ଭଦ୍ରକ: ଭଦ୍ରକରେ ଦିନକୁ ଦିନ ବିଗିଡିବାରେ ଲାଗିଛି ସରକାରୀ ସ୍ବାସ୍ଥ୍ୟ ସେବା। ୧୯୯୩ ମସିହାରେ ଭଦ୍ରକ ସସ୍ବତନ୍ତ୍ର ଜିଲ୍ଲାର ମାନ୍ୟତା ପାଇଲା। ଅଭିବକ୍ତ ବାଲେଶ୍ବର ଜିଲ୍ଲାର ଭାଗ ହୋଇ ଭଦ୍ରକ ଏକ ନୂଆ ଜିଲ୍ଲା ହେଲା। ୭ଟି ବ୍ଲକକୁ ନେଇ ନୂଆ ଜିଲ୍ଲା ହେଲା ଏଇ ଜିଲ୍ଲାର ଏବେ ଲୋକ ସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇଥିବା ବେଳେ ଏମାନଙ୍କର ସ୍ବାସ୍ଥ୍ୟ ସେବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରହିଛି। ୧୯୯୩ରୁ ୨୦୨୫ ଏକ ଲମ୍ବା ସମୟର ବ୍ୟବଧାନ ପରେ ଗତ କିଛି ମାସ ହେଲା ଭଦ୍ରକର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଗେଲପୁରସ୍ଥିତ ତାର ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଛି। 

Advertisment

ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କ୍ୟାମ୍ପସ୍‌କୁ ସ୍ଥାନାନ୍ତର ହେବା ପରେ ରୋଗୀମାନେ ଓ ଜିଲ୍ଲାବାସୀ ଭାବିଥିଲେ ଏଠାରେ ଭଲ ସ୍ବାସ୍ଥ୍ୟ ସେବା ମିଳିବ। ମାତ୍ର ଏଠି ଲୋକେ ଶୋଷଣର ଶୀକାର ହେଉଛନ୍ତି। ଭଦ୍ରକ ସହରରୁ ଗେଲପୁରସ୍ଥିତ ଡାକ୍ତରଖାନାକୁ ଆସିବା ପାଇଁ ରୋଗୀ ଓ ସେମାନଙ୍କ ସଂପର୍କୀୟଙ୍କୁ ୨୦୦ ଟଙ୍କାର ଅଟୋ ଭଡା ଦଣ୍ଡ ଗଣିବାକୁ ପଡୁଛି। ଏଠାକୁ ସ୍ବତନ୍ତ୍ର ଟାଉନ ବସ୍ ଦିଆଗଲା ନାହିଁ।

ସେହିପରି ଏଠାରେ ରୋଗୀମାନଙ୍କୁ ଚିକିତ୍ସା ସେବା ଯୋଗାଇ  ଦେବା ପାଇଁ ଆବଶ୍ୟକ ଡାକ୍ତର ନାହାନ୍ତି। ଯେଉଁ ସବୁ ଡାକ୍ତର ପଦବି ପୂରଣ ହେବା କଥା ତାହା ସରକାର ପୂରଣ କରୁ ନାହାନ୍ତି। କେବଳ ଡାକ୍ତର ନୁହନ୍ତି। ଏଠାରେ ଖାଲିପଡ଼ିଥିବା ଫାର୍ମାସିଷ୍ଟ, ନର୍ସ ଓ ଅନ୍ୟ ସବୁ ପାଥୋଲଜି ଟେକ୍ନିସିଆନ ପଦବି ଖାଲି ପଡିଛି। ମେଡିକାଲ ପରିସରରେ ରକ୍ତ ଭଣ୍ଡାର ଓ ଡାଏଲିସିସ କେନ୍ଦ୍ର ନଥିବାରୁ ରୋଗୀ ରାତିଅଧରେ ପୁରୁଣା  ମେଡିକାଲକୁ ଦୌଡି ଦୌଡି ନୟାନ୍ତ ହେଉନ୍ତି। ଏସବୁ  ସମସ୍ୟା ସଂପର୍କରେ ରୋଗୀ ‌ ଓ ସେମାନଙ୍କ ସଂପର୍କୀୟମାନେ  ବାରଂବାର ଦାବି କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର ଏଥିପ୍ରତି ପ୍ରତି ଦୃଷ୍ଟି ଦେଉ ନାହାନ୍ତି। ଭଦ୍ରକରେ ବିଗିଡି ଯାଇଥିବା ସ୍ବାସ୍ଥ୍ୟ ସେବା ପ୍ରତି ଭଦ୍ରକର ନିର୍ବାଚନିତ ଲୋକ ପ୍ରତିନିଧିମାନେ ଦୃଷ୍ଟି ଦେବାତ ଦୂରର କଥା ଭଦ୍ରକ ମେଡିକାଲ କେଉଁ ପରିସ୍ଥିତିରେ ଚାଲିଛି ସେ ବିଷୟରେ ମଧ୍ୟ ସାମାନ୍ୟତମ ଆନ୍ତରିକତା ପ୍ରକାଶ କରୁନାହାନ୍ତି। ଜିଲ୍ଲାରେ ମେଡିକାଲ କଲେଜର ପ୍ରତିଶ୍ରୁତି ଦେଇ ଗୋଟିଏ ସରକାର ଗଡିଗଲା। ଆଉ ଗୋଟିଏ  ସରକାର ମେଡିକାଲଲ  ଆସିବା ମାତ୍ରେ ହିଁ ପ୍ରତିଷ୍ଠା କରାଯିବାର ପ୍ରତିଶ୍ରୁତି ଦେବା ପରେ ଆଉ ଧରାଛୁଆଁ ଦେଉ ନାହାନ୍ତି।  

ସରକାର ଆସିବା ପରେ ଭଦ୍ରକ ଜିଲ୍ଲାବାସୀଙ୍କୁ ଯେଉଁ ପ୍ରତିଶ୍ରୂତି ଦେଇଥିଲେ ତାହା କେବଳ ଧୂଆଁବାଣ ସଦୃଶ ହୋଇଛି।  ଭଦ୍ରକର ବୁଦ୍ଧିଜୀବୀ ଏବେ ନୀରବ। କାହାକୁ କହିବେ, କିଏ ଆଉ ବୁଦ୍ଧିଜୀବୀଙ୍କ କଥା ଶୁଣିବେ। ଯେଉଁମାନେ ଲଙ୍କାକୁ ଗଲେ ସମସ୍ତେ ରାବଣ ସାଜିଲେ।  ଜିଲ୍ଲାରେ ଏଭଳି ପରିସ୍ଥିତି ଦେଖିବା ପରେ ଭଦ୍ରକର ବୁଦ୍ଧିଜୀବୀ ଆଉ ଆଗକୁ ବାହାରି କାହାର ଶତ୍ରୁ ହେବାକୁ ଚାହୁଁ ନାହାନ୍ତି। ଭଦ୍ରକ ଏବେ ତାର ପୂର୍ବ ଗୌରବ ଓ ଗାରିମା ସବୁ ହରାଇବାକୁ ବସିବାକୁ ଯାଉଛି। ରାଜ୍ୟରେ ରାଜନୈତି୍କ ଦୃଷ୍ଟି କୋଣରୁ ଭଦ୍ରକର ଏକ ପ୍ରମୁଖ ଭୂମିକା ସବୁବେଳେ ରହି ଆସିଛି। ମାତ୍ର ଭଦ୍ରକର ବିକାଶ ସବୁ କ୍ଷେତ୍ରରେ ପଛରେ ପଡିଛି। ବିଶେଷକରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଭଦ୍ରକ ଏତେ ପଛକୁ ଠେଲି ହୋଇଛି ଯେ ସାଧାରଣ  ରୋଗୀଟିଏର ଏଇ ସରକାରୀ ଚିକିତ୍ସା ସେବା ଉପରେ ଭରସା ପାଉ ନ‌ାହିଁ। ବାଧ୍ୟ ହୋଇ ଭଦ୍ରକର ସଂଖ୍ୟାଧିକ ରୋଗୀ  ଭଦ୍ରକରେ ଛତୁଫୁଟିଲା ଭଳି ଖୋଲାଯାଇଥିବା ଘରୋଇ  ନର୍ସିଂହୋମକୁ ଯାଇ ଶୋଷଣରେ ଶିକାର ହେଉଛନ୍ତି।