ଭଦ୍ରକ: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଭଦ୍ରକ ଗସ୍ତ ସମୟରେ ପ୍ରଥମେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୧୧୭ ଜଣ ବରିଷ୍ଠ ନାଗରିକଙ୍କୁ ୩ ଟି ବସ୍‌ରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହାପରେ ଜିଲ୍ଲାର ବିଭିନ୍ନ ବିକାଶମୂଳକ କାର୍ଯ୍ୟର ଅଗ୍ରଗତି ଓ ସରକାରୀ ଯୋଜନା ସଂପର୍କରେ ଏକ ବୈଠକ ଜିଲ୍ଲା ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ଜିଲ୍ଲାପାଳ ଦୀଲିପ ରାଉତରାଏ, ଆରକ୍ଷୀ ଅଧ୍ୟୀକ୍ଷକ ମନୋଜ ରାଉତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବିନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସରୋଜ କୁମାର ଦତ୍ତ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ, ଡେପୁଟି କଲେକ୍ଟର କାର୍ତ୍ତିକ ନାଥ ମଣ୍ଡଲ ଏବଂ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ। 
Advertisment

ଉର୍ସରେ ହୋଇଥିବା ପ୍ରବଳ ଜନସମାଗମ

ପ୍ରଥମେ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଆଲୋଚନା ହୋଇଥିଲା ଏଥିରେ ଆରକ୍ଷୀ ଅଧ୍ୟୀକ୍ଷକ ଜିଲ୍ଲାରେ ବିଭିନ୍ନ ପର୍ବ ପର୍ବାଣୀକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରିବା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଥିବାର ସୂଚନା ପ୍ରଦାନ କରିଥିଲେ। ବିଶେଷ କରି ଐତିହାସିକ କାଳୀପୂଜା ଓ ଧାମନଗର ଉର୍ସରେ ହୋଇଥିବା ପ୍ରବଳ ଜନସମାଗମକୁ ଅତି ସୁସଂଗଠିତ ଭାବରେ ପରିଚାଳନା କରାଯାଇଥିଲା, ଯାହା ଫଳରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିଲା। ମହିଳାଙ୍କ ଉପରେ ହେଉଥିବା ନିର୍ଯାତନାକୁ ରୋକିବା ପାଇଁ ପ୍ରତ୍ୟେକ ଥାନାରେ ଏକ ମହିଳା ଶକ୍ତି କେନ୍ଦ୍ର କ୍ରିୟାଶିଳ ଅଛି। ମିସନ ଶକ୍ତି କାଫେ ସମସ୍ତ ବ୍ଲକ ଏବଂ ଜିଲ୍ଲା ମୁଖ୍ୟାଳୟରେ ଅବିଳମ୍ବେ କାର୍ଯ୍ୟାନ୍ୱିତ କରିବା ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଥାପନ କରିବାପାଇଁ ଉପମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। 

ଅଯୋଗ୍ୟଙ୍କୁ ବାଦ୍‌ ପାଇଁ ପରାମର୍ଶ

ସେହିପରି ସମସ୍ତ ଅଙ୍ଗନୱାଡିର ନିଜସ୍ୱ ଗୃହ ଉପଲବ୍ଧି କରିବାପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା, ସୁଭଦ୍ରା ଯୋଜନାରେ ଅଯୋଗ୍ୟ ହିତାଧିକାରୀଙ୍କୁ ସଠିକ ତଦନ୍ତ କରି ବାଦ ଦେବା, ଶିଶୁ ସୁରକ୍ଷା ଯୋଜନାରେ ଉଦ୍ଧାର ହେଉଥିବା ଶିଶୁଙ୍କୁ ଶିଶୁ ପରିଚର୍ଯ୍ୟା ସଂସ୍ଥା ମାଧ୍ୟମରେ ଉପଯୁକ୍ତ ଶିକ୍ଷା ପ୍ରଦାନ ସହିତ ସେମାନଙ୍କୁ ଥଇଥାନ କରିବା ଦିଗରେ ପଦକ୍ଷେପ, ମିସନ ବାତ୍ସଲ୍ୟ ଓ ଯଶୋଦା ଯୋଜନାକୁ ଠିକଭାବରେ କାର୍ଯ୍ୟକାରୀ କରିବା, ଶିଶୁ ହେଲ୍ପଲାଇନ ନମ୍ବର ୧୯୦୮ ଓ ପୁଲିସ ହେଲ୍ପଲାଇନ ନମ୍ବର ୧୧୨କୁ ବହୁଳଭାବରେ ଜନସମାଗମ ହେଉଥିବା ସ୍ଥାନରେ ଯଥା ବସ୍‌ଷ୍ଟାଣ୍ଡ, ରେଲୱେ ଷ୍ଟେସନ, ଅଟୋ ଷ୍ଟାଣ୍ଡ ଇତ୍ୟାଦିରେ ପ୍ରଚାର ପ୍ରସାର କରିବା, ପର୍ଯ୍ୟଟନ ପ୍ରକଳ୍ପ ଯଥା ଚାରବାଟିଆରେ ଏକ ପାର୍କ, କାନ୍ତ କବି ଲକ୍ଷ୍ମୀକାନ୍ତ ମେମୋଲିଆଲ ପାର୍କ, ବିରଞ୍ଚି ନାରାୟଣ ମନ୍ଦିର, ପାଳିଆବିନ୍ଧାର ଉନ୍ନତୀକରଣ, ଗୋହିରାଟିକିରିରେ ଏକ ପାର୍କ, ଲାଇବ୍ରେରୀ, ଇଣ୍ଟରପ୍ରିଟେସନ୍ କେନ୍ଦ୍ର, ବାବା ଆଖଣ୍ଡଳମଣୀ ମନ୍ଦିରର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ, ମା ଭଦ୍ରକାଳୀଙ୍କ ପୀଠର ଉନ୍ନତିକରଣ, ରକ୍ତତୀର୍ଥ ଇରମର ପାରିପାର୍ଶ୍ୱିକ ଉନ୍ନତିକରଣ, ଜିଲ୍ଲାର ବିଭିନ୍ନ ରାସ୍ତା ପ୍ରକଳ୍ପର ଅଗ୍ରଗତି, ଆରଡି ରାସ୍ତାର ସଂପ୍ରସାରଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇ.ସି.ୟୁ ସ୍ଥାପନ କରିବା, ଆଦି ବିଭିନ୍ନ କାର୍ଯ୍ୟର କାର୍ଯ୍ୟକାରୀ ଓ ଅଗ୍ରଗତି ଉପରେ ଗୁରୁତ୍ୱ ପ୍ରଦାନ କରି ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ଯେପରି ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁ ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ ସେଥିପ୍ରତି ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଶ୍ରୀମତୀ ପରିଡ଼ା। ଉପମୁଖ୍ୟମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।