ବନ୍ତ :  ଦ୍ରୁତ ଗତିରେ ବେପରୁଆ ଭାବେ ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଯାଉଥିବା ଏକ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ବନ୍ତ ବଜାରର ଜଣେ ବ୍ୟବସାୟୀଙ୍କର ପରଲୋକ ହୋଇଛି। ଏହାର ପ୍ରତିବାଦରେ ଗତକାଲି ରାତିଠାରୁ ସ୍ଥାନୀୟ ଲୋକମାନେ ଆନନ୍ଦପୁର ଭଦ୍ରକ ରାସ୍ତାକୁ ଅବରୋଧ କରିଛନ୍ତି।ଫଳରେ ଗତକାଲିଠାରୁ ଏହି ରାସ୍ତାରେ ଯାନବାହାନ ଚଳାଚଳ ସଂପୂର୍ଣ୍ଣ ବନ୍ଦ ରହିଛି।

Advertisment

ଘଟଣାରୁ ପ୍ରକାଶଯେ ବନ୍ତ ବଜାରରେ ବ୍ୟବସାୟ କରୁଥିବା ଟିଲୋ ବଡ଼ସାହି ଗ୍ରାମର ଶଙ୍କର୍ଷଣ ସାହୁ ଶୁକ୍ରବାର ରାତି ପ୍ରାୟ ୯ଟାସମୟରେ ବାଇକ ଯୋଗେ ଘରକୁ ଯାଉଥିଲା ବେଳେ ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଯାଉଥିବା ଲୁହାପଥର ବୋଝେଇ ଟ୍ରକ ତାଙ୍କୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଯାଇଥିଲା। କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ଵନ୍ତ ପୁଲିସ ପହଞ୍ଚି ଆହତଙ୍କୁ ଚିକିତ୍ସା ନିମନ୍ତେ ଭଦ୍ରକ ଜିଲ୍ଲା ଚିକିତ୍ସାଳୟକୁ ପଠାଇଥିଲେ। ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ। ମାତ୍ର ୧୬ନଂ ଜାତୀୟ ରାଜପଥର କୁଆଖିଆ ନିକଟରେ ତାଙ୍କର ପରଲୋକ ହୋଇଯାଇଥିଲା

ଏହି ଦୁଃଖଦ ଖବର ପାଇବାପରେ ଏ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳରେ ସ୍ଥାନୀୟ ଲୋକମାନେ ଦୀର୍ଘ ସମୟ ଧରି ରାସ୍ତା ଉପରେ ପଡ଼ିରହିଥିବା ବାଲି, ଚିପ୍ସ ଆଦିର ତୁରନ୍ତ ଉଠାଇବାକୁ ପଦକ୍ଷେପ ନେବା, ବନ୍ତ ବଜାର ରାସ୍ତାରେ ସିସି କ୍ୟାମେରା ଲଗାଇବା, ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବା, ଵଜାରରେ ନିର୍ମାଣ କରାଯାଇଥିବା ଡିଭାଇଡରର ଅନାବଶ୍ୟକ ଫାଙ୍କ ବନ୍ଦ କରିବାସହ ଉକ୍ତ ରାସ୍ତା ଉପରେ ଚଳାଚଳ କରୁଥିବା ଲୁହାପଥର ଓ ବାଲି ବୋଝେଇ ଗାଡ଼ିକୁ ସକାଳ ଛଅଟାଠାରୁ ରାତି ଦଶଟା ପର୍ଯ୍ୟନ୍ତ ବନ୍ଦ କରିବା ଦାବିରେ ରାସ୍ତା ଅବରୋଧ କରିଛନ୍ତି।