ଭଦ୍ରକ: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଶେଷ:୪୬ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍

୧୨୯୨ ବୁଥ୍‌ରେ ୭୧ ପ୍ରତିଶତ ମତଦାନ:ଚାନ୍ଦବାଲିରେ ସର୍ବାଧିକ ୭୪ ପ୍ରତିଶତ

ଭଦ୍ରକରେ ସର୍ବନିମ୍ନ ୬୯ପ୍ରତିଶତ
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଆଜି ଶେଷ ହୋଇଛି। କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ୫ଟି ଯାକ ବିଧାନସଭା କ୍ଷେତ୍ରରେ ମତଦାତାମାନେ ଶାନ୍ତିଶୃଙ୍ଖଳାରେ ନିଜର ମତଦାନ କରିଛନ୍ତି। ସକାଳୁ ସକାଳୁ କିଛି ବୁଥ୍‌ରେ ଇଭିଏମ ତ୍ରୁଟି ଯୋଗୁଁ ମତଦାନରେ ସାମାନ୍ୟ ବିଳମ୍ବ ଘଟିଥିବା ବେଳେ ପ୍ରବଳ ଖରାରେ ବି ଭୋଟରମାନେ ସେମାନଙ୍କର ବହୁମୂଲ୍ୟ ଭୋଟ ନିଜର ମନଲାଖି ପ୍ରାର୍ଥୀଙ୍କୁ ଦେଇଛନ୍ତି। ଭଦ୍ରକ ଲୋକସଭା କ୍ଷେତ୍ରରେ ଲଢ଼ୁଥିବା ୮ ଜଣ ପ୍ରାର୍ଥୀ ଓ ୫ଟି ବିଧାନସଭା କ୍ଷେତ୍ର ଭଦ୍ରକ, ବାସୁଦେବପୁର, ଭଣ୍ଡାରିପୋଖରୀ, ଧାମନଗର, ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ୩୮ ଜଣ ପ୍ରାର୍ଥୀ ନିର୍ବାଚନ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଥିଲେ। ମୋଟ ୪୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ଆଜି ଇଭିଏମ୍‌ରେ ସିଲ୍‌ ହୋଇଛି। ୧୨୯୨ଟି ବୁଥ୍‌ରେ ଜିଲ୍ଲାର ୧୨ ଲକ୍ଷ ୨୩୦ ଭୋଟରଙ୍କ ମଧ୍ୟରୁ ମହିଳା ଭୋଟର ସଂଖ୍ୟା ୫ ଲକ୍ଷ ୭୫ ହଜାର ୮୧୦ ଥିବା ବେଳେ ପୁରୁଷ ଭୋଟର ସଂଖ୍ୟା ୬ ଲକ୍ଷ ୨୪ ହଜାର ୩୨୨ ରହିଛି। ସୂଚନାଯୋଗ୍ୟ ଯେ, ୨୦୧୪ରେ ନିର୍ବାଚନ ମଇଦାନରେ ୫୫ ଜଣ ପ୍ରାର୍ଥୀ ଥିବା ବେଳେ ୭୩ ପ୍ରତିଶତ ମତଦାନ ହୋଇଥିଲା।
ଦିନ ତମାମ ଜିଲ୍ଲାର ସବୁ ବୁଥ୍‌ରେ ଲମ୍ବା ଧାଡ଼ିହୋଇ ଭୋଟରମାନେ ସେମାନଙ୍କର ମତଦାନ କରିଥିଲେ। ସଂଧ୍ୟା ୫ଟା ସୁଦ୍ଧା ଜିଲ୍ଲାରେ ହାରାହାରି ୭୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ସେହିପରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀରେ ୭୧ ପ୍ରତିଶତ, ଭଦ୍ରକ ସଦରରେ ୬୯ ପ୍ରତିଶତ, ବାସୁଦେବପୁରରେ ୭୨ ପ୍ରତିଶତ, ଧାମନଗରରେ ୭୦ ଓ ଚାନ୍ଦବାଲିରେ ୭୪ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ମତଦାନ ଶେଷ ହେବା ପରେ ସିଲ୍‌ଡ ଇଭିଏମ୍‌ ଓ ଭିଭିପାଟ୍‌ ମେସିନକୁ ଧରି ପୋଲିଂ ପାର୍ଟି ଆଜି ରାତି ସୁଦ୍ଧା ଭଦ୍ରକ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି। ଏଇ ମତଦାନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ପାଇଁ ଜିଲ୍ଲାରେ ମୋଟ ୭୭୫୨ ଜଣ କର୍ମଚାରୀ ନିୟୋଜିତ ହୋଇଥିଲେ।
ଭଣ୍ଡାରିପୋଖରୀ ନିର୍ବାଚନମଣ୍ଡଳୀର ଆଡିଆ ୪୩ ନଂ ବୁଥ୍‌ରେ ଇଭିଏମ ଖରାପ ହୋଇଥିବା ବେଳେ ଭଦ୍ରକ ନିର୍ବାଚନମଣ୍ଡଳୀର ଗେଲପୁର ୧୮୪ ଓ ୧୮୫ ନଂ ବୁଥ୍‌, ଭଦ୍ରକର ‌ଦୈସିଂ ପଞ୍ଚାୟତର ୧୦ ନଂ ବୁଥ୍‌, ଭଦ୍ରକ ପୌରପାଳିକାର ବାଗୁରାଇ ୧୮୦ ନଂ ବୁଥ୍‌ରେ ଇଭିଏମ ଖରାପ ଯୋଗୁ ମତଦାନ କିଛି ସମୟ ପାଇଁ ବାଧାପ୍ରାପ୍ତ ହୋଇଥିଲା।
ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଜିଲ୍ଲାରେ ମୋଟ ୧୫ ପ୍ଲାଟୁନ୍ ଓଏସ୍‌ଏଏଫ୍‌, ୧୫ ପ୍ଲାଟୁନ୍ ସିଆରପିଏଫ୍‌ ଯବାନ ମୁତୟନ କରାଯାଇଥିଲା। ଏହା ବ୍ୟତୀତ ୧୨୯୬ ଜଣ ହୋମ୍‌ଗାର୍ଡ(ଓଆର) ଓ ୬ ପ୍ଲାଟୁନ୍ ଏପିଆର ମୁତୟନ କରାଯାଇଥିଲା। ୩ ଜଣ ଏଏସ୍‌ପି, ୬ ଜଣ ଡିଏସ୍‌ପି, ୧୮ ଜଣ ଇନ୍‌ସପେକ୍ଟର, ୧୨୩ ଜଣ ଏସ୍‌ଆଇ, ଓଏସ୍‌ଏପି ୩ ପ୍ଲାଟୁନ୍ ଶୃଂଖଳା ରକ୍ଷା କରିଥିଲେ। ଜିଲ୍ଲାର ୯୮୩ ସ୍ଥାନରେ ୭୯୯ ଜଣ କନେଷ୍ଟବଳ, ୪୮୬ ହୋମ୍‌ଗାର୍ଡ ଓ ୧୩୬ ଜଣ ଗ୍ରାମରକ୍ଷୀଙ୍କୁ ମୁତୟନ କରାଯାଇଥିଲା। ନିର୍ବାଚନକୁ ନିରପେକ୍ଷ ଓ ଶାନ୍ତି ଶୃଙ୍ଖଳାର ସହ ସମାପନ କରିବା ପାଇଁ ଭଦ୍ରକ ଏସ୍‌ପି ରାଜେଶ କୁମାର ପଣ୍ଡିତ ପୂରା ଜିଲ୍ଲା ଉପରେ ନଜର ରଖିଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଜ୍ଞାନରଂଜନ ଦାସ ନିର୍ବାଚନ କାର୍ଯ୍ୟକୁ ପ୍ରତ୍ୟକ୍ଷ ଭାବେ ତତ୍ତ୍ବାବଧାନ କରୁଥିଲେ।

ସମ୍ବନ୍ଧିତ ଖବର