ମିଳୁନି ଧାନ ବିକ୍ରି ଟଙ୍କା:ବିଷ ବୋତଲ ଧରି ଚାଷୀଙ୍କ ଧାରଣା

ବାସୁଦେବପୁର/ଇରମ : ଚାଷ ଆରମ୍ଭରୁ ସରକାର ଚାଷୀ ‌େପ୍ରାତ୍ସାହନ ପାଇଁ ବହୁ ଆଶା ଦେଖାଇଲେ। ପ୍ରତିକୂଳ ପାଣିପାଗ ସତ୍ବେ ହାଡଭଙ୍ଗା ପରିଶ୍ରମ କରି ଚାଷୀ କ୍ଷେତରେ ସୁନା ଫଳାଇଥିଲେ। ୫ମାସ ହେଲା ସରକାରଙ୍କ ହାତକୁ ବର୍ଷକର ଆହାର ଟେକିଦେଇ ଦହଗଞ୍ଜ ମଧ୍ୟରେ ଗତି କରୁଛି। ଚାଷ ଯାଇ ପୁଣି ଚାଷ ଆରମ୍ଭ ହେଲାଣି, ତଥାପି ସରକାରଙ୍କ ଚେତା ପଶିନି। ଚାଷୀ ଧାନ ବିକା ଅର୍ଥ ନପାଇ ପରିବାର ପ୍ରତିପୋଷଣ କରିବା ପାଇଁ ହଇରାଣ ହେବାକୁ ପଡୁଛି। ଆଜି ବ୍ଲକର ନାୟକାଣିଡିହି ସେବା ସମବାୟ ସମିତିରେ ତାଲା ଦେଇ, କାର୍ଯ୍ୟାଳୟ ଆଗରେ ଚାଷୀମାନେ ହାତରେ ଗୋଟେ ଗୋଟେ ବିଷ ବୋତଲ ଧରି ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ ସରକାର ଆମକଥା ଶୁଣି ନାହାନ୍ତିି, ସେଯାଏଁ ଧାରଣା ଜାରି ରହିବା ସହ ବିଷ ପିଇବାକୁ ପଛାଇବୁ ନାହିଁ ବୋଲି ଭଗବାନ ଦାସ, ମୂରଲୀଧର ପରିଡା, ସୁଦର୍ଶନ ଦାସ, ନାରାୟଣ ବିଶ୍ବାଳ, କୃପାସିନ୍ଧୁ ବାରିକ, ରଘୁନାଥ ପରିଡା, ସୁରେନ୍ଦ୍ର ମଲ୍ଲିକ, କୁନିଲତା ବନ୍ଧ ପ୍ରମୁଖ ଚେତାବନୀ ଦେଇଛନ୍ତି। ସମିତି ଅଧିନରେ ଥିବା ପ୍ରାୟ ୭୫୦ପଞ୍ଜିକୃତ ଚାଷୀଙ୍କ ମଧ୍ୟରୁ ପାଖାପାଖି ୧୫୫ଜଣ ଚାଷୀ ଧାନ ବିକ୍ରି ଅର୍ଥ ପାଇ ନାହାନ୍ତିି। ଦୀର୍ଘ ପାଞ୍ଚ ମାସ ତଳେ ଧାନ ବିକ୍ରି କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ନିଜର ପ୍ରାପ୍ୟ ପାଇନଥିବାରୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋ‌ଷ ଦେଖା ଦେଇ ଆସୁଥିଲା।
ସୂଚନାରୁ ଜଣାଯାଇଛି, ପ୍ରତିବର୍ଷ ପରି ଖରିଫ ଋତୁର ଧାନ ସ˚ଗ୍ରହ ପାଇଁ ସରକାର ମାର୍ଚ୍ଚ ଶେଷ ତାରିଖ ଯାଏ ଧାର୍ଯ୍ୟ କରିଥାନ୍ତିି। ହେଲେ ନିର୍ବାଚନ ପାଇଁ ଧାନକିଣା ଧାର୍ଯ୍ୟ ସମୟକୁ ବୃଦ୍ଧି କରାଯାଇଥିଲା। ମାତ୍ର ଅପ୍ରେଲ ୪ତାରିଖରେ ବିନା କୌଣସି ସୂଚନାରେ ହଠାତ୍‌ ସରକାର ଧାନକିଣା ବନ୍ଦ କରି ଦେଇଥିଲେ। ବିଭିନ୍ନ ସମିତିରେ ଧାନକିଣା ଜାରି ରହିଥିବା ବେଳେ, ହଠାତ୍‌ ଅନ୍‌ଲାଇନ୍‌ ବନ୍ଦ କରିଦେବା ସମିତି ଓ ଚାଷୀ ମାନଙ୍କ ପାଇଁ କାଳ ସାଜିଥିଲା। ସେତେବେଳକୁ ଏହି ସମିତି ଅଧିନରେ ଥିବା ପ୍ରାୟ ୧୫୫ଜଣ ଚାଷୀ ନିଜର ୩ହଜାର ୮୫୦ କ୍ବିଣ୍ଟାଲ ଧାନ ଅଫ୍‌ଲାଇନ୍‌ରେ ଧାନ ପ୍ରଦାନ କରିଥିଲେ। ନିୟୋଜିତ ମିଲର ମଧ୍ୟ ସମିତିରୁ ଧାନ ନେଇ ଯାଇଥିଲେ। ଚାଷୀ ଦୀର୍ଘଦିନ ଧରି ଧାନ ଦେଇଥିଲେ ମଧ୍ୟ ଆଜି ଯାଏ ସେମାନଙ୍କ ପ୍ରାପ୍ୟ ପାଇନାହାନ୍ତି। ଚାଷୀ ଧାନର ଅର୍ଥ ପାଇଲେ କାହାର ଝିଅ ବାହାଘର କିଏ ଋଣ ସୁଝିବ ବୋଲି ଚାହିଁ ରହିଛି। ପୁଣି ଖରିଫ ଚାଷ କରିବା ପାଇଁ ସଜବାଜ ହୋଇଛି। ଏଭଳି ସମସ୍ୟା ଚାଷୀକୁ ଘାରିଥିବା ବେଳେ ସରକାର ନିଘୋଡ ନିଦ୍ରାରେ ଶୋଇଛନ୍ତି। ତେବେ ସମସ୍ୟାକୁ ନେଇ ସମିତି ସମ୍ପାଦକ ନରହରି ମାଝି କହିନ୍ତିି ଅନଲାଇନ ଧାନ ବିକ୍ରି ପରେ ପରେ ସରକାରଙ୍କ ପକ୍ଷରୁ ଅଫଲାଇନରେ ଧାନ କିଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିଛି ଚାଷୀ ସେମାନଙ୍କ ଅର୍ଥ ପାଇ ସାରିଥିବା ବେଳେ, ଆଉ ୬୨ଲକ୍ଷ ୭୭ହଜାର ୮୮୦ଟଙ୍କା ବାକି ରହିଛି। ଆମେ ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ବିଭାଗକୁ ବି ଅବଗତ କରାଇଛୁ।

ସମ୍ବନ୍ଧିତ ଖବର