠାଇବାକୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ମନ୍ଦିର ସେବାୟତମାନଙ୍କୁ କହିଥିଲେ।

ଏ ବାବଦରେ ସମସ୍ତ ଖର୍ଚ୍ଚ ଆଇଓସିଏଲ ବହନ କରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଆଇଓସିଏଲ କର୍ତ୍ତୃପକ୍ଷଙ୍କ ଠାରୁ ଏକ ପତ୍ର ଜିଲ୍ଲା ପ୍ରଶାସନ ନକଟକୁ ପଠାଯାଇଥିଲେ। ଯେଉଁଥିରେ ଆଇଓସିଏଲ କର୍ତ୍ତୃପକ୍ଷଙ୍କ ନିକଟକୁ ମନ୍ଦିର ବିକାଶ ଓ ପାରିପାର୍ଶ୍ବିକ ଉନ୍ନତୀ କରଣ ଲାଗି କଣ କଣ ସବୁ ହେବ ଓ ଏ ବାବଦରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ଏକ ପ୍ରସ୍ଥାବ ପଠାଯାଇବାକୁ ଚିଠି ଲେଖିଥିଲା। ଆଇଓସିଏଲଠାରୁ ଏଭଳି ଚିଠି ଜିଲ୍ଲା ପ୍ରଶାସନ ପାଇବା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡର ମୁଖ୍ୟ ତତ୍କାଳୀନ ଉପଜିଲ୍ଲାପାଳ ଓ ଟ୍ରଷ୍ଟ ବୋର୍ଡର ଅନ୍ୟ ସଦସ୍ୟ ଓ ସେବାୟତମାନଙ୍କୁ ନେଇ ବୈଠକ ମନ୍ଦିର ପରିସରରେ ବସିଥିଲା। ଭଦ୍ରକାଳୀଙ୍କ ମନ୍ଦିରକୁ କିଭଳି ଅଧିକ ଆକର୍ଷଣୀୟ କରାଯାଇ ପାରିବ। ସେ ନେଇ ଆଲୋଚନା ହୋଇଥିଲା। ଏଇ ବୈଠକରେ ୧୦ ଟି ପ୍ରସ୍ଥାବ ପାରିତ ହାଇଥିଲା। ଭଦ୍ରକାଳୀଙ୍କ ମନ୍ଦିର ସହିତ ଏଠାରେ ଥିବା ଜଗନ୍ନାଥ ମନ୍ଦିର ଓ ଏହାର ମୁଖଶାଳାକୁ ଅଧିକ ସୌନ୍ଦର୍ଯ୍ୟକରଣ କରାଯିବା ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ମନ୍ଦିର ସୁରକ୍ଷା ପାଇଁ ମନ୍ଦିରରେ ଥିବା କାଠ କବାଟ ବଦଳରେ କଂସା କବାଟ ଲାଗାଇବା, ମନ୍ଦିରର ସିଂହଦ୍ବାରଠାରୁ ଗୁଜିଦରଡା ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାକୁ ବଡଦାଣ୍ଡରେ ପରିଣତ କରିବା, ମନ୍ଦିର ପାର୍ଶ୍ବରେ ଥିବା ପୁଷ୍କରଣୀରେ ଅଧିକ ସୌନ୍ଦର୍ଯ୍ୟକରଣ କରିବା ସହ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଉଦ୍ୟାନ କରିବା ସହ ପାର୍କ ନିର୍ମାଣ କରିବାକୁ ପ୍ରସ୍ଥାବ ଗ୍ରହଣ କରାଯାଇଥିଲା।

