ଭଦ୍ରକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ପ୍ରଦାନ କରିଛି ଭଦ୍ରକ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ । ଜିଲ୍ଲାପାଳଙ୍କ ଜରିଆରେ ଏହି ସଂଘ ଦାବି କରିବା ସହିତ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆ ଯାଇଛି ।
ସରକାର ଶିକ୍ଷା ବିଭାଗରେ ଅସମାନତା ସୃଷ୍ଟି କରିଛନ୍ତି । ୨୦୦୪ ମସିହା ପରେ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କର ପେନସନ ନାହିଁ। ଏହାକୁ ବିରୋଧ କରିଛି ଏହି ସଂଘ। ପୁରୁଣା ପେନସନ ଲାଗୁ କରିବା, ସପ୍ତମ ବେତନ ମୁତାବକ ଅବିକଳ କେନ୍ଦ୍ରୀୟ ପେନସନ ହାର ଲାଗୁ କରିବା, ଶିକ୍ଷକମାନଙ୍କ ମଧ୍ୟରେ ବର୍ଗୀକରଣ ବନ୍ଦ କରିବା, ପାରା ଶିକ୍ଷକ, ଶିକ୍ଷା ସହାୟକ ଓ ଗଣଶିକ୍ଷକ ମାନଙ୍କୁ ଏକକ ଶିକ୍ଷକ ଭାବେ ଗ୍ରହଣ କରି ନିୟମିତ କରିବା, ୨୦୨୦ ମସିହାରେ ଜାରି ହୋଇଥିବା ଶିକ୍ଷା ନୀତି ପ୍ରତ୍ୟାହାର କରିବା ଏବଂ ଚୁକ୍ତିଭିତ୍ତିକ ଶିକ୍ଷକ ନିଯୁକ୍ତି ବନ୍ଦ କରି ସେମାନଙ୍କୁ ନିୟମିତ କରିବା ଶିକ୍ଷକ ମାନଙ୍କୁ ଶିକ୍ଷାଦାନ କାର୍ଯ୍ୟରେ ନ ଲଗାଇ ଅନ୍ୟାନ୍ୟ କାର୍ଯ୍ୟରେ ଲଗାଇବାକୁ ସଂଘ ତୀବ୍ର ବିରୋଧ କରିଛି । ରାଜ୍ୟ ସଂଘର ସଭାପତି ତ୍ରିଲୋଚନ ନାୟକଙ୍କ ସମେତ ଅଶୋକ ଦାସ, ସତ୍ୟନାରାୟଣ ସାହୁ, ସିଲା ମିଶ୍ର, ଗୋବିନ୍ଦ ଚନ୍ଦ୍ର ରାଉତ, ରାଜେନ୍ଦ୍ର ସେଠୀ, ଅମିୟ ରାଉତ, କୃତିବାସ ରାଉତ, ନମିତା ସାହୁ, ଗଙ୍ଗାଧର ବେହେରା, ସୁବୋଧ ଚରଣ ଜେନା ଓ ଅଞ୍ଜନ ବେହେରା ପ୍ରମୁଖ ଦାବିପତ୍ର ପ୍ରଦାନ ସମୟରେ ଉପସ୍ଥିତ ଥିଲେ।