ଆଉ କିଛି ଘଣ୍ଟା ପରେ ନୂଆ ଚାକିରି କରିଥାନ୍ତେ, ହେଲେ ତା’ ପୂର୍ବରୁ ସବୁ ସରିଗଲା ସବୁକିଛି !

ଭଦ୍ରକ: ଦିନେ ପୁଅର କାନ୍ଦ ଶୁଣି ରହି ପାରୁ ନ ଥିଲା ମାଆ । କୁନି ପୁଅ ରାହା ଛାଡି କାନ୍ଦିଲେ ସବୁ କାମ ଛାଡି ଧାଇଁ ଆସୁଥିଲା ମାଆ । ହେଲେ ଆଜି, ମାଆର ବୁକୁଫଟା ଚିତ୍କାର ଶୁଣି ପାରୁନି ପୁଅ । ବାହୁନି ବାହୁନି ଯେତେ କାନ୍ଦିଲେ ବି ଜମା ଫେରୁନି ପୁଅ… କାରଣ ତା ପୁଅ ସବୁଦିନ ପାଇଁ ଶୋଇଯାଇଛି… ଚାକିରି କରିବାକୁ ଯାଇଛି ଅଧା ରାସ୍ତାରେ ରହିଯାଇଛି ପୁଅ ରାଜେନ୍ଦ୍ର…।

ଚାକିରିରେ ଯୋଗ ଦେବା ପୂର୍ବରୁ ଚାଲିଯାଇଛି ଜୀବନ । ନୂଆ ଚାକିରିରେ ଯୋଗ ଦେବାକୁ ଯାଉଥିବା ବେଳେ ଅଧା ବାଟରେ ଲିଭିଯାଇଛି ଜୀବନ ଦୀପ । ଭଦ୍ରକ ଦୋଳସାହି ଶାସନର ରାଜେନ୍ଦ୍ର ସାହୁଙ୍କ ଆକସ୍ମିକ ମୃତ୍ୟୁ ପରେ ଅବାକ ହୋଇଛନ୍ତି ବାପା । ଭାଙ୍ଗି ପଡିଛି ପୂରା ପରିବାର । ପୁଅର ମୃତ୍ୟୁ ଖବର ପରିବାରର ପାଦ ତଳୁ ମାଟି ଖସାଇଦେଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଖେଳାଇ ଦେଇଛି ଶୋକର ଛାୟା ।

ଢେଙ୍କାନାଳରେ ଜିଓ କମ୍ପାନୀରେ ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ ଯୋଗ ଦେବାକୁ ଗୁରୁବାର ଭୋରରୁ ଭୋରରୁ ଘରୁ ବାହାରି ଯାଇଥିଲେ ରାଜେନ୍ଦ୍ର । ମନ୍ଦିରରେ ମୁଣ୍ଡିଆ ମାରି ନିଜ ସାଙ୍ଗ ସହ ଯିବା ସମୟରେ ଘରଠୁ କିଛି ଦୂର ଯାଇଥିବା ବେଳେ ଏକ ଟ୍ରକ ସହ ଧକ୍କା ହୋଇଥିଲା ।

ତେବେ କୁହୁଡି ପାଇଁ କିଛି ଦିଶୁ ନ ଥିବାରୁ ଦୁଇ ସାଙ୍ଗଙ୍କ ଉପରେ ଚଢିଯାଇଥିଲା ଟ୍ରକ । ଦୁର୍ଘଟଣା ପରେ ଘଟଣାସ୍ଥଳରେ ରାଜେନ୍ଦ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସାଙ୍ଗ ନିରଞ୍ଜନ ଗୁରୁତର ହୋଇଥିଲେ । ତେବେ ଚାକିରି କରି ପରିବାରର ଦୁଃଖ ଦୂର କରିବାକୁ ସ୍ୱପ୍ନ ଦେଖିଥିବା ରାଜେନ୍ଦ୍ର ସବୁଦିନ ପାଇଁ ପରିବାର ଠାରୁ ଦୂରେଇ ଯିବା ପରେ ଗାଁ ମଶାଣିରେ କରାଯାଇଛି ଦାହ ସଂସ୍କାର ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

ସମ୍ବନ୍ଧିତ ଖବର

Comments are closed.