ଭଦ୍ରକ: ରବିବାର ସକାଳେ ବନ୍ତଛକ ବସ୍‌ଷ୍ଟାଣ୍ଡ୍‌ରେ ଜଣେ ବାଇକ୍‌ ଆରୋହୀ ଦୁର୍ବୃତ୍ତ ଜଣେ ମହିଳା- ଯାତ୍ରୀଙ୍କ ଠାରୁ ସୁନା ଚେନ୍‌ ଥିବା ବ୍ୟାଗ୍‌ ଝାମ୍ପି ନେଇଛି।

Advertisment

ଆରଡ଼ିରୁ ଆସିଥିବା ଗୋଟାଏ ଯାତ୍ରୀବାହୀ ବସ୍‌ରୁ ସକାଳ ପ୍ରାୟ ୮ଟା ବେଳେ ବନ୍ତଛକ ବସ୍‌ଷ୍ଟାଣ୍ଡ୍‌ରେ ଭାରତୀ ପଣ୍ଡା ନାମ୍ନା ସେ ମହିଳାଜଣକ ଓହ୍ଲାଇବା ପରେ ଚାଲି ଚାଲି ଭଦ୍ରକ ସହର ଆଡ଼କୁ ଯାଉଥିଲେ। ସେ ଓହ୍ଲାଇଥିବା ବସ୍‌ ଠାରୁ ପ୍ରାୟ ୫୦ ମିଟର୍‌ ଯାଇଛନ୍ତି କି, ନାହିଁ ନାଲି ମଟର ସାଇକେଲ୍‌ ଚଳାଇ ହେଲ୍‌ମେଟ୍‌ ପରିହିତ ଜଣେ ବ୍ୟକ୍ତି ଆସି ତାଙ୍କ ପାଖରେ ବ୍ରେକ୍‌ କଷିଲେ।

ହେଲ୍‌ମେଟ୍‌ କାଚ ଟେକି ଭାରତୀଙ୍କୁ ସେ ପଚାରିଲେ: ମତେ ଚିହ୍ନି ପାରୁଛନ୍ତି? ଭାରତୀ ମନା କରିବାରୁ ସେ ମିଲିଟାରିରୁ ଛୁଟି ନେଇ ଆସିଛନ୍ତି ବୋଲି କହି ଗପ ଜମାଇବାକୁ ଉଦ୍ୟମ କରିଥିଲେ। ଭାରତୀ ତାଙ୍କୁ ଚିହ୍ନନ୍ତି ନାହିଁ ବୋଲି ବାରମ୍ବାର କହିବା ସତ୍ତ୍ୱେ ସେ କଥା ଲମ୍ବାଇ ଚାଲିଥିଲେ, ଓ ହଠାତ୍‌ କାନ୍ଧରେ ଥିବା ତାଙ୍କ ଭ୍ୟାନିଟି ବ୍ୟାଗ୍‌କୁ ଝାମ୍ପି ନେଇ ପଳାଇଲେ।

publive-image

ସେଥିରେ ଭାରତୀଙ୍କର ତିନି ଭରି ଓଜନର ସୁନା ଚେନ୍‌ ଥିଲା। ଯାହାର ମୂଲ୍ୟ ପ୍ରାୟ ୧ଲକ୍ଷ ୧୦ ହଜାର ଟଙ୍କା ହେବ। ସାହାଯ୍ୟ ପାଇଁ ଭାରତୀ ଚିତ୍କାର କରିବାରୁ ରାସ୍ତାରେ ଯାଉଥିବା ଅନ୍ୟ ବାଇକ୍‌ ଆରୋହୀମାନେ ଦୁର୍ବୃତ୍ତ ବାଇକ୍‌ ଆରୋହୀଙ୍କ ଧରିବାକୁ ପିଛା କରିଥିଲେ ମଧ୍ୟ ସହରର ଜନଗହଳି ମଧ୍ୟରେ ତା’ର ପତ୍ତା ମିଳି ନ ଥିଲା।

ଖବର ପାଇ ଟାଉନ୍‌ ଥାନା ପୁଲିସ ସହରର ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି, କିନ୍ତୁ ଚେନ୍‌ ରୋରର ସନ୍ଧାନ ପାଇ ନାହିଁ। ସହରର ପ୍ରମୁଖ ଛକ ଜାଗାମାନଙ୍କରେ ପୁଲିସ ମୁତୟନ କରାଯାଇଛି।

ଲୁଟ୍‌ ସଂକ୍ରାନ୍ତରେ ପୀଡ଼ିତା ଥାନାରେ ଏଫ୍‌ଆଇଆର୍‌ ଦେଇଛନ୍ତି।