ଭଦ୍ରକ ଜିଲ୍ଲା ରାଜନୀତି ନିର୍ବାଚନ ଫଳାଫଳକୁ ନେଇ ସରୁନି ଅଙ୍କକଷା

ଭଦ୍ରକ: ସାଧାରଣ ନିର୍ବାଚନର ମହାସମର ଶେଷ ହୋଇଛି। ଏବେ ଏଇ ଯୁଦ୍ଧରେ କାହାର ଜିତାପଟ ହେବ ଆଉ କିଏ ପରାଜୟ ବରଣ କରିବ ତାହାକୁ ନେଇ ଚାଲିଛି ସବୁ ଦଳର ଅଙ୍କକଷା। ସହର ବଜାରଠାରୁ ଆରମ୍ଭ କରି ଗାଁ ମୁଣ୍ଡ ଚା ଦୋକାନରେ ସବୁଠି ଏହି ଚର୍ଚ୍ଚା। କିଏ କହୁଛି ବିଜେଡି ପୁଣି ଜିଲ୍ଲାରେ ବାଜିମାତ କରିବ ତ ଆଉ କିଏ କହୁଛି ମୋଦି ଲହରୀ ସୁବୁକିଛି ଏପାଖ ସୋପଖ କରିଦେବ। ପୁଣି କିଏ କହୁଛି କଂଗ୍ରେସ ନିରବରେ ଭୋଟ ହାତେଇ ନେଇଛି। ଏମିତି ଅଙ୍କକଷା ଭିତରେ କିନ୍ତୁ ଫଳାଫଳକୁ ନେଇ ସ୍ପଷ୍ଟ ଚିତ୍ର ମିଳି ପାରୁ ନାହିଁ। ଭଦ୍ରକ ଜିଲ୍ଲାରେ ଗୋଟିଏ ଲୋକସଭା କ୍ଷେତ୍ର ଓ ୫ଟି ବିଧାନସଭା ଆସନ ରହିଛି। ୨୦୧୪ରୁ ଏହିସବୁ ଆସନ ବିଜେଡି ହାତରେ ଥିଲା। ୨୦୦୯ ମସିହାଠାରୁ ଭଦ୍ରକ ଜିଲ୍ଲାକୁ ବିଜେଡି ତାର ଏକ ଦୁର୍ଗରେ ପରିଣତ କରି ରଖିଥିଲା। ସାରା ଓଡ଼ିଶାରେ ନବୀନଙ୍କ ଲହର ଥିବା ବେଳେ ଭଦ୍ରକରେ ଏହା ଟିକେ ଅଧିକ ଥିଲା। ତେବେ ଏଥର ଭଦ୍ରକରେ ନବୀନ ଯାଦୁ କାମ ଦେବ କି ନାହିଁ ତାହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। କିଛି ଦଳୀୟ ନେତା ମଧ୍ୟ ବୁଥ୍‌ସ୍ତରରୁ ଦଳୀୟ ଏଜେଣ୍ଟଙ୍କ ଜରିଆରେ ରିପୋର୍ଟ ତଲବ କରି ଆକଳନ ଆରମ୍ଭ କରିଥିଲେ। ବିଭିନ୍ନ ଦଳର ପ୍ରାର୍ଥୀ ନିଜ ନିଜ ସମର୍ଥକଙ୍କ ଜରିଆରେ ରିପୋର୍ଟ ସଂଗ୍ରହ କରି ନିଜ ନିଜର ଜିତିବା ଓ ହାରିବାର ରିପୋର୍ଟ ପାଉଛନ୍ତି। ମାତ୍ର ରିପୋର୍ଟ ଯାହା ମିଳୁଛି ସେଥିରେ ତାଳମେଳ କିଛି ଠିକ୍ ରହୁନାହିଁ। ଆଉ ଏଭଳି ଗୋଳମାଳିଆ ରିପୋର୍ଟ ପାଇଁ ନେତାଙ୍କ ମନ ଅସ୍ଥିର ହୋଇଯାଉଛି। କିଛି ପ୍ରାର୍ଥୀ ନିଜ ଦଳର ରିପୋର୍ଟ ପରଖିବା ପରେ ତାଙ୍କ ବିପକ୍ଷରେ ଅନ୍ୟ ଦଳରୁ ଲଢେଇ କରୁଥିବା ପ୍ରାର୍ଥୀଙ୍କର ରିପୋର୍ଟ କଣ ମିଳିଛି ତାହାକୁ ଆଣି ନିଜର କର୍ମୀ ଦେଇଥିବା ରିପୋର୍ଟ ସହ ମେଳାଉଛନ୍ତି। ଉଭୟ ନେତା ଉଭୟ ଏଜେଣ୍ଟଙ୍କ ରିପୋର୍ଟ ତଲବ କରିବା ପରେ ସମସ୍ତେ ନିଜେ ନିଜେ କହି ହେଉଛନ୍ତି ହଜାରେ କିମ୍ବା ଦି’ହଜାର ଭୋଟ ହେଉ ପଛେ ଆମେ ଜିତିବୁ। କେହି ହାରିବା କଥା କହୁ ନାହାନ୍ତି କି ହାରିବାର ରିପୋର୍ଟ ବି ଦେଉ ନାହାନ୍ତି। ତଥ୍ୟ ଏମିତି ମିଳୁଛି କିଛି ପ୍ରାର୍ଥୀ ମଧ୍ୟ ପାଞ୍ଚ ଶହ ଖଣ୍ଡ ଭୋଟ ପାଇ ଜିତିବେ ବୋଲି ଆଶା ବାନ୍ଧିଛନ୍ତି। ଇଭିଏମରେ ଭୋଟ ସବୁ ସିଲ୍‌ ହୋଇ ରହିଥିବା ବେଳେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ମଧ୍ୟ ଆକଳନ କରିବା କଷ୍ଟକର ହୋଇପଡୁଛି। ଏପ୍ରିଲ ୨୯ ତାରିଖ ନିର୍ବାଚନ ଶେଷଠାରୁ ଆଜି ପର୍ଯ୍ୟନ୍ତ ଚାଲିଛି ଅଙ୍କକଷା। ଆସନ୍ତା ୨୩ ତାରିଖରେ ଭୋଟ ଗଣତି ପୂର୍ବରୁ ନେତା ଓ କର୍ମୀଙ୍କର ଏହି ଆଗୁଆ ଅଙ୍କକଷା ଏବେ ସବୁ ରାଜନୈତିକ ଖଟିରେ ଚର୍ଚ୍ଚାର ବିଷୟ ପାଲଟିଛି। ଏମିତି ଅଙ୍କକଷାର ରିପୋର୍ଟ କିଛି ନେତା ପାଇବା ପରେ ତାଙ୍କ ମନ ଖଟା ହୋଇଯାଇଛି। ଭାବି ଭାବି ଅନେକ ନେତାଙ୍କ ଆଖିରୁ ନିଦ ହଜିଗଲାଣି। ନିର୍ବାଚନ ପ୍ରଚାର ଓ ପାଣି ଭଳି ଟଙ୍କା ଖର୍ଚ୍ଚ କରି ଭୋଟ ହାତେଇବାକୁ ଯୋଜନା କରିଥିବା କିଛି ନେତା ଏବେ ଏମିତି ଅଙ୍କକଷା ଶୁଣିଶୁଣି ହତାଶ ହୋଇଯିବା ପରେ ଏବେ ଆଉ ଭଦ୍ରକରେ ନାହାନ୍ତି। କିଛି ଜିଲ୍ଲା ଛାଡି ବାହାରକୁ ପଳାଇ ଯାଇଛନ୍ତି। ନିର୍ବାଚନ ଫଳାଫଳ ଘୋଷଣାର ତାରିଖ ଯେତିକି ପାଖେଇ ଆସୁଛି, ନେତାଙ୍କର ମାନସିକ ଚାପ ସେତିକି ବଢି ବଢି ଯାଉଛି। କିଛି ନେତା ମଧ୍ୟ ଭାଗ୍ୟ ଉପରେ ସବୁ ଛାଡି ଦେଇଛନ୍ତି। ଯାହା ଭାଗ୍ୟରେ ଲେଖା ଥିବା ତାହା ହେବ।

ସମ୍ବନ୍ଧିତ ଖବର