ଭଦ୍ରକାଳୀଙ୍କ ମନ୍ଦିର ରାସ୍ତାରେ ସୁଉଚ୍ଚ ତୋରଣ ନିର୍ମାଣ କରିବା, ଏହାର ଉଭୟ ପାର୍ଶ୍ବ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥା କରିବା, ଦୂର ଦୂରାନ୍ତରୁ ଆସୁଥିବା ଭକ୍ତ ଓ ଯାତ୍ରୀମାନଙ୍କ ରାତ୍ରୀ ଯାପନ ଓ ବିଶ୍ରାମ ପାଇଁ ଯାତ୍ରୀ ବିଶ୍ରାମଗାର ନିର୍ମାଣ କରିବା, ଏଠାରେ ଥିବା ପୁରୁଣା ପାନ୍ଥଶାଳାର ନବୀକରଣ କରିବା। ମନ୍ଦର ରାସ୍ତା ପାର୍ଶ୍ବର ସୌନ୍ଦର୍ଯ୍ୟକରଣ କରିବା ନେଇ ପ୍ରସ୍ଥାବ ପାରିତ ହୋଇଥିଲା। ୨୦୧୮ ମସିହା ଡିମେମ୍ବର ୨୪ ତାରିଖରେ ତତ୍କାଳୀନ ଉପଜିଲ୍ଲାପାଳ ଦେବୋତ୍ତର କମିଶନରଙ୍କ ନିକଟକୁ ଏଇ ପ୍ରସ୍ଥାବିତ ଚିଠି ପଠାଇଥିଲେ। ଏଇ ଚିଠି ଯିବା ପରେ ୨୦୧୯ ସେପ୍ଟେମ୍ବର ୨୪ ତାରିଖରେ ଆଇଓସିଏଲ କତ୍ତୃପକ୍ଷ ଭଦ୍ରକ ଜିଲ୍ଲାପାଳଙ୍କ ନିକଟକୁ ଏକ ପତ୍ର ଲେଖି ଏଇସବୁ ପ୍ରସ୍ଥାବିତ ପ୍ରକଳ୍ପ ନିର୍ମାଣ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ। ତାହାର ଏକ ବ୍ୟୟ ଅଟକଳ ବିବରଣୀ ପ୍ରଦାନ କରିବାକୁ କହିଥିଲେ। ଏଭଳି ଚିଠି ଦିଆ ନିଆ ଭିତରେ କିଛି ଦିନ ବିତିଗଲା ପରେ ପ୍ରଶାସନ ପକ୍ଷରୁ ଆଉ କିଛି କାର୍ଯ୍ୟ ଆଗକୁ ଯାଇ ପାରି ନାହିଁ।

ଜିଲ୍ଲା ପ୍ରଶାସନ ଏ ଦିଗରେ ଆଉ ଅଧିକ ଆନ୍ତରିକତାର ପ୍ରକାଶ କରି ନାହାନ୍ତି। ଭଦ୍ରକର ପ୍ରତିଷ୍ଠିତ ଦେବୀ ହେଉଛନ୍ତି ମା ଭଦ୍ରକାଳୀ । ମାଙ୍କ ପୀଠର ବିକାଶ ପାଇଁ ଯଦି ଆମ ପ୍ରଶାସନର ଏତେ ଟାଳଟୁଳ ନୀତି ତେବେ ଜିଲ୍ଲାର ଅନ୍ୟ ବିକାଶ ମୂଳକ କାମରେ ଆମ ପ୍ରଶାସନ କେତେ ତତ୍ପରତା ପ୍ରକାଶ କରୁଥିବ ତାହା ଏଥିରୁ ଭଲ ଭାବେ ଅନୁମାନ କରାଯାଇ ପାରୁଛି। ମା ଭଦ୍ରକାଳୀଙ୍କ ପୀଠକୁ ଆଇଓସିଏଲ ଟଙ୍କା ଦେବାକୁ ଚାହୁଁଥିବା ବେଳେ ପ୍ରଶାସନ କାହିଁକି ଏହିସବୁ ପ୍ରକଳ୍ପ ପାଇଁ କେତେ ଟଙ୍କା ଖର୍ଚ୍ଚ ହେବ ତାର ଏକ ବ୍ୟୟ ଅଟକଳର ତାଲିକା ଦେଉ ନାହିଁ ବୋଲି ବିଜେପି ଜିଲ୍ଲା ସଭାପତି ହେମନ୍ତ ପାଢୀଙ୍କ ସମେତ ମନ୍ଦିର ସେବାୟତ ପଞ୍ଚାନନ ଦିକ୍ଷିତ୍, ଅନୁଗ୍ରହ ଦିକ୍ଷିତ୍, ମଦନ ମୋହନ ଦିକ୍ଷିତ୍, ମଧୁସୂଦନ ଦିକ୍ଷିତ୍ ଙ୍କ ସମେତ ବହୁ ସେବାୟତ ପ୍ରଶ୍ନ ଉଠାଇଛନ୍ତି। ମାଙ୍କ ପୀଠର ବିକାଶ ପାଇଁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହାର ବ୍ୟୟ ଅଟକଳ ପ୍ରସ୍ଥାବ ଆଇଓସିଏଲ କତ୍ତୃପକ୍ଷଙ୍କୁ ଦେବାକୁ ଦେବାକୁ ଦାବି କରି କରାଯାଇଛି। ଏ ଦିଗରେ ପ୍ରଶାସନ ଆନ୍ତରିକତାର ସହ ସହଯୋଗ କରିବାର ଆବଶ୍ୟକତା ରହିଛି। ପ୍ରଶାସନର ସହଯୋଗ ନମିଳିଲେ ଆଗାମୀ ଦିନରେ ସେବାୟତଙ୍କ ପକ୍ଷରୁ ଆଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର