ଭଦ୍ରକ: ଧାନ ବିକ୍ରି ହୋଇ ପାରୁନଥିବାରୁ ରାସ୍ତା ରୋକ କରି ପ୍ରତିବାଦ କଲେ ଚାଷୀ

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଏବେ ଧାନ ବିକ୍ରି ନେଇ ପ୍ରତିବାଦ ଓ ପ୍ରତିରୋଧ ହେଉଛି। ଗତ ଦୁଇ ଦିନ ହେଲା ସରକାରୀ ମଣ୍ଡିରେ ଧାନ ବିକ୍ରି କରିନପାରି ବ୍ଲକର ଗଣିଜଙ୍ଗ ପଞ୍ଚାୟତର ଶତାଧିକ ଚାଷୀ ଭଦ୍ରକ ଆନନ୍ଦପୁର ରାସ୍ତାକୁ ଧାନବସ୍ତା ରଖି ଅବରୋଧ କରିବା ସହ ଆନ୍ଦୋଳନ କରିଛନ୍ତି। ଶତାଧିକ ଚାଷୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ ମଧ୍ୟ ଜିଲ୍ଲା ଯୋଗାଣ ବିଭାଗର କେହି କର୍ମଚାରୀ ଘଟଣାସ୍ଥଳକୁ ଯାଉନଥିବା ଅଭିଯୋଗ ହୋଇଛି। ପ୍ରଶାସନର ଏଭଳି ନୀତିକୁ ନେଇ ଶହଶହ ଟୋକନଧାରୀ ଚାଷୀ ସେମାନଙ୍କର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।

ଗଣିଜଙ୍ଗ ଚାଷୀଙ୍କ ଦାବି ହେଉଛି ଆମକୁ ସରକାର ଟୋକନ୍‌ ଦେଇଛନ୍ତି, ଆମ ଧାନ ସରକାର କିଣିବା ଉଚିତି। ସରକାର ଧାନ ନକିଣିଲେ ଆନ୍ଦୋଳନରୁ ହଟିବୁ ନାହିଁ ବୋଲି ଚାଷୀ ଚେତାବନୀ ଦେଇ ରାସ୍ତା ଉପରେ ବସି ରହିଛନ୍ତି। ଯାହା ଫଳରେ ଯାତାୟାତରେ ବାଧା ଉପୁଜିଛି।

ସେହିପରି ଗତକାଲି ରାତିରୁ ଭଦ୍ରକ ବ୍ଲକର ଦୈଶିଂ ପଞ୍ଚାୟତର ଶହଶହ ଚାଷୀ ମଣ୍ଡିରେ ଧାନ ବିକ୍ରି କରିନପାରି ଧାନ ବସ୍ତା ରଖି ଭଦ୍ରକ ବାରପଦା କାଉପୂର ରାସ୍ତା ଅବରୋଧ କରି ଆନ୍ଦୋଳନରେ ବସିଛନ୍ତି। ଏହି ଅଞ୍ଚଳର ଶହଶହ ଚାଷୀଙ୍କର ଧାନ ବିକ୍ରି ହୋଇ ପାରୁନାହିଁ। ଭୋକଉପାସରେ ଚାଷୀ ଆନ୍ଦୋଳନରେ ବସିଥିବା ବେଳେ ସେମାନଙ୍କ ନିକଟରେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି ବୋଲି ଅଭିଯୋଗ ହୋଇଛି।

ସେହିପରି ଗତ ତିନି ଦିନ ହେଲା ଧାମନଗର ବ୍ଲକର ଭଗବାନପୁର ସେବା ସମବାୟ ସମିତି ଆଗରେ ଚାଷୀ ଧାନ ବସ୍ତା ରଖି ଆନ୍ଦୋଳନ କରୁଛନ୍ତି। ଜିଲ୍ଲାର ବନ୍ତ, ଭଣ୍ଡାରୀପୋଖରୀ ଓ ବାସୁଦେବପୁର ବ୍ଲକର ଶହଶହ ଚାଷୀ ଧାନ ବସ୍ତା ରଖି ରାଜରାସ୍ତାରେ ଆନ୍ଦୋଳନ ଚଳାଇଛନ୍ତି । ସରକାର ଧାନ କିଣାରେ ଭଦ୍ରକ ଜିଲ୍ଲାରେ ବିଫଳ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ନିଦା ବିଷ୍ଣୁ ସାଜିଛି ବୋଲି ଚା‌ଷୀମାନେ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର