ଚପଲ ଆଣିବା ହେଲା କାଳ, ୮ ବର୍ଷ ଶିଶୁକନ୍ୟାର ସଲିଳ ସମାଧି

ପୋଖରୀ ମଧ୍ୟରୁ ମୃତାବସ୍ଥାରୁ ଉଦ୍ଧାର କଲା ଦମକଳ ବାହୀନି

ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ନଳଗୋହୀରା ଗାଁର ସୁବଳ ରାଉତଙ୍କ ମଝିଆଁ ଝିଅକୁ ଶନିବାର ପୋଖରୀ ମଧ୍ୟରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୂର୍ବାହ୍ନ ୧୦ଟାରୁ ନିଖୋଜ ୩ୟ ଶ୍ରେଣୀ ଛାତ୍ରୀ ନିଜ ଘରପାଖ ପୋଖରୀରେ ବୁଡ଼ି ଯାଇଥିଲା। ମିଳିଥିବା ସୂଚନା ଅନୁସାରେ ସୁବଳ ରାଉତଙ୍କ ମଝିଆ ଝିଅ ଲକି ରାଉତ (୮ ବର୍ଷ) ଏବଂ ତାଙ୍କ ସାନ ଭଉଣୀ ଅଭିଲିପ୍ସା ରାଉତ ପଦାକୁ ଶୌଚ ପାଇଁ ଯାଇଥିଲେ। ପରେ ଦୁହେଁ ଘରକୁ ଫେରିଥିଲେ। ମାତ୍ର ଲକି ରାଉତ ପୋଖରୀ ତୁଠରେ ଚପଲ ଛାଡ଼ିଦେଇ ଆସିଥିବା ବେଳେ ଘରୁ ପୁଣି ପୋଖରୀ ପାଖକୁ ଚପଲ ଆଣିବା ପାଇଁ ଯାଇଥିଲା ମାତ୍ର ଗୋଡ଼ ଖସିଯିବାରୁ ପୋଖରୀର ଅଥଳ ଜଳରେ ବୁଡ଼ିଯାଇ ଥିଲା।

ପରିବାର ଲୋକେ ବହୁ ବିଳମ୍ବରେ ଲକିକୁ ଖୋଜାଖୋଜି କରିଥିଲେ ହେଁ କୌଣସି ଖବର ପାଇ ନଥିଲେ। ପୋଖରୀରେ ଲକିର ଚପଲ ଭାଷୁଥିବାର ଦେଖି ସଂଦେହରେ ଚାନ୍ଦବାଲି ଦମକଳ ବାହୀନିକୁ ଫୋନ ଯୋଗେ ଖବର କରିଥିଲେ। ଖବର ପାଇଁ ଚାନ୍ଦବାଲି ଦମକଳ ବିଭାଗ ଅଫିସର ପର୍ଶୁରାମ ବେହେରାଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ପୋଖରୀ ମଧ୍ୟରୁ ମୃତାଅବସ୍ଥାରେ ଲକିଙ୍କୁ ଉଦ୍ଧାର କରିଛି।

ସମ୍ବନ୍ଧିତ ଖବର