ଭଦ୍ରକ: କୋଭିଡ ନିୟମ ଠିକ ଭାବେ ପାଳନ ହେଉଛି କି ନାହିଁ ସେଥିପାଇଁ ଜିଲ୍ଲାର ବିଭିନ୍ନ ନର୍ସିଙ୍ଗ ହୋମ ଉପରେ ଭଦ୍ରକ ଜିଲ୍ଲା ପ୍ରଶାସନର ୩ଟି ସ୍କ୍ଵାଡ ଚଢ଼ାଉ କରିଛନ୍ତି। ଭଦ୍ରକ ତହସିଲଦାର ଜ୍ୟୋତି ବିକାଶ ଦାଶ, ଭଦ୍ରକ ଟାଉନ ଥାନାଧିକାରୀ ଚନ୍ଦନ ଘଡ଼େଇଙ୍କ ସହ ଅନ୍ୟ ସରକାରୀ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଛନ୍ତି । ସହରରେ ଥିବା ପାଢୀ ହେଲଥ କେୟାର, ଶୁଭମ ହସ୍ପିଟାଲ ସହ ଅନ୍ୟ ନର୍ସିଙ୍ଗ ହୋମ ଯାଞ୍ଚ ହୋଇଛି ।
ଅନେକ ନର୍ସିଙ୍ଗ ହୋମ୍ କୋଭିଡ ପାଇଁ ଥିବା ସରକାରୀ ଗାଇଡ ଲାଇନ୍ ନିୟମ ମନୁ ନ ଥିବା ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ଘରୋଇ ନର୍ସିଙ୍ଗ ହୋମଗୁଡ଼ିକରେ ବହୁ ରୋଗୀ ଚିକିତ୍ସିତ ହେଉଥିବାରୁ ସେହି ସ୍ଥାନକୁ ସଠିକ୍ ଭାବେ ସାନିଟାଇଜ କରାଯାଉଛି କି ନାହିଁ, ରୋଗୀ ଓ ସମ୍ପର୍କୀୟମାନେ ସାମାଜିକ ଦୂରତା ନିୟମ ମାନିବା ସହ ମାସ୍କ ବ୍ୟବହାର କରୁଛନ୍ତି କି ନାହିଁ ସେ ନେଇ ଯାଞ୍ଚ ହୋଇଛି। ଏହି ଯାଞ୍ଚରେ ଯଦି କୌଣସି ନର୍ସିଙ୍ଗ ହୋମ ନିୟମ ଉଲଂଘନ କରିଥାନ୍ତି ସେହିମାନଙ୍କ ବିରୋଧରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସୂଚନା ମିଳିଛି ।
ସେହିପରି ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ଘରୋଇ ହସ୍ପିଟାଲ ଓ ନର୍ସିଂ ହୋମ୍ରେ ସ୍ୱାସ୍ଥ୍ୟ ବିଭାଗ ଏବଂ ପୁଲିସ ପକ୍ଷରୁ ମିଳିତ ଭାବେ ଯାଞ୍ଚ ଆରମ୍ଭ ହୋଇଛି। କୋଭିଡ ଗାଇଡ ଲାଇନ୍ ସଠିକ ଭାବେ ପାଳନ ହେଉଛି କି ନାହିଁ ସେ ନେଇ ଜୋରସୋର ଯାଞ୍ଚ ଆରମ୍ଭ ହୋଇଯାଇଛି।