ବେଆଇନ କରତ କଳ ଉପରେ ଭିଜିଲାନ୍‌ସ ଚଢ଼ଉ:ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଚେ‌ାରା କାଠ ଓ ଯନ୍ତ୍ରାଂଶ ଜବତ

ଭଦ୍ରକ: ଭଦ୍ରକରେ ବେଆଇନ ଭାବେ ଅନେକ କରତ କଳ ଚାଲୁଥିବା ବେଳେ ବନ ବିଭାଗ ଏଥିପ୍ରତି ଆଖି ବୁଜି ଦେଇଛି। ତେବେ ବାଲେଶ୍ବର ଭିଜିଲାନସ ଏସପିଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନସର ଏକ ସ୍ବତନ୍ତ୍ର ଟିମ୍ ପୁରୁଣାବଜାର ଅଞ୍ଚଳର ସଙ୍ଗତ ଛକଠାରେ ଚାଲୁଥିବା ଏମିତି ଏକ କରତ କଳ ଉପରେ ଅତର୍କିତ ଚଢଉ କରି ପ୍ରାୟ ୬ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଚୋରା କାଠ ଜବତ କରିଛି। ଏହାଛଡ଼ା ୭ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଯନ୍ତ୍ରାଂଶକୁ ଜବତ କରାଯାଇଛି। ସେହିପରି ପୁରୁଣାବଜାର ପଠାଣମହଲାର ଥିବା ଏକ ସ’ ମିଲ୍‌ ଉପରେ ଚଢ଼ଉ କରାଯାଇ ଲକ୍ଷାଧିକ ଟଙ୍କାର କାଠ ଓ ସାମଗ୍ରୀ ଜବତ କରାଯାଇଛି। ଏଇ ଘଟଣାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରାଯାଇଛି। ତେବେ ଚଢାଉ ବେଳେ ସ’ ମିଲର ମାଲିକ ଫେରାର ହୋଇଯାଇଛନ୍ତି।
ସେହିପରି ଭଣ୍ଡାରିପୋଖରୀ ଅଞ୍ଚଳର ‌େଷାଳମପୁର ପଞ୍ଚାୟତର ମୁଢାପଦା ନିକଟରେ ବହୁଦିନ ହେଲା ବେଆଇନ ଭାବେ କରତ କଳ ଚାଲୁଥିଲା। ଏହା ଉପରେ ବନ ବିଭାଗ ଚଢାଉ କରି ଲକ୍ଷାଧିକ ଟଙ୍କାର କାଠ ଓ ଯନ୍ତ୍ରାଂଶ ଜବତ କରିଛି। ଭଦ୍ରକର ସଙ୍ଗତ ଛକ କରତକଳ ଉପରେ ଚଢ଼ଉ ବେଳେ ବାଲେଶ୍ବର ଭିଜିଲାନସ ଟିମ୍, ଭଦ୍ରକ ବନ ବିଭାଗର ଓ ଭଦ୍ରକର ପୁରୁଣାବଜାର ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତ ଥିଲେ।
ଭଦ୍ରକ ଜିଲ୍ଲାରେ ୨୫ରୁ ଉର୍ଦ୍ଧ୍ବ କରତକଳ ବେଆଇନ ଭାବେ ଚାଲିଥିବା ବେଳେ ବନ ବିଭାଗ ନିରବ ରହିଥିଲା। ସେଥିରୁ କେବଳ ଭଦ୍ରକ ସହରରେ ୧୫ରୁ ଉର୍ଦ୍ଧ୍ବ କରତ କଳ ବେଆଇନ ଭାବେ ଚାଲିଛି। ଚୋରା କାଠ କାରବାର କରି କିଛି କାଠ ମାଫିଆ ମାଲାମାଲ ହେଉଥିବା ବେଳେ ବନ ବିଭାଗର ତଳଠାରୁ ଉପର ପର୍ଯ୍ୟନ୍ତ ସମସ୍ତେ ଲାଭବାନ ହେଉଥିବା କୁହାଯାଉଛି। ସେଇଥିପାଇଁ ଚଢ଼ଉ ବେଳେ କାହାକୁ ଗିରଫ କରିବାରେ ସଫଳ ହୋଇ ପାରୁନାହିଁ। ସେମାନଙ୍କ ଉପରେ ଭିଜିଲାନସ ଚଢ଼ଉ ହେବାର ଅବଶ୍ୟକତା ରହିଛି ବୋଲି ଭଦ୍ରକର ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର