ସ୍କୁଲ ଡ୍ରେସ ସିଲାଇ ବିଲ ପାସ୍ କରିଦେବାକୁ ଲାଞ୍ଚ ନେଉଥିବା ବେଳେ ଭିଜଲାନ୍ସ ହାତରେ ଧରାପଡ଼ିଲେ ପ୍ରଧାନଶିକ୍ଷୟିତ୍ରୀ

ଭଦ୍ରକ: ପାଖାପାଖି ୬୦,୦୦୦ ଟଙ୍କା ମାସିକ ଦରମା ମିଳୁଥିଲେ ବି ଏତିକିରେ ସନ୍ତୁଷ୍ଟ ନ ଥିବା ପ୍ରଧାନଶିକ୍ଷୟିତ୍ରୀ ଶେଷରେ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିବା ପରେ ଜେଲ ଯାଇଛନ୍ତି। ଚାକିରିରୁ ଅବସର ନେବା ଆଉ ୨ ବର୍ଷ ବାକି ଥିବା ବେଳେ ଗୁରୁବାର ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି। ଭଦ୍ରକ ପୌରପାଳିକା ଅନ୍ତର୍ଗତ ଚାରିଘରିଆ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଅନିତାରାଣୀ ପ୍ରଧାନ ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ ସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ଡ୍ରେସ ସିଲାଇର ୨୬ ହଜାର ୮୦୦ ଟଙ୍କାର ବିଲ ମଞ୍ଜୁର କରିଦେବାକୁ କହି ଜଣେ ଟେଲର ମୀରାରାଣୀ ବିଦାନ୍ତଙ୍କ ଠାରୁ ୮୨୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

ଭିଜିଲାନ୍ସ ଡିଏସ୍‌ପି ସନ୍ତୋଷ ଚନ୍ଦ୍ର ମହାପାତ୍ରଙ୍କ ନିର୍ଦ୍ଦେଶରେ ପ୍ରଧାନଶିକ୍ଷୟିତ୍ରୀ ଅନିତାଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିବାକୁ ଟିମ୍‌ ସ୍ୱତନ୍ତ୍ର ରୂପେ ପୂର୍ବରୁ ଯୋଜନା କରିଥିଲା। ପ୍ରଧାନଶିକ୍ଷୟିତ୍ରୀ ଅନିତାରାଣୀ ସ୍କୁଲରେ ମୀରାରାଣୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳ ଭିଜିଲାନ୍ସ ଟିମ୍‌ ପହଞ୍ଚି ଲାଞ୍ଚ ଟଙ୍କାକୁ ଜବତ କରିଥିଲା। ଏ ନେଇ ଭଦ୍ରକ ଜିଲ୍ଲା ଶିକ୍ଷା ଅଧିକାରୀ ରଞ୍ଜନ କୁମାର ଗିରି କହିଛନ୍ତି, ଅନିତାଙ୍କୁ ଆଜି ନିଲମ୍ବନ କରାଯିବ।

ସମ୍ବନ୍ଧିତ ଖବର