ଭଦ୍ରକ: ଭଦ୍ରକ ଜିଲ୍ଲାର ଧାମରାଠାରେ ୫ ହଜାର ଏକର ଜମି ଉପରେ ଏକ ବୃହତ୍ ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବା ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଜନା କରାଯାଇଥିଲା। ଏହା ବ୍ୟତୀତ ଅଧିଗୃହୀତ ଜମିରେ ଅନେକ ବୃହତ୍ତ ଶିଳ୍ପ ସଂସ୍ଥା ଖୋଲାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଗତ ୨୦୨୩ ଜାନୁଆରି ମାସରୁ ଆରମ୍ଭ ହୋଇଥିଲା ଜମି ଅଧିଗ୍ରହଣ ପ୍ରକ୍ରିୟା। ଏହି ପ୍ରକ୍ରିୟା ମନ୍ଥରଗତିରେ ଚାଲିଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୧୧୧୩ ଏକର ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି। ଏଥିରୁ ୮୧୨ ଏକର ଘରୋଇ ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ କରାଯାଇଛି। ସେହିପରି ସରକାରୀ ଜମି ୧୦୫ ଏକର ଚିହ୍ନଟ କରାଯାଇ ଅଧିଗ୍ରହଣ କରାଯାଇଥିବା ବେଳେ ୪୦ ଏକର ଜଙ୍ଗଲ କିସମ ଜମି ଚିହ୍ନଟ କରାଯାଇ ଅଧିଗ୍ରହଣ କରାଯାଇଛି। ଏହି ଅଞ୍ଚଳରେ ଯେଉଁ ସବୁ ଘରୋଇ ଜମି ଅଧିଗ୍ରହଣ କରାଯାଇଛି, ସେହିସବୁ ଜମି ମାଲିକଙ୍କୁ ଆସନ୍ତା ୨୦୨୪ ମାର୍ଚ୍ଚ ଶେଷ ସୁଦ୍ଧା ଜମିର ମୂଲ୍ୟ ଆକଳନ କରାଯାଇ କ୍ଷତିପୂରଣ ପ୍ରଦାନ କରାଯିବ। ଏହା ପରେ ଦ୍ବିତୀୟ ପର୍ଯ୍ୟାୟରେ ୩ ହଜାର ଏକର ସରକାରୀ ଓ ବେସରକାରୀ ଜମି ଅଧିଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ଏହି ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ଜିଲ୍ଲା ଭୂଅର୍ଜନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଇଡ୍କୋ କର୍ତ୍ତୃପକ୍ଷ ଜିଲ୍ଲା ଭୂଅର୍ଜନ କାର୍ଯ୍ୟାଳୟ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବିତ ଚିଠା ପଠାଇଛନ୍ତି। ଇଡ୍କୋ ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ପାଇଁ ସହମତି ପ୍ରକାଶ କଲେ ଖୁବ୍ଶୀଘ୍ର ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ କରାଯିବ ବୋଲି ଜିଲ୍ଲା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ କର୍ତ୍ତିକ ନାଥ ମଣ୍ଡଳ ପ୍ରକାଶ କରିଛନ୍ତି।
ବାସୁଦେବପୁର ତହସିଲର ବାଲିମୁଣ୍ଡାଠାରେ ୭ ଶହ କୋଟି ଟଙ୍କାରେ ପ୍ରସ୍ତାବିତ ଏୟାରଷ୍ଟ୍ରିପ୍ ( ବିମାନ ଘାଟି) ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହୋଇଛି। ଶିଳ୍ପ ବିଭାଗ ପକ୍ଷରୁ ଏକ ବୃହତ୍ତ ଇଣ୍ଡଷ୍ଟ୍ରିଆଲ୍ ପାର୍କ ପ୍ରତିଷ୍ଠା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଭୂଅର୍ଜନ ଅଧିକାରୀ ଶ୍ରୀ ମଣ୍ଡଳଙ୍କ ସହ ଚାନ୍ଦବାଲି ତହସିଲର ସୁପରଭାଇଜର ଦଶରଥ ଦାସ, ବାସୁଦେବପୁର ତହସିଲର ସୁପରଭାଇଜର କମଳା ଦାସ, ଭୂଅର୍ଜନ ବିଭାଗର ହେମନ୍ତ ପ୍ରଧାନ, ଅମିନ ଶ୍ୟାମସୁନ୍ଦର ଜେନା ପ୍ରମୁଖ ଚାନ୍ଦବାଲି ତହସିଲର କୃଷ୍ଣପ୍ରସାଦ, ବଳଭଦ୍ରପ୍ରସାଦ, ଜଗନ୍ନାଥପ୍ରସାଦ ମୌଜାର ଜମି ପରିଦର୍ଶନ କରିଥିଲେ। ପରେ ଚାନ୍ଦବାଲି ତହସିଲର କଇଥକୋଲା ମୌଜା ଅଞ୍ଚଳରେ ଥିବା ଜମି ଚିହ୍ନଟ ପାଇଁ କ୍ଷେତ୍ରୀୟ ପରିଦର୍ଶନ କରିଥିଲେ। ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣର ଚୂଡାନ୍ତ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଗତ ଅକ୍ଟୋବର ମାସରେ ଶ୍ରୀ ମଣ୍ଡଳଙ୍କ ସହ ଏକ ସ୍ବତନ୍ତ୍ର ଟିମ୍ ଦ୍ବିତୀୟ ଥର କ୍ଷେତ୍ରୀୟ ଅନୁଧ୍ୟାନରେ ଯାଇ ଜମି ମାଲିକମାନଙ୍କୁ କ୍ଷତିପୂରଣ ନେଇ ଆଲୋଚନା କରିଥିଲେ। ଏ ସଂପର୍କରେ ଜିଲ୍ଲା ସ୍ବତନ୍ତ୍ର ଭୂଅର୍ଜନ ଅଧିକାରୀ ଶ୍ରୀ ମଣ୍ଡଳ କହନ୍ତି, ଗତ ଜାନୁଆରି ମାସରୁ ଇଡ୍କୋ ଜରିଆରେ ଜମି ଅଧିଗ୍ରହଣ କାର୍ଯ୍ୟ ଜିଲ୍ଲା ପ୍ରଶାସନ ମାଧ୍ୟରେ ଆରମ୍ଭ କରାଯାଇଥିଲା।
ଶିଳ୍ପ ପାର୍କ ପାଇଁ ବାସୁଦେବପୁର ଓ ଚାନ୍ଦବାଲି ତହସିଲ୍ରେ ଥିବା ୧୨୨୫ ଏକର ଜମି ପ୍ରଶାସନ ଚିହ୍ନଟ କରିଛି। ପାର୍କ ପାଇଁ ଚିହ୍ନଟ ହୋଇଥିବା ଜମି ମଧ୍ୟରୁ ବଳଭଦ୍ରପ୍ରସାଦ ମୌଜାରୁ ୪୧. ୩୯ ଏକର, ଜଗନ୍ନାଥପ୍ରସାଦ ମୌଜାରୁ ୫୦୮.୩୨ ଏକର, ଲକ୍ଷ୍ମୀପ୍ରସାଦ ମୌଜାରୁ ୪୦୭.୪୦ ଏକର, କଇଥକୋଲା ମୌଜାରୁ ୪୨୦ ଏକର ଜମି ଚିହ୍ନଟ କରାଯାଇଛି। ଏହିସବୁ ମୌଜା ମଧ୍ୟରେ ବାଘଖୋଲ, ବରଡା, ଗୋପୀନାଥପୁର, ଚନ୍ଦ୍ରଶେଖରପୁର, ବଡପିମ୍ପଳା, ସାନପିମ୍ପଳା, ଭିଜିଡିଆ, ବାଲିଘାଇ, ଆନନ୍ଦପୁର, କୁଆମରା, କରଣପଲ୍ଲୀ, ବିଜୟପାଟଣା ଆଦି ଗ୍ରାମ ରହିଛି। ପ୍ରଥମ ପର୍ଯ୍ୟାୟର କ୍ଷତିପୂରଣ ପ୍ରଦାନ ଶେଷ ପରେ ଦ୍ବିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ କାର୍ଯ୍ୟ ତ୍ବରାନ୍ବିତ କରାଯିବ ବୋଲି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।