ଭଦ୍ରକ : ବେକାର ଯୁବକଙ୍କୁ ଗୋପାଳନ କରି ନିଜ ଗୋଡ଼ରେ ଠିଆ ହେବାର ବାଟ ଦେଖାଉଛନ୍ତି ପ୍ରିୟବ୍ରତ। ବର୍ତ୍ତମାନ ସମୟରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ଚାହିଦାକୁ ଦୃଷ୍ଟିରେ ଯୁବପିଢ଼ିକୁ ଆତ୍ମନିର୍ଭରଶୀଳ ହେବାକୁ ପ୍ରବର୍ତ୍ତାଉଛନ୍ତି।
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ୍ ସରମରା ଗାଁରେ ଜନ୍ମିତ ପ୍ରିୟବ୍ରତ ରାଉତ ପ୍ରାଣୀ ଚିକିତ୍ସା ବିଭାଗରେ ନିରୀକ୍ଷକ ଭାବେ କାମ କରୁଛନ୍ତି। ଚାକିରି ସମୟରୁ ଟିକିଏ ଫୁରସତ ପାଇଲେ ବ୍ଲକ୍ର ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଓ ପ୍ରାଣୀମାନଙ୍କ ଚିକିତ୍ସା କରିଥାନ୍ତି। ତାଙ୍କ କହିବା ଅନୁସାରେ, ସେ ପିଲାଟି ଦିନରୁ ପ୍ରାଣୀମାନଙ୍କୁ ସ୍ନେହଆଦର କରିଆସୁଥିଲେ। ୨୦୧୧ ମସିହାରେ ସମ୍ବଲପୁରସ୍ଥିତ ଚିପିଲିମା ଲାଇଭଷ୍ଟକ୍ ବ୍ରିଡିଙ୍ଗ ଫାର୍ମରେ ପ୍ରଶିକ୍ଷଣ ନେଲେ। ୨୦୧୨ ମସିହାରେ ବନ୍ତ ବ୍ଲକ୍ ଆଡ଼ିଆ ପ୍ରାଣୀ ଚିକିତ୍ସା କେନ୍ଦ୍ରରେ ପ୍ରଥମେ ନିଯୁକ୍ତି ପାଇଥିଲେ। ପ୍ରାଣୀ ନିରୀକ୍ଷକ ଭାବେ କର୍ମମୟ ଜୀବନ ଆରମ୍ଭ କରି ଏହାକୁ ପେସା ଓ ନିଶା ଭାବେ ଗ୍ରହଣ କରିଥିଲେ। ପ୍ରାଣୀମାନଙ୍କ ସରଳ ଚିକିତ୍ସା କରି ସ୍ଥାନୀୟ ଅଞ୍ଚଳରେ ବେଶ୍ ପରିଚିତ ହୋଇପାରିଛନ୍ତି। ଓଡ଼ଙ୍ଗ ଅଞ୍ଚଳରେ ଦିନକୁ ଦିନ ଚାରଣ ଭୂମି କମି ଯାଉଥିବାରୁ ବିଭିନ୍ନ କିସମର ଘାସ ଚାଷ କରିବା ପାଇଁ ଗୋପାଳକମାନଙ୍କୁ ପରାମର୍ଶ ଦେଇଥିଲେ। ତାଙ୍କ ପରାମର୍ଶ ଓ ସହଯୋଗରେ ଗୋପାଳକମାନେ ହଇବ୍ରିଡ ନାପିଅର, ସୁପର ନାପିଅର, ଆଜୁଲା, ବାରାଗୁଡ଼ି, ବାରଜିମ ଭଳି ବିଭିନ୍ନ ପ୍ରଜାତିର ଘାସ ଚାଷ କରି ଗାଈମାନଙ୍କ ପାଇଁ ଖାଦ୍ୟ ସମସ୍ୟା ଦୂର କରିପାରୁଛନ୍ତି। ଏଥିସହ ଗାଈମାନଙ୍କ ପାଇଁ ଦାନ କିଣିବା ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି। ବିଦେଶୀ ଗାଈଙ୍କଠାରୁ କୃତ୍ରିମ ପ୍ରଜନନ ମାଧ୍ୟମରେ ସଙ୍କରଜାତୀୟ ଛୁଆ ସୃଷ୍ଟି କରି ଗୋପାଳକମାନଙ୍କ ଗାଈ ସଂଖ୍ୟା ବୃଦ୍ଧି କରିଛନ୍ତି। ବେକାର ଯୁବକମାନଙ୍କୁ ସହଯୋଗର ହାତ ବଢ଼ାଇ ଗୋପାଳନ ଓ ପୋଲ୍ଟ୍ରି ଫାର୍ମ କରିବା ପାଇଁ ପରାମର୍ଶ ଦେଇ ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି। ଏଥିସହ ସେ ୨୦୧୬ ମସିହାଠାରୁ ନିଖିଳ ଉତ୍କଳ ଜିଲ୍ଲା ଅଣଗେଜେଟେଡ ବୈଷୟିକ କର୍ମଚାରୀ ସଂଘ ଭଦ୍ରକ ଜିଲ୍ଲାର ଉପସଭାପତି ଭାବେ କାର୍ଯ୍ୟ କରୁଛନ୍ତି। ଉତ୍ତମ ପ୍ରାଣୀ ଚିକିତ୍ସା ସେବା ପାଇଁ ତାଙ୍କୁ ଜିଲ୍ଲାସ୍ତରୀୟ ମହାତବ ଜୟନ୍ତୀ ସମାରୋହରେ ଭଦ୍ରକ ସହିଦ ସ୍ମୃତି କମିଟି, ପଣ୍ତିତ ପୁରୁଷୋତ୍ତମଙ୍କ ଜୟନ୍ତୀ ସମାରୋହରେ ଭଦ୍ରକ ସହିଦ ସ୍ମୃତି ଭବନ ସମେତ ବିଭିନ୍ନ ସଙ୍ଗଠନ ପକ୍ଷରୁ ମାନପତ୍ର ସହ ସମ୍ବର୍ଦ୍ଧିତ ହୋଇଛନ୍ତି। କଥା କହି ପାରୁନଥିବା ଓ ମଣିଷର ଭାଷା ବୁଝିପାରୁନଥିବା ପ୍ରାଣୀମାନଙ୍କ ଚିକିତ୍ସା କରିବାରେ ଆତ୍ମସନ୍ତୋଷ ମିଳିଥାଏ ବୋଲି ପ୍ରିୟବ୍ରତ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/WhatsApp-Image-2020-10-26-at-19.41.25.jpeg)