ଭଦ୍ରକ: ଧାନବିକ୍ରୀ ଆରମ୍ଭରୁ ଚାଷୀମାନେ ହୀନସ୍ଥା ହୋଇଛନ୍ତି। ସମବାୟ ସମିତିର ସଂପାଦକମାନେ ଚାଷୀର ଧାନକୁ ନେଉ ନାହାନ୍ତି। ମିଲ ମାଲିକମାନେ ମଧ୍ୟ ଆଦ୍ରତାର ଆଳ ଦେଖାଇ ଧାନ ଫେରାଇ ଦେଉଛନ୍ତି। ଏଫଏକ୍ୟୁର ମାନ କହି ଜଣେ ଜଣେ ଚାଷୀଙ୍କ ନିକଟରୁ ପ୍ରତି କୁଇଣ୍ଟାଲରେ କାଟି ନେଉଛନ୍ତି। ଅଖା ବସ୍ତା ପାଇଁ ବି ଚାଷୀଙ୍କଠାରୁ ୩ ଟଙ୍କା ନେଉଛନ୍ତି। ଏମିତି ଭାବେ ଚାଷୀଙ୍କୁ ଭଦ୍ରକ ଜିଲ୍ଲାରେ ଶୋଷଣ କରାଯାଉଥିବା ବେଳେ ଶୁକ୍ରବାର ଜଣେ ଚାଷୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।

Advertisment

ବଡଗୋପାଳସାହି ଗ୍ରାମର ହରମୋହନ ବାରିକ (୫୦) ନାମକ ଜଣେ ଚାଷୀ ସ୍ଥାନୀୟ ସାବରଙ୍ଗ ସେବା ସମବାୟ ସମିତିକୁ ଧାନ ବିକ୍ରୀ କରିବାକୁ ଆସିଥିଲେ। ଏଇ ସମିତିର ସଂପାଦକ ତାଙ୍କୁ ଧାନ ସମବାୟ ସମିତିରେ କାହିଁକି ଦେବ, ସିଧା ନିକଟସ୍ଥ ୱାଇଜିପି ରାଇସ୍‌ ମିଲକୁ ନେଇ ଯିବା ପାଇଁ କହିଥିଲେ। ସଂପାଦକଙ୍କ ପରାମର୍ଶକ୍ରମେ ଚାଷୀ ହରମୋହନ ତାର ଧାନ ନେଇ ଆଜି ସଂପୃକ୍ତ ରାଇସ ମିଲ ନିକଟକୁ ଆସିଥିଲା। ଏଇ ରାଇସମିଲ ପକ୍ଷରୁ ତାଙ୍କର ଧାନ ଓଜନ କରାଯିବା ସହ ଏହାର ମାନ ର୍ନିଦ୍ଧାରଣ କରାଯାଇଥିଲା। ଏଇ ଧାନରେ ଆଦ୍ରତା ୨୨ ପ୍ରତିଶତ ଥିବା ଦର୍ଶାଇ ମିଲ ପକ୍ଷରୁ ଧାନ କିଣିବେ ନାହିଁ ବୋଲି ରୋକ୍‌ ଠୋକ୍‌ ଭାବେ ମନା କରିଦେଲେ। ବିଚରା ଏତେ କଷ୍ଟରେ ନିଜ ଗାଁରୁ ଧାନ ବୋହି ରାଇସମିଲ ପର୍ଯ୍ୟନ୍ତ ଯାଇ ଶେଷରେ ଧାନ ବିକ୍ରୀ ନକରିପାରି ଧାନ ନିଜ ଘରକୁ ଫେରାଇ ଆଣିଥିଲା। ଧାନ ଫେରାଇ ଆଣି ହତାଶ ହୋଇପଡିଥିବା ଚାଷୀ ହରମୋହନ ନିଜକୁ ଧିକାର କରିବା ସହ ପୁଣି ସେବା ସମବାୟ ସମିତି ସଂପାଦକଙ୍କ ପାଖକୁ ଯାଇ ନେହୁରା ହୋଇ କହିଲା, ମୋତେ ଧାନ ବିକ୍ରୀ କରିବା ପାଇଁ ରାଇସ୍‌ ମିଲକୁ ପଠାଇଲୁ ମାତ୍ର ସେଠି ମୋ ଧାନ ନେଲେ ନାହିଁ।

publive-image

ଶେଷରେ ଧାନ ଫେରାଇ ଆଣିବାର ଦୁଃଖ ସହି ନପାରି ଚାଷୀ ହରମୋହନ ନିଜ ହାତରେ ଧରିଥିବା ଏକ ବିଷ ବୋତଲର ଠିପି ଖୋଲି ସମବାୟ ସମିତି ଆଗରେ ପିଇଦେଇଥିଲେ। ସ୍ଥାନୀୟ ଲୋକମାନେ କିଛି ବୂଝିବା ଆଗରୁ ହରମୋହନ ଅଚେତ ହୋଇ ତଳେ ପଡିଯାଇଥିଲେ। ତାଙ୍କୁ ତୁରନ୍ତ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ପାଇ ଘଟଣାସ୍ଥଳକୁ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ, ଉପଜିଲ୍ଲାପାଳ ସୁଚାରୁ ବଳ ପ୍ରମୁଖ ଯାଇଥିବା ବେଳେ ତାର ସ୍ୱାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ। କେଉଁ ପରିସ୍ଥିତିରେ ତାଙ୍କର ଧାନ ଫେରାଇ ଦିଆଗଲାଯ ସେ ସଂପର୍କରେ ମଧ୍ୟ ଜିଲ୍ଲାପାଳ ଶ୍ରୀ ଦାସ ସଂପୃକ୍ତ ଚାଷୀଙ୍କଠାରୁ ସବୁ କଥା ପଚାରି ବୁଝିଥିଲେ। ଏଇ ଘଟଣାରେ ନିରପେକ୍ଷ ତଦନ୍ତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଦାସ ଭଦ୍ରକ ସିଏସଓଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଉପଜିଲ୍ଲାପାଳ ସୁଚାରୁ ବଳ, ଭଦ୍ରକ ତହସିଲଦାର ପ୍ରଦୀପ ସାହୁ, ଜିଲ୍ଲା ଯୋଗାଣ ଅଧିକାରୀ ଅଶୋକ ମାଝୀ ପ୍ରମୁଖ ସେହି ଗ୍ରାମକୁ ଯାଇ ସଂପୃକ୍ତ ଚାଷୀଙ୍କର ପରିବାର ଲୋକଙ୍କୁ ଭେଟିଛନ୍ତି।