ଭଦ୍ରକ: ଭଦ୍ରକର ବାଇପାସ୍ ଛକରୁ ସରକାର ନଗର ଛକ ପର୍ଯ୍ୟନ୍ତ ଭଦ୍ରକ ଚାନ୍ଦବାଲି ରାସ୍ତର ଉଭୟ ପାର୍ଶ୍ଵରେ ଥିବା ସରକାରୀ ଜମିରୁ ଜବର ଦଖଲ ଉଚ୍ଛେଦ ବେଳେ ଲୋକମାନେ ପ୍ରତିବାଦ କରୁଥିବା ବେଳେ ଲୋକଙ୍କ ଘର ଭାଙ୍ଗିବା ପୂର୍ବରୁ ସେମାନଙ୍କୁ ଥଇଥାନ କରାଯାଉ ବୋଲି ଦାବି କରି ଭଦ୍ରକ ପୌର ଅଧ୍ୟକ୍ଷା ଗୁଲ ମୁକ୍କି ହବିବ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଗ ଥଇଥାନ କର। ପରେ ଦୋକାନ ଘର ଭାଙ୍ଗ ବୋଲି ଦାବି କରିଛନ୍ତି।
ଏହାର ପ୍ରତିବାଦ କରି ସେ ଗତ ୧୬ ତାରିଖ ଦିନ ଉଚ୍ଛେଦ ସ୍ଥଳରେ ଉପସ୍ଥିତ ଥିଲେ। ପ୍ରଶାସନ ଓ ପୌର ଅଧ୍ୟକ୍ଷା ଙ୍କ ମଧ୍ୟରେ ଏହି ଘଟଣାକୁ ନେଇ ବଚସା ହୋଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଉଥିବା ବେଳେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ପ୍ରଶାସନ ପକ୍ଷରୁ ପୌରାଅଧ୍ୟକ୍ଷାଙ୍କୁ ଆଙ୍ଗୁଠି ଦେଖାଇ କଥା ହେଉଥିବା ଓ ତାଙ୍କୁ ଦୁର୍ବ୍ୟବହାର କରାଯାଇଥିବା ନେଇ ସେ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଆଜି ଏହାର ପ୍ରତିବାଦରେ ଭଦ୍ରକ ବିଜେଡି ପକ୍ଷରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ପ୍ରତିବାଦ ସଭା କରାଯାଇଥିଲା।
ଏହି ପ୍ରତିବାଦ ସଭାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୌରାଧ୍ୟକ୍ଷା ଗୁଲ ମିକ୍କି ହବିବ, ବିଜେଡିର ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ,ଭଦ୍ରକ ବ୍ଲକ୍ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଜେଡି ନେତା ପଙ୍କଜ ବଳ, ଦିଲ୍ଲୀପ ନାୟକଙ୍କ ସମେତ ବିଜେଡିର କର୍ମ କର୍ତ୍ତା ଓ କାଉନସିଲରମାନେ ଉପସ୍ଥିତ ରହି ପ୍ରତିବାଦ କରିଛନ୍ତି। ଯେଉଁ ପ୍ରଶାସନିକ ଅଧିକାରୀ ଓ ପୁଲିସ ପୌରାଧକ୍ଷାଙ୍କୁ ଦୁର୍ବ୍ୟବହାର କରୁଛନ୍ତି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିବା ସହ ଭଦ୍ରକ ସହରରେ ଜବର ଦଖଲ ଉଚ୍ଛେଦ ପୂର୍ବରୁ ସେମାନଙ୍କୁ ଥଇଥାନ କରିବା ପାଇଁ ବିଜେଡି ନେତା ପ୍ରଫୁଲ୍ଲ ସାମଲ ଦାବି କରିଛନ୍ତି। ଲୋକଙ୍କୁ ଥଇଥାନ ନକଲେ ବିଜେଡି ରାଜରାସ୍ତାକୁ ଆସି ଆନ୍ଦୋଳନ କରିବ ବୋଲି ଶ୍ରୀ ସାମଲ ଚେତାବନୀ ଦେଉଛନ୍ତି। ଜଣେ ମହିଳା ପୌରଧ୍ୟକ୍ଷା ଙ୍କୁ କିଭଳି ଭାବରେ ସମ୍ମାନ ଦିଆଯିବା କଥା ତାହା ପ୍ରଶାସନିକ ଅଧିକାରୀମାନେ ଜାଣି ନାହାନ୍ତି। ମହିଳାଙ୍କୁ ସମ୍ମାନ ଦିଆଯାଉ ନଥିବାରୁ ଏହାର ପ୍ରତିବାଦ କରାଯାଇଛି। ଏହି ପ୍ରତିବାଦ ସଭା ପରେ ବିଜେଡିର ଏକ ପ୍ରତିନିଧି ଦଳ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆ ନଗଲେ ଆଗାମୀ ଦିନରେ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ ବୋଲି ବିଜେଡି ନେତାମାନେ ଚେତାବନୀ ଦେଇଛନ୍ତି